ବାରିପଦା, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ । ନିଜ ସ୍ତ୍ରୀକୁ କାଠ ଫାଳିଆରେ ପିଟି ପିଟି ହତ୍ୟା କରିଛି ମଦ୍ୟପ ସ୍ବାମୀ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ମୋରଡ଼ା ଥାନା ଅନ୍ତର୍ଗତ ଗଡିଗାଁ ହାଣ୍ଡିଭଙ୍ଗା ଗ୍ରାମରେ । ସୂଚନା ଅନୁଯାୟୀ, ସୋମବାର ରାତିରେ କୌଣସି କାରଣବଶତଃ ସ୍ତ୍ରୀ ବୁଦୁଲୁ କଟୁଆଳର ସ୍ଵାମୀ ମଙ୍ଗଲୁ କଟୁଆଳ ସହିତ ବଚସା ହୋଇଥିଲା । ତେବେ ଉଭୟ ସ୍ବାମୀ ଓ ସ୍ତ୍ରୀ ମଧ୍ୟରେ ଝଗଡା ହେବା ପରେ ସ୍ବାମୀ ମଦ୍ୟପାନ କରି ସ୍ତ୍ରୀକୁ ଠେଙ୍ଗାରେ ପିଟି ପିଟି ଅତି ନୃଶଂସ ଭାବେ ହତ୍ୟା କରିଛି । ନିଜ ସ୍ତ୍ରୀକୁ ହତ୍ୟା କରିବା ପରେ ସ୍ବାମୀ ନିଜ ଘର ସମ୍ମୁଖରେ ଗାତ ଖୋଳି ପୋତିବା ପାଇଁ ଚେଷ୍ଟା କରୁଥୁଲା । ଘଟଣା ସମ୍ପର୍କରେ ଗ୍ରାମବାସୀ ଜାଣିବା ପରେ ମୋରଡ଼ା ପୋଲିସକୁ ଖବର ଦେଇଥିଲେ । ଖବର ପାଇ ମୋରଡ଼ା ପୋଲିସ ଘଟଣାସୁଳରେ ପହଞ୍ଚି ଶବ ଜବତ କରିବା ସହ ଅଭିଯୁକ୍ତି ସ୍ବାମୀକୁ ଗିରଫ କରିଥିବା ଜଣାପଡ଼ିଛି । ମଙ୍ଗଳବାର ସକାଳେ ଘଟଣାସ୍ଥଳରେ ମାଜିଷ୍ଟ୍ରେଟ ଭାବେ ମୋରଡ଼ା ତହସିଲଦାର, ମୋରଡ଼ା ପୋଲିସ ପହଞ୍ଚି ସାଇଣ୍ଟିଫିକ ଟିମ ଜରିଆରେ ତଦନ୍ତ କରିଛନ୍ତି । ଘର ନିକଟରେ ପଡିଥିବା ଏକ ଠେଙ୍ଗା ଓ ଲୁହା ପାଇପକୁ ପୋଲିସ ଜବତ କରିଥିବା ବେଳେ ଏ ସବୁ ହତ୍ୟାକାଣ୍ଡରେ ବ୍ୟବହୃତ ହୋଇଥିବା ଅନୁମାନ କରୁଛି ପୋଲିସ । ମୋରଡ଼ା ପୋଲିସ ଏ ସଂକ୍ରାନ୍ତରେ କେଶ ନମ୍ବର ୭/୨୧ ରେ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି ।