ନୂଆଦିଲ୍ଲୀ: ଚନ୍ଦ୍ରପୃଷ୍ଠରେ ଚନ୍ଦ୍ରଯାନ-୨ର ଅବତରଣର ଶେଷ ମୁହୁର୍ତ୍ତରେ ହିଁ ଇସ୍ରୋ ସହ ଲ୍ୟାଣ୍ଡର ବିକ୍ରମର ସମ୍ପର୍କ ଛିନ୍ନ ହେବାପରେ ଇସ୍ରୋ ବୈଜ୍ଞାନିକମାନଙ୍କୁ ଆଶା ଓ ଆଶଙ୍କାରେ ଦେଖିବାକୁ ମିଳିଥିଲା। ଏହା ପରେ କିଛି ସମୟ ପାଇଁ ଇସ୍ରୋ ମୁଖ୍ୟାଳୟରେ ନିରାଶ ଖେଳି ଯାଇଥିଲା।
ଚନ୍ଦ୍ରପୃଷ୍ଠରୁ ୨.୧ କିଲୋମିଟର ଦୂରତା ଯାଏ ଲ୍ୟାଣ୍ଡର ସ୍ୱାଭାବିକ ଭାବେ କାର୍ଯ୍ୟ କରିଥିଲା। ତା’ ପରେ ଲ୍ୟାଣ୍ଡର ପାଖରୁ ଇସ୍ରୋ କଣ୍ଟ୍ରୋଲ ରୁମ୍କୁ କୌଣସି ସୂଚନା ମିଳିନଥିଲା।
ତେବେ ଚନ୍ଦ୍ରଯାନ-୨କୁ ନେଇ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ସମେତ ବିଭିନ୍ନ ଦଳର ନେତାଙ୍କ ଠୁ ଆରମ୍ଭ କରି ସାଧାରଣ ଲୋକ ପର୍ଯ୍ୟନ୍ତ ସମସ୍ତେ ଇସ୍ରୋ ବୈଜ୍ଞାନିକଙ୍କୁ ପ୍ରଶଂସା କରିବା ସହ ବୈଜ୍ଞାନିକଙ୍କ ମନୋବଳ ବଢ଼ାଇଛନ୍ତି।
ରାଷ୍ଟ୍ରପତି ରାମନାଥ କୋବିନ୍ଦ ଚନ୍ଦ୍ରଯାନ-୨କୁ ନେଇ ଇସ୍ରୋ ବୈଜ୍ଞାନିକଙ୍କୁ ପ୍ରଶଂସା କରିଛନ୍ତି। ରାଷ୍ଟ୍ରପତି ଟ୍ୱିଟ୍ କରି ଇସ୍ରୋ ବୈଜ୍ଞାନିକଙ୍କ ମନୋବଳ ବଢ଼ାଇବା ସହ ଇସ୍ରୋ ପାଇଁ ଆମ ଦେଶ ଗର୍ବିତ ବୋଲି କହିଛନ୍ତି।
ସେହିପରି ଇସ୍ରୋ ବୈଜ୍ଞାନିକଙ୍କୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଜୀବନରେ ଉଠାଣି ଗଡ଼ାଣି ରହିଛି, ଏହା କିଛି କମ୍ ସଫଳତା ନୁହେଁ, ଏ ଦେଶ ଆପଣମାନଙ୍କ ପାଇଁ ଗର୍ବ କରୁଛି, ସବୁକିଛି ଭଲ ଘଟୁ ଏହା ହିଁ ଆଶା କରାଯାଉ। ସମସ୍ତଙ୍କୁ ମୁଁ ଶୁଭେଚ୍ଛା ଜଣାଉଛି, ଆପଣମାନେ ସମସ୍ତେ ଏ ଦେଶ, ବିଜ୍ଞାନ ଓ ଜାତି ପାଇଁ ବଡ଼ ସେବା ଦେଇଛନ୍ତି, ମୁଁ ଆପଣମାନଙ୍କ ସହ ଅଛି, ସାହସର ସହ ଆଗକୁ ବଢ଼ନ୍ତୁ।