● ଦୁର୍ଘଟଣାରେ ଛଟପଟ ବାପ-ଝିଅଙ୍କୁ ନିଜ ଗାଡିରେ ପହଞ୍ଚାଇଲେ ହସପିଟାଲ୍
● ଜନସାଧାରଣ ଏପରି କାର୍ଯ୍ୟକୁ କଲେ ପ୍ରଶଂସା
ବାଲେଶ୍ଵର, କୃଷ୍ଣ କୁମାର ମହାନ୍ତିଙ୍କ ଠାରୁ – କେବେକେବେ କର୍ତ୍ତବ୍ୟବୋଧର କଡା ଶିକୁଳିରେ ବନ୍ଧା ପୋଲିସ ଅଫିସର୍ ବି ମୁକୁଳି ଆସନ୍ତି ନିଜ ଡ୍ୟୁଟିରୁ ଆଉ ମାନବିକପଣରେ ଲାଗି ପଡନ୍ତି କାହାର ସେବାରେ। ପୋଲିସ ସେବାକୁ ନେଇ ଜନସାଧାରଣଙ୍କ ଭିତରେ ବରାବର ରହିଆସିଛି ଏକ ଅହେତୁକ ଅସନ୍ତୋଷ। ତଥାପି ସେମାନଙ୍କର ବି ଯେ ହୃଦୟଟେ ଅଛି, ଏହାର ପ୍ରମାଣ ମିଳିଛି ଆଜିର ଏହି ଘଟଣାରୁ।
ବାଲେଶ୍ଵରର ଏସ୍.ପି. ବି. ଯୁଗଳ କିଶୋର କୁମାର। ଆଜି ଯାଉଥିଲେ ଡ୍ୟୁଟିରେ ବାଲେଶ୍ଵର ଜିଲ୍ଲାର ଔପଦା ବ୍ଲକ୍। ବାଟରେ ଦେଖିଲେ ସଡକ ଦୁର୍ଘଟଣାରେ ଗୁରୁତର ଆହତ ବାପ-ଝିଅଙ୍କୁ। ନିଜ ଗାଡିକୁ ଅଟକାଇଲେ। ବାପଝିଅ ଦୁହିଁଙ୍କୁ ଗାଡିରେ ଉଠେଇ ସୋର କମ୍ୟୁନିଟି ହେଲଥ ସେଣ୍ଟରରେ ପହଞ୍ଚାଇଲେ ତୁରନ୍ତ। ପଛରେ ରହିଗଲା କର୍ତ୍ତବ୍ୟବୋଧ। ମାନବୀୟତାର ହେଲା ବିଜୟ। ଏହାକୁ ନେଇ ସହର ଶତମୁଖ।
ଔପଦାକୁ ଏକ ଜନଶୁଣାଣୀ କାର୍ଯ୍ୟରେ ପୋଲିସ ଅଧିକାରୀଙ୍କ ସହ ନିଜେ ଆରକ୍ଷୀ ଅଧୀକ୍ଷକ ଯାଉଥିବା ସମୟରେ ଦୁର୍ଘଟଣା ଗ୍ରସ୍ତ ଜନୈକ ସୋର ଥାନା ଅନ୍ତର୍ଗତ ଅଚ୍ୟୁତିପୁର ଗ୍ରାମର କୈଳାସ ଚନ୍ଦ୍ର ସାହୁ ଓ ତାଙ୍କ ଝିଅକୁ ଗୁରୁତର ଅବସ୍ଥାରେ ଜାତୀୟ ରାଜପଥ-୧୬ରେ ପଡିଥିବାର ଦେଖିଥିଲେ। ସଙ୍ଗେ ସଙ୍ଗେ ଏସ୍.ପି. ସାହାଯ୍ୟର ହାତ ବଢାଇଥିଲେ ଓ ନିଜ ଗାଡିରେ ସୋର ସ୍ଵାସ୍ଥ୍ୟ କେନ୍ଦ୍ରକୁ ନେଇଯାଇ ଉଭୟଙ୍କ ପାଇଁ ଚିକିତ୍ସାର ବ୍ୟବସ୍ଥା କରିଥିଲେ।