
କେନ୍ଦୁଝର ଜିଲ୍ଲାର ଝୁମ୍ପୁରା ବ୍ଳକ ଅନ୍ତର୍ଗତ ମଲଦା ଗ୍ରାମପଂଚାୟତର ପଟୁଆକୁଦର ସହିତ ବସନ୍ତପୁର ଗ୍ରାମ ପଂଚାୟତକୁ ସଂଯୋଗ କରିବା ଲକ୍ଷ୍ୟରେ ବୈତରଣୀ ନଦୀ ଉପରେ ଆରମ୍ଭ କରାଯାଇଥିଲା ବିଜୁସେତୁ ଯୋଜନା । କିନ୍ତୁ ଏବେ ସେହି ବିଜୁସେତୁ ଯୋଜନା ହୋଇ ପଡିଛି ଦିଗହରା । ୨ ବର୍ଷରୁ ଉର୍ଦ୍ଧ ସମୟ ହେଲା ଅଧପନ୍ତରିଆ ହୋଇ ପଡି ରହିଛି ଏହି ବିଜୁସେତୁ ପ୍ରକଳ୍ପ । ଏପରି କି ସେତୁ ନିର୍ମାଣ କାମ କରୁଥିବା ଠିକାଦାର ମଧ୍ୟ ଇତି ମଧ୍ୟରେ ନିଜର ସମସ୍ତ ମେସିନ ସହିତ କାମରେ ନିୟୋଜିତ କରିଥିବା କର୍ମଚାରୀ, ଶ୍ରମିକ ମାନଙ୍କୁ ସେଠାରୁ ହଟାଇ ନେଇଛି ।
ପ୍ରକାଶ ଯେ, ବୈତରଣୀ ନଦୀ ଉପରେ ଏହି ବିଜୁସେତୁ ର ନିର୍ମାଣ ସଂପୁର୍ଣ୍ଣ ହେଲେ ଜଙ୍ଗଲାଚଂଳରେ ରହିଥିବା ମଲଦା, ବସନ୍ତପୁର ଆଦି ଗ୍ରାମ ପଂଚାୟତ ଅଧିବାସୀ ମାନଙ୍କ ଯାତାୟତ ର ବାଟ ଫିଟିବା ସହିତ ନିକଟସ୍ଥ ବାଂଶପାଳ ବ୍ଲକର ଫୁଲଝର ଗ୍ରାମ ପଂଚାୟତବାସୀ ମଧ୍ୟ ଉକ୍ତ ସେତୁ ଦ୍ୱାରା ଉପକୃତ ହେବେ । ଯେଉଁଥିପାଇିଂ ଏଠାରେ ସେତୁ ନିର୍ମାଣ ଜରୁରୀ ହୋଇ ପଡିଥିବା ବେଳେ ସରକାର ମଧ୍ୟ ଆବଶ୍ୟକତା ର ଗୁରୁତ୍ୱ କୁ ଦୃଷ୍ଟିରେ ରଖି ବିଜୁ ସେତୁ ଯୋଜନାର ଶୁଭାରମ୍ଭ କରିଥିଲେ । ଏହି ବିଜୁସେତୁ ଯୋଜନା ହେବା ଜାଣି ଉକ୍ତ ଅଂଚଳବାସୀଙ୍କ ମନରେ ଉତ୍ସାହ ଭରିଯାଇଥିଲା । ବିଜୁସେତୁ ଯୋଜନା ପାଇଁ ୯କୋଟି ୧୧ଲକ୍ଷରୁ ଉର୍ଦ୍ଧ ଟଙ୍କାର ବ୍ୟୟ ଅଟକଳ କରାଯାଇ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ଟେଣ୍ଡର କରାଯାଇ ବୈତରଣୀ ନଦୀ ଉପରେ ସେତୁ କାର୍ଯ୍ୟ ଆରମ୍ଭ ହେଲା । ସୂଚନା ଫଳକର ତଥ୍ୟନୁଶାରେ କାର୍ଯ୍ୟ ଆରମ୍ଭ ସମୟ ୨୦୧୬ ଏପ୍ରିଲ ମାସ ୫ ତାରିଖ ରହିଥିବା ବେଳେ କାର୍ଯ୍ୟ ଶେଷ ୨୦୧୮ ଏପ୍ରିଲ ମାସ ୪ ତାରିଖ ରହିଥିଲା । କିନ୍ତୁ ଏବେ ଶେଷ ହେବା ତାରିଖରୁ ଦୁଇ ବର୍ଷରୁ ଉର୍ଦ୍ଧ ସମୟ ବିତି ଯାଇଥିଲେ ମଧ୍ୟ ବିଜୁବାବୁଙ୍କ ନାମରେ ନାମିତ ଏହି ସେତୁ ଶେଷ ହେବାର ନାମ ଧରୁନାହିଁ । ଏହି ଘଟଣାରୁ ସରକାରଙ୍କ ଲୋକାଭିମୁଖୀ ଯୋଜନା ଗୁଡିକର ସୁଫଳ ଲୋକମାନଙ୍କ ନିକଟରେ ପହଚାଂଇବା ଦିଗରେ କେନ୍ଦୁଝର ଜିଲ୍ଲା ପ୍ରଶାସନ କେତେଦୂର ଆ ଗ୍ରହୀ ତାହା ଏକ ପ୍ରକାର ସ୍ପଷ୍ଟ ହୋଇଛି କୁହାଯାଇ ପାରେ । ଜିଲ୍ଲାରେ ଏହା କେବଳ ଗୋଟିଏ ଘଟଣା ନୁହେଁ , ଏଭଳି ବହୁ ଘଟଣା ହୁଏତ କେନ୍ଦୁଝର ଭଳି ଜିଲ୍ଲାରେ ହିଁ ଦେଖିବାକୁ ମିଳିଥାଏ । ସରକାରଙ୍କ ଯୋଜନା ପ୍ରତି ଏତାଦୃଶ୍ୟ ପ୍ରଶାସନିକ ଅବହେଳା ଅନ୍ତରାଳେ ରାଜନୈତିକ ନେତୃତ୍ୱ ଙ୍କ ପରିବା ପଣିଆକୁ ମଧ୍ୟ ଏଡାଇ ଦିଆଯାଇ ପାରିବ ନାହିଁ । ଅନ୍ୟ ପକ୍ଷରେ ପୋଲ ନିର୍ମାଣ ହେଉଥିବା ସ୍ଥାନରେ ନଦୀ ଭିତରେ ବିପଦ ଶଙ୍କୁଳ ଡାଇଭରସନରେ ଯାତାୟତ ଯେପରି ଏକ ପ୍ରକାର ବାଧ୍ୟତାମୂଳକ ହୋଇଛି । ପାହାଡିଆ ଅଚଂଳ ହୋଇଥିବା ହେତୁ ବର୍ଷା ଦିନରେ ଜଙ୍ଗଲାଚଂଳର ପାଣି ନଦୀରେ ପଶିଲେ ଡାଇଭରସନ ଧୋଇ ହୋଇ ଯାଉଛି । ବିପଦ ଶଙ୍କୁଳ ଅବସ୍ଥାରେ ନଦୀ ପାଣିରେ ପଶି ଲୋକ ଯାତାୟତ କରୁଛନ୍ତି । ପାଟୁଆକୁଦର, ବସନ୍ତପୁର ଗ୍ରାମବାସୀ ପୋଲ ନିର୍ମାଣ ଶେଷ କରିବା ପାଇଁ ବାରମ୍ବାର ଗ୍ରାମ୍ୟ ଉନ୍ନୟନ ବିଭାଗ ନିକଟରେ ଦାବୀ ଜଣାଇ ଆସୁଛନ୍ତି । ହେଲେ କେବଳ ପ୍ରତିଶୃତି ମଧୟରେ କାମର ଅଗ୍ରଗତି ଅଟକି ରହିଛି । ଏ ସଂପର୍କରେ କେନ୍ଦୁଝରସ୍ଥିତ ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ବାହୀ ଯନ୍ତ୍ରୀ ବେଣୁଧର ଲେଙ୍କା ଙ୍କ କହିବା କଥା ହେଲା ଫରେଷ୍ଟ ସମସ୍ୟା ନେଇ କାମ ଅଟକି ଥିଲା ଏବଂ ସମ୍ପ୍ୃକ୍ତ ଠିକାଦାର ମଧ୍ୟ କାମରୁ ଓହରି ଯାଇଛି । ଠିକାଦାରଙ୍କୁ ନୋଟିସ କରାଯାଇଛି । ପୋଲ ନିର୍ମାଣ ସମ୍ପୂର୍ଣ୍ଣ ପାଇଁ ପଦକ୍ଷେପ ନିଆଯିବ । କିନ୍ତୁ ଫରେଷ୍ଟ ସମସ୍ୟା ଯଦି ଥିଲା ତେବେ ପ୍ରକଳ୍ପ ଆରମ୍ଭ ପୂର୍ବରୁ କାହିଁକ ତାର ସମାଧାନ କରା ନଗଲା । ଯେଉଁଠି ସମୟସୀମା ଶେଷର ଦୁଇ ବର୍ଷ ପରେ ମଧ୍ୟ ପ୍ରକଳ୍ପ ଶେଷ ହେବାର ନାମ ଧରୁନାହିଁ ସେଠାରେ ନିର୍ବାହୀ ଯନ୍ତ୍ରୀଙ୍କ କଥାକୁ କେତେଦୂର ବିଶ୍ୱାସକୁ ନିଆଯାଇପାରେ ତାହା ଉପରେ ପ୍ରଶ୍ନ ଉଠିବା ସ୍ୱଭାବିକ । କିନ୍ତୁ କିଏ ଦେବ ତାର ଉତର ?