ବେଙ୍ଗାଲୁରୁ: ଚନ୍ଦ୍ରପୃଷ୍ଠରେ ଚନ୍ଦ୍ରଯାନ-୨ ଅବତରଣର ଶେଷ ମୁହୁର୍ତ୍ତରେ ହିଁ ଇସ୍ରୋ ସହ ଲ୍ୟାଣ୍ଡର ବିକ୍ରମର ସମ୍ପର୍କ ଛିନ୍ନ ହୋଇଛି। ଇସ୍ରୋ ଅଧ୍ୟକ୍ଷ କେ. ଶିବନଙ୍କ ସୂଚନା ଅନୁସାରେ ଚନ୍ଦ୍ର ପୃଷ୍ଠରୁ ୨.୧ କିଲୋମିଟର ଦୂରତା ଯାଏ ଲ୍ୟାଣ୍ଡର ସ୍ୱାଭାବିକ ଭାବେ କାର୍ଯ୍ୟ କରିଥିଲା। ତା’ ପରେ ଲ୍ୟାଣ୍ଡର ପାଖରୁ ଇସ୍ରୋ କଣ୍ଟ୍ରୋଲ ରୁମ୍କୁ କୌଣସି ସୂଚନା ମିଳିନଥିଲା। ଫଳରେ ବୈଜ୍ଞାନିକମାନେ ସାରାରାତି ତଥ୍ୟ ପାଇବା ପାଇଁ ଅପେକ୍ଷା କରିଥିଲେ।
ସଫ୍ଟ ଲ୍ୟାଣ୍ଡିଂର ଶେଷ ସମୟରେ ହିଁ ଇସ୍ରୋ ସହ ଲ୍ୟାଣ୍ଡର ବିକ୍ରମର ସମ୍ପର୍କ ଛିନ୍ନ ହୋଇଥିଲା। ଇସ୍ରୋ ମୁଖ୍ୟାଳୟରେ ଉପସ୍ଥିତ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଇସ୍ରୋ ଅଧ୍ୟକ୍ଷ ଏ ସମ୍ପର୍କରେ ସୂଚନା ଦେଇଥିଲେ। ଇସ୍ରୋ ସହ ଲ୍ୟାଣ୍ଡର ବିକ୍ରମର ଯୋଗାଯୋଗ ବିଚ୍ଛିନ୍ନ ହେବାପରେ ଇସ୍ରୋ ବୈଜ୍ଞାନିକମାନଙ୍କୁ ଆଶା ଓ ଆଶଙ୍କାରେ ଦେଖିବାକୁ ମିଳିଥିଲା। ଏହା ପରେ କିଛି ସମୟ ପାଇଁ ଇସ୍ରୋ ମୁଖ୍ୟାଳୟରେ ନିରାଶ ଖେଳି ଯାଇଥିଲା। ଏହା ଦେଖି ସାହସ ନ ହରାଇବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେମାନଙ୍କୁ ପରାମର୍ଶ ଦେଇଥିଲେ।