Related Stories
November 23, 2024
ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଟେଲିକମ୍ କ୍ଷେତ୍ର ପାଇଁ ଉତ୍ପାଦନଭିତ୍ତିକ ପ୍ରୋତ୍ସାହନ ବା ପିଏଲ୍ଆଇ ସ୍କିମ୍ ଲାଗୁ କରାଯିବା ସଂକ୍ରାନ୍ତ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି । ଏହି ଯୋଜନାରେ ଟେଲିଫୋନ ଏବଂ ଟେଲିନେଟୱାର୍କିଂ ସାମଗ୍ରୀ ଉତ୍ପାଦନ ନିମନ୍ତେ 5 ବର୍ଷ ପାଇଁ 12,195କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ଏହି ଯୋଜନାର ଲକ୍ଷ୍ୟ ହେଲା ଦେଶରେ ଟେଲିଫୋନ ଓ ଟେଲି ନେଟୱାର୍କରେ ବ୍ୟବହୃତ ସାମଗ୍ରୀ ଉତ୍ପାଦନକୁ ପ୍ରୋତ୍ସାହିତ କରିବା । ଘରୋଇ ଉତ୍ପାଦକମାନଙ୍କୁ ଏ କ୍ଷେତ୍ରରେ ପ୍ରୋତ୍ସାହିତ କରିବା ସହ ବିଦେଶୀ ନିବେଶକଙ୍କୁ ଆକର୍ଷିତ କରିବା ପାଇଁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ମେକ୍ ଇନ୍ ଇଣ୍ଡିଆ କାର୍ଯ୍ୟକ୍ରମରେ ଏହିସବୁ ସାମଗ୍ରୀ ଉତ୍ପାଦିତ ହେବ ଏବଂ ସରକାର ଏଥିପାଇଁ ପ୍ରୋତ୍ସାହନ ଯୋଗାଇଦେବେ । ଭାରତରେ ତିଆରି ଏସବୁ ସାମଗ୍ରୀକୁ ମେଡ୍ ଇନ୍ ଇଣ୍ଡିଆ ବ୍ରାଣ୍ଡରେ ବିଦେଶକୁ ରପ୍ତାନୀ କରାଯିବ । ସରକାର ଏହି ଯୋଜନାରେ ଯେଉଁ ପ୍ରୋତ୍ସାହନ ଯୋଗାଇ ଦେବାର ବ୍ୟବସ୍ଥା କରିଛନ୍ତି ତାହା ନିର୍ଦ୍ଦିଷ୍ଟ ଧରଣର ଟେଲିକମ ଓ ନେଟୱାର୍କିଂ ସାମଗ୍ରୀ ଉତ୍ପାଦନ କରୁଥିବା ଉଦ୍ୟୋଗ ଓ କମ୍ପାନୀଗୁଡିକ ପାଇଁ ପ୍ରଯୁଜ୍ୟ । ସେହିଭଳି ପ୍ରଥମ 4ବର୍ଷ ପାଇଁ ସଂପୃକ୍ତ ଉଦ୍ୟୋଗକୁ ଏ କ୍ଷେତ୍ରରେ କ୍ରମବର୍ଦ୍ଧିଷ୍ଣୁଭାବେ ପୁଞ୍ଜି ନିବେଶ କରି ଏକ ସର୍ବନିମ୍ନ ସ୍ତରରେ ପହଞ୍ଚିବାକୁ ହେବ । ଏହାଛଡା ସେହି ସମୟ ମଧ୍ୟରେ ସଂପୃକ୍ତ ସଂସ୍ଥାକୁ ଏକ ନିର୍ଦ୍ଦିଷ୍ଟ ଅନୁପାତର ସାମଗ୍ରୀ ବିକ୍ରିର ତଥ୍ୟ ପ୍ରମାଣ ଦାଖଲ କରିବାକୁ ହେବ । 2019-20 ଆର୍ଥିକ ବର୍ଷକୁ ମୂଳବର୍ଷଭାବେ ହିସାବକୁ ନିଆଯାଇ ସଂପୃକ୍ତ ସଂସ୍ଥାକୁ ସହାୟତା ଯୋଗାଇ ଦିଆଯିବ । ସମଗ୍ର ବିଶ୍ୱରେ ଏବେ ଟେଲିକମ ଓ ନେଟୱାର୍କିଂ ସାମଗ୍ରୀର ରପ୍ତାନୀ ପରିମାଣ ୧୦୦ ବିଲିୟନ ଡଲାର । ଏତେବଡ ରାପ୍ତାନୀ ବଜାରରୁ ଭାରତ ଫାଇଦା ଉଠାଇବାର ସମ୍ଭାବନା ଥିବାରୁ ଏହି କ୍ଷେତ୍ର ଉପରେ ଗୁରୁତ୍ୱ ଦିଆଯାଉଛି । ଆହୁରି ମଧ୍ୟ ଭାରତରେ ଟେଲିକମ୍ ଓ ନେଟୱାର୍କିଂ ଯନ୍ତ୍ରାଂଶ ଉତ୍ପାଦନ ପାଇଁ ବିଦେଶୀ ନିବେଶକଙ୍କୁ କାରଖାନା ଖୋଲିବା ଏବଂ ପୁଞ୍ଜି ଲଗାଇବାକୁ ମଧ୍ୟ ପ୍ରୋତ୍ସାହନ ଯୋଗାଇ ଦିଆଯିବ । ସେମାନେ ଚାହିଁଲେ ଭାରତର ପ୍ରମୁଖ ଦେଶୀ କଂପାନୀଗୁଡିକ ଯେଉଁ ସୁବିଧା ପାଉଛନ୍ତି ଅନୁରୂପ ସୁବିଧା ସୁଯୋଗ ପାଇପାରିବେ । ଆତ୍ମନିର୍ଭର ଭାରତର ରଣନୀତି ଅନୁସାରେ ଏହି କ୍ଷେତ୍ରରେ ଉଭୟ ଉତ୍ପାଦନ ଓ ରପ୍ତାନୀ ବୃଦ୍ଧି ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି । 2020 ନଭେମ୍ବରରେ ସରକାର ବିଭିନ୍ନ କ୍ଷେତ୍ର ପାଇଁ ଯେଉଁ ପିଏଲ୍ଆଇ ସ୍କିମ ଘୋଷଣା କରିଥିଲେ, ସେଥିରେ ଟେଲିକମ ମନ୍ତ୍ରଣାଳୟ ଅନ୍ତର୍ଭୁକ୍ତ ଥିଲା । ଏହି ପିଏଲ୍ଆଇ ସ୍କିମ୍ରେ ଏମ୍ଏସ୍ଏମ୍ଇ ପାଇଁ ସର୍ବନିମ୍ନ ନିବେଶ ପରିମାଣର ସୀମା 10କୋଟି ଟଙ୍କା ଧାର୍ଯ୍ୟ କରାଯାଇଛି । ଅନ୍ୟମାନଙ୍କ ପାଇଁ ଏହି ନିବେଶ ସୀମା 100 କୋଟି ଟଙ୍କା ଧାର୍ଯ୍ୟ ହୋଇଛି । ଏମ୍ଏସ୍ଏମ୍ଇ ଉଦ୍ୟୋଗ ପାଇଁ 5ବର୍ଷ ନିମନ୍ତେ 7ରୁ 4 ଶତାଂଶ ପର୍ଯ୍ୟନ୍ତ କ୍ରମ ହ୍ରାସମାନ ନୀତିରେ ପ୍ରୋତ୍ସାହନ ଯୋଗାଇ ଦିଆଯିବ । ଅନ୍ୟାନ୍ୟ ନିବେଶକଙ୍କୁ ଏହି ପ୍ରୋତ୍ସାହନ 6ରୁ 4 ଶତାଂଶ ମିଳିବ । ନିର୍ଦ୍ଧାରିତ ନିବେଶ ପରିମାଣଠାରୁ ଯେଉଁମାନେ ଅଧିକ ଅର୍ଥ ନିବେଶ କରିବେ ସେମାନଙ୍କୁ ସ୍ୱଚ୍ଛ ପ୍ରକ୍ରିୟାରେ ମନୋନୀତ କରାଯିବାର ବ୍ୟବସ୍ଥା ରହିଛି । ଏହିସବୁ ସୁବିଧା ସୁଯୋଗ ଯୋଗାଇ ଭାରତ ଏକ ଆନ୍ତର୍ଜାତିକ ଟେଲିକମ ଓ ନେଟୱାର୍କିଂ ସାମଗ୍ରୀର ହବ୍ ପାଲଟିବାର ଲକ୍ଷ୍ୟ ରଖିଛି । ପାଞ୍ଚବର୍ଷ ମଧ୍ୟରେ ଏହି ଯୋଜନାରେ ପ୍ରାୟ 2ଲକ୍ଷ କୋଟି ଟଙ୍କାର ପୌନଃପୌନିକ ଉତ୍ପାଦନ ହେବ ବୋଲି ଆଶା କରାଯାଉଛି । ଏହି ଯୋଜନାରେ ଦେଶରେ 3000 କୋଟିରୁ ଅଧିକ ଟଙ୍କାର ନିବେଶ ହେବ ବୋଲି ଆଶା ରଖାଯାଇଛି । ଏହା ମଧ୍ୟ ଉଭୟ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତିରେ ସହାୟକ ହେବ ।