
-
ଗୃହ ବାରମ୍ବାର ମୁଲତବୀ, ହୋଇ ପାରିଲା ନାହିଁ ପ୍ରଶ୍ନୋତର କାର୍ଯ୍ୟକ୍ରମ ଓ ଶୂନ୍ୟକାଳ

ପ୍ରଶ୍ନୋତର କାର୍ଯ୍ୟକ୍ରମ ହୋଇ ପାରି ନ ଥିଲେ ହେଁ ପରମ୍ପରା ଅନୁଯାୟୀ ସଂପୃକ୍ତ ବିଭାଗୀୟ ମନ୍ତ୍ରୀ ସେମାନଙ୍କର ପ୍ରଶ୍ନର ଉତର ଗୃହରେ ଉପସ୍ଥାପନ କରିଥିଲେ ।
ନିର୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଗୃହ ୧୦.୩୦ରେ ଆରମ୍ଭ ହେବା ବେଳେ କଂଗ୍ରେସ ଦଳ ଚାଷୀ ସମସ୍ୟା ସମ୍ପର୍କିତ ଦେଇଥିବା ମୁଲତବୀ ପ୍ରସ୍ତାବ ଆଜିର କାର୍ଯ୍ୟସୂଚୀରେ ସ୍ଥାନିତ ନ ହେବାକୁ ନେଇ କଂଗ୍ରେସ ବିଧାୟକ ମାନେ ହଟ୍ଟଗୋଳ କରିଥିଲେ । ପରେ ପରେ ବିଜେପି ଦଳର ସଦସ୍ୟ ମାନେ ମଧ୍ୟ ହଟ୍ଟଗୋଳରେ ସାମିଲ ହୋଇ ନାରାବାଜୀ କରିଥିଲେ । ବିଜେପି ଦଳର ବିଧାୟକ ମାନେ ଚାଷୀ ସମସ୍ୟାକୁ ନେଇ ପ୍ଲାକାର୍ଡ ମଧ୍ୟ ଦେଖାଇଥିଲେ ।
ସବୁକିଛି ବାତିଲ କରି ଚାଷୀ ସମସ୍ୟା ସମ୍ପର୍କରେ ଆଲୋଚନା କରିବା ପାଇଁ କଂଗ୍ରେସ ବିଧାୟକ ମାନେ ଦାବି କରିଥିଲେ । କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ବିଧାନସଭା ବାଚସ୍ପତିଙ୍କୁ ପୋଡିୟମ ଉପରକୁ ଉଠିବାକୁ ଚେଷ୍ଟା କରୁଥିବା ଓ ସାମନାରେ ଥିବା ପୋଡିୟମ ଟେବୁଲକୁ ବାଡଉଥିବା ଦେଖିବାକୁ ମିଳିଥିଲା । ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସେମାନଙ୍କୁ ଏଥିରୁ ନିବୃତ ରହି ପ୍ରଶ୍ନୋତର କାର୍ଯ୍ୟକ୍ରମରେ ସାମିଲ ହେବାକୁ ନିବେଦନ କରିଥିଲେ ହେଁ ଏହା ସଫଳ ହୋଇ ନ ଥିଲା । ବିରୋଧୀ ବିଧାୟକ ମାନେ ସେମାନଙ୍କର ନାରାବାଜୀ ଓ ହଟ୍ଟଗୋଳ ଜାରୀ ରଖିଥିଲେ । ଏହା ଫଳରେ ବାଚସ୍ପତି ଗୃହକୁ ୧୦.୩୧ରୁ ୧୧.୩୦ ଯାଏ ମୁଲତବୀ ରହିଲା ବୋଲି ଘୋଷଣା କରିଥିଲେ ।
୧୧.୩୦ରେ ପୁଣିଥରେ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା । ମାତ୍ର ସେତେବେଳେ ମଧ୍ୟ ବିରୋଧୀ ଦଳର ବିଧାୟକ ମାନେ ସମାନ ପ୍ରସଙ୍ଗରେ ହଟ୍ଟଗୋଳ ଜାରୀ ରଖିଥିଲେ । ଏହା ପରେ ବାଚସ୍ପତି ବିଧାନସଭା ଆରମ୍ଭ ହେବା ପୂର୍ବରୁ ୧୭ ଫେବୃଆରୀରେ ଅନୁଷ୍ଠିତ ହୋଇଥିବା ସର୍ବଦଳୀୟ ବୈଠକରେ ନିଆ ଯାଇଥିବା ନିଷ୍ପତି ସମ୍ପର୍କରେ ଘୋଷଣା କରିଥିଲେ । ସେ କହିଥିଲେ ଯେ ଉପରୋକ୍ତ ବୈଠକରେ ବିଧାନସଭାର ବୈଠକ ପୂର୍ବାହ୍ନ ୧୦.୩୦ରୁ ଅପରାହ୍ନ ୧.୩୦ ଯାଏ ଓ ପୁଣି ଥରେ ଅପରାହ୍ନ ୪ଟାରୁ ସଂଧ୍ୟା ୬ଟା ଯାଓ ଅନୁଷ୍ଠିତ ହେବ ବୋଲି ନିଷ୍ପତି ଗ୍ରହଣ କରା ଯାଇଥିଲା ।
ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଆଗତ ଧନ୍ୟବାଦ ପ୍ରସ୍ତାବ ଆଲୋଚନାର ଶେଷ ଦିନ, ବଜେଟ ଉପରେ ସାଧାରଣ ଆଲୋଚନାର ଶେଷ ଦିନ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଖର୍ଚ ଦାବୀ ଆଲୋଚନା, ସ୍ୱରାଷ୍ଟ୍ର ଓ ସାଧାରଣ ପ୍ରଶାସନ ଓ ପେନସନ ପ୍ରଶାସନ ବିଭାଗର ଖର୍ଚ ଦାବୀ ଆଲୋଚନା, ବିନିୟୋଗ ବିଲ ର ଆଲୋଚନା ଦିନ ଗୃହ କାର୍ଯ୍ୟ ସଂଧ୍ୟା ୭ଟା ଯାଏ ଚାଲୁ ରହିବ ବୋଲି ନିଷ୍ପତି ନିଆ ଯାଇଥିବା ବାଚସ୍ପତି କହିଥିଲେ ।
ଉକ୍ତ ବୈଠକରେ ମୁଲତବୀ ପ୍ରସ୍ତାବ ଆଲୋଚନା ଉପରେ ୯୦ ମିନିଟ ଅର୍ଥାତ ଦିନ ୧୨ଟାରୁ ୧.୩୦ ଯାଏ ସୀମିତ ରହିବ ବୋଲି ନିଷ୍ପତି ଗ୍ରହଣ କରା ଯାଇଥିଲା ।
ଉକ୍ତ ବୈଠକରେ ନିଷ୍ପତି ଗ୍ରହଣ କରା ଯାଇଥିଲା ଯେ ପ୍ରତ୍ୟେକ ସପ୍ତାହର ଚାରିଦିନ ଅର୍ଥାତ ସୋମବାର, ବୁଧବାର, ଗୁରୁବାର, ଶୁକ୍ରବାର ଦିନ ବିଜେପି ବିଧାୟକ ଦଳ ଦ୍ୱାରା ଆଗତ ହୋଇଥିବା ମୂଲତବୀ ପ୍ରସ୍ତାବ ଓ ୨ ଦିନ ଅର୍ଥାତ ମଙ୍ଗଳବାର ଓ ଶନିବାର ଦିନ ଭାରତୀୟ ଜାତୀୟ କଂଗ୍ରେସ ଦ୍ୱାରା ଆଗତ ହୋଇଥିବା ମୂଲତବୀ ପ୍ରସ୍ତାବ ଉପରେ ଆଲୋଚନା ପାଇଁ ନିଆ ଯିବ ।
ଏତଦବ୍ୟତୀତ ଯଦି କୌଣସି କାରଣରୁ ଉକ୍ତ ବିନିର୍ଦିଷ୍ଟ ଦିବସ ମାନଙ୍କରେ ମୁଲତବୀ ପ୍ରସ୍ତାବ ଆଲୋଚନା ହୋଇ ନ ପାରେ ତେବେ ଉକ୍ତ ଦିନଟି ସେହି ବିଧାୟକ ଦଳ ପାଇଁ ଲାପ୍ସ କରା ଯିବ ବୋଲି ନିଷ୍ପତି ନିଆ ଯାଇଥିଲା ।
ଏହା ଭିତରେ ବିରୋଧୀ ବିଧାୟକ ମାନେ ସେମାନଙ୍କର ହଟ୍ଟଗୋଳ ଜାରୀ ରଖିଥିଲେ । ତେଣୁ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଗୃହକୁ ୧୧.୩୩ରୁ ଅପରାହ୍ନ ୪ଟା ଯାଏ ମୁଲତବୀ ରହିଲା ବୋଲି ଘୋଷଣା କରିଥିଲେ ।