-
ଏହାଦ୍ୱାରା ଗ୍ରାହକ ଅଧିକ ସୁବିଧା ପାଇବେ ଏବଂ ସେମାନଙ୍କର କ୍ଲେମ ପରିଶୋଧ କାର୍ଯ୍ୟ ସହଜ ଓ ଶୀଘ୍ର ହୋଇପାରିବ
-
ଡିଜିଟାଲ ପଲିସି ଦ୍ୱାରା ବିବାଦ ଏବଂ ଠକେଇ କମିବ
ନିର୍ଦେଶାବଳୀରେ ଆହୁରି କୁହାଯାଇଛି ଯେ ବୀମାକାରୀ ସେମାନଙ୍କର ପଲିସିଧାରୀମାନଙ୍କୁ ଡିଜିଲକର ବ୍ୟବହାର ସଂପର୍କରେ ସୂଚିତ କରାଇବାର ଆବଶ୍ୟକତା ରହିଛି । ଆହୁରି ମଧ୍ୟ ଏହି ବୀମା ପଲିସିଗୁଡିକ କିପରି ଡିଜିଲକରରେ ସ୍ଥାନିତ ହୋଇପାରିବ ସେ ପ୍ରକ୍ରିୟା ମଧ୍ୟ ପଲିସିଧାରୀଙ୍କୁ ବୀମା କଂପାନୀ କର୍ତ୍ତୃପକ୍ଷ ଅବଗତ କରାଇବାର ଜରୁରୀ । ଜାତୀୟ ଇ-ସରକାର ବିଭାଗ ଏବେ ଥିବା ଡିଜିଲକର ଟିମ କେନ୍ଦ୍ର ଇଲେକଟ୍ରୋନିକ୍ସ ଓ ଆଇଟି ମନ୍ତ୍ରଣାଳୟ ଅଧୀନରେ କାର୍ଯ୍ୟ କରୁଛି । ବୀମା କ୍ଷେତ୍ରରେ ଡିଜିଲକର ପ୍ରବର୍ତ୍ତନ ପାଇଁ ଡିଜିଲକର ଟିମ ଆବଶ୍ୟକ ସୁବିଧା ସୁଯୋଗ ଓ ଟେକନୋଲଜି ସହାୟତା ଯୋଗାଇବ । ଡିଜିଲକର ଡିଜିଟାଲ ଇଣ୍ଡିଆର ଏକ ଅଂଶବିଶେଷ । ଏହି ବ୍ୟବସ୍ଥାରେ ପ୍ରକୃତ ବୀମାଧାରୀ ନିଜର ବୀମା ସଂକ୍ରାନ୍ତ ଅସଲି କାଗଜପତ୍ର, ସାର୍ଟିଫିକେଟ ଓ ଦସ୍ତାବିଜ ଆଦିର ଡିଜିଟାଲ ପ୍ରତିରୂପ ପାଇପାରିବେ । ଏହାର ପ୍ରବର୍ତ୍ତନ ଫଳରେ କାଗଜପତ୍ର ବା ନଥିଜନିତ ବୀମା ପଲିସି ଆଦିର ଆବଶ୍ୟକତା ରହିବ ନାହିଁ । ଡିଜିଟାଲ ବ୍ୟବସ୍ଥା ପ୍ରଚଳନ ହେବା ଫଳରେ ଏ କ୍ଷେତ୍ରରେ ସେବା ପ୍ରଦାନ ସଫଳ ଓ ତ୍ୱରିତ ହେବ ଏବଂ ଲୋକମାନେ ବିନା ଝମେଲାରେ ସହଜରେ ତତ୍କାଳ ସେବା ପାଇପାରିବେ ।
ବୀମା କ୍ଷେତ୍ରରେ ଏହାର ପ୍ରବର୍ତ୍ତନ ଦ୍ୱାରା ଖର୍ଚ୍ଚ ହ୍ରାସ ପାଇବ । ବୀମା ପଲିସିର କପି ନ ମିଳିବା ଜନିତ ଅଭିଯୋଗ କମିବ । ଏହା ସେବା ଯୋଗାଣ ପ୍ରକ୍ରିୟାକୁ ତ୍ୱରିତ କରିବା ସହିତ କ୍ଲେମ ଫଇସଲା କରିବାରେ ବିଶେଷ ସହାୟକ ହେବ । ଏହା ଡିଜିଟାଲ ଇନସ୍ୟୁରାନ୍ସ ପେପର ଦ୍ୱାରା ଠକେଇ, ବିବାଦ ଓ ଅନ୍ୟାନ୍ୟ ତ୍ରୁଟିର ସମ୍ଭାବନା ପ୍ରାୟତଃ ରହିବ ନାହିଁ । ପଲିସିଧାରୀଙ୍କ ସହ ତତ୍କାଳ ଓ ତ୍ୱରିତ ସଂଯୋଗ ସ୍ଥାପନ ହୋଇପାରିବ । ସର୍ବୋପରି ଏହାଦ୍ୱାରା ଉପଭୋକ୍ତାଙ୍କୁ ଉତ୍ତମ ସେବା ଓ ସୁବିଧା ସୁଯୋଗ ଯୋଗାଇ ଦେଇହେବ ।
ଇଲେକଟ୍ରୋନିକ୍ସ ଓ ଆଇଟି ରାଷ୍ଟ୍ରମନ୍ତ୍ରୀ ଶ୍ରୀ ସଂଜୟ ଧୋତ୍ରେ ଡିଜିଟାଲ ବୀମା ପଲିସି ସୁବିଧା ନାଗରିକଙ୍କୁ ଯୋଗାଇ ଦେବାକୁ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଅନୁରାଗ ଠାକୁରଙ୍କୁ ଏକ ପତ୍ର ଲେଖିବା ପରେ ଆଇଆରଡିଏଆଇ ପକ୍ଷରୁ ଏହି ଡିଜିଲକର ଆକାଉଣ୍ଟସ ସୁବିଧା ଯୋଗାଣ ପ୍ରକ୍ରିୟା ଆରମ୍ଭ କରାଯାଇଥିଲା । ଆଇଆରଡିଏଆଇ ଏହି ମର୍ମରେ ସବୁ ବୀମା କଂପାନୀଙ୍କୁ ଚିଠି ଲେଖି ବୀମାଧାରୀଙ୍କୁ ଡିଜିଲକର ଆକାଉଣ୍ଟ ଓ ପଲିସି ଯୋଗାଇ ଦେବାକୁ ପରାମର୍ଶ ଦେଇଛି ।