ଭୁବନେଶ୍ୱର ,ଏକାମ୍ରକ୍ଷେତ୍ରର ୨ଟି ମନ୍ଦିର ଉପରୁ ବାଇ ଲ’ ପ୍ରତ୍ୟାହାର କରାଯିବାକୁ ନେଇ ବିଜେଡି ସାଂସଦ ମାନେ ଶନିବାର ଦିନ ନୂଆଦିଲ୍ଲୀ ଠାରେ କେନ୍ଦ୍ର ମନ୍ତ୍ରୀ ପ୍ରହଲାଦ ଜୋଶୀଙ୍କୁ ଭେଟିଥିବା ଜଣା ପଡିଛି । ଏହି ସାଂସଦମାନେ ଶ୍ରୀ ଜୋଶୀଙ୍କ ସହ ଆଲୋଚନା ବେଳେ ଏହି ପ୍ରସ୍ତାବିତ ବାଇ ଲ କୁ ପ୍ରତ୍ୟାହାର କରିବାକୁ ଦାବି କରିଥିଲେ । ଉଲ୍ଲେଖନୀୟ ଯେ ଶୁକ୍ରବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକାମ୍ରକ୍ଷେତ୍ରର ୨ ଟି ମନ୍ଦିର ଉପରୁ ତୁରନ୍ତ ଜାତୀୟ ସ୍ମାରକୀ ପ୍ରାଧିକରଣ (ଏନଏମଏ)ର ଡ୍ରାଫ୍ଟ ବାଇ ଲ’ ପ୍ରତ୍ୟାହାର କରିବାକୁ ଦାବି କରିଥିଲେ । ଏଥିସହ ଏହି ପ୍ରସଙ୍ଗକୁ ଓଡିଶାର ସାଂସଦମାନେ କେନ୍ଦ୍ର ସରକାରଙ୍କ ଆଗରେ ଉତଥାପନ କରିବାକୁ ମୁଖ୍ୟମନ୍ତ୍ରୀ ଅପିଲ୍ କରିଥିଲେ । ଶୁକ୍ରବାର ଦିନ ମୁଖ୍ୟମନ୍ତ୍ରୀ ଟୁଇଟ୍ କରି କହିଥିଲେ ଯେ ଏକାମ୍ରକ୍ଷେତ୍ରର ଅନନ୍ତ ବାସୁଦେବ ମନ୍ଦିର ଓ ବ୍ରହ୍ମେଶ୍ୱର ମନ୍ଦିର ପାଇଁ ଜାରି ହୋଇଥିବା ଏନଏମଏର ପ୍ରସ୍ତାବିତ ବାଇ ଲ’ କୁ କେନ୍ଦ୍ର ସରକାର ତୁରନ୍ତ ପ୍ରତ୍ୟାହାର କରନ୍ତୁ । ତାଙ୍କର ଅପିଲ ପରେ ଆଜି ବିଜେଡି ସାଂସଦ ମାନେ ଏହି ଦାବି ନେଇ କେନ୍ଦ୍ର ମନ୍ତ୍ରୀ ପ୍ରହଲାଦ ଜୋଶୀଙ୍କୁ ଭେଟିଛନ୍ତି ।