ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଗଠିତ କ୍ୟାବିନେଟ କମିଟିର ଅର୍ଥନୀତିକ ବ୍ୟାପାର ବିଭାଗ ସାର ବିଭାଗକୁ ୧୦୦କୋଟି ଟଙ୍କାର ଅନୁଦାନ ମଞ୍ଜୁର କରିଛନ୍ତି । ଏହି ଅର୍ଥ ଆସାମର ନାମରୂପରେ ଥିବା ବ୍ରହ୍ମପୁତ୍ର ଭ୍ୟାଲି ଫର୍ଟିଲାଇଜର୍ସ କର୍ପୋରେସନ ଲିମିଟେଡକୁ ୟୁରିଆ ସାର ଉତ୍ପାଦନ ପାଇଁ ଦିଆଯିବ । ଭାରତ ସରକାରଙ୍କ ସାର ବିଭାଗର ପ୍ରଶାସନିକ ନିୟନ୍ତ୍ରଣରେ ଥିବା ବ୍ରହ୍ମପୁତ୍ର ଭ୍ୟାଲି ଫର୍ଟିଲାଇଜର କର୍ପୋରେସନ ଲିମିଟେଡ ଏକ ପବ୍ଲିକ ଅଣ୍ଡରଟେକିଂ ସଂସ୍ଥା । ଆସାମର ନାମରୂପ ଠାରେ ଥିବା ଏହି କର୍ପୋରେସନର ପରିସର ମଧ୍ୟରେ ନାମରୂପ-୨, ନାମରୂପ -୩ ଭାବରେ ଦୁଇଟି ପୁରୁଣା ପ୍ଳାଂଟ ଚାଲିଛି । ଏହା ଦେଶର ପ୍ରଥମ ଗ୍ୟାସଭିତିକ ୟୁରିଆ ଉତ୍ପାଦନ କରୁଥିବା କାରଖାନା । ସାର ଉତ୍ପାଦନ କ୍ଷେତ୍ରରେ ଏହାର ସମସ୍ତ ପ୍ରକାରର ଉପକରଣ ଏବଂ ଭିତିଭୂମି ମଧ୍ୟ ରହିଛି । କିନ୍ତୁ ବର୍ତମାନର ପ୍ଲାଂଟଗୁଡିକରୁ କମ୍ ଖର୍ଚ୍ଚରେ ଉତ୍ପାଦନ କରିବା କଷ୍ଟକର ହୋଇପଡୁଛି । କାରଣ ଏ କ୍ଷେତ୍ରରେ ଥିବା ବୈଷୟିକ କୌଶଳ ପୁରୁଣା ଏବଂ ଘସରା ହୋଇଗଲାଣି । ପ୍ଳାଂଟରୁ କମ୍ ଖର୍ଚ୍ଚରେ ନିରାପଦ ଏବଂ ଦୀର୍ଘକାଳୀନ ଭିତିରେ ଉତ୍ପାଦନ ପାଇଁ କେତେକ ଯନ୍ତ୍ରାଂଶରେ ମରାମତି ଏବଂ କେତେକକୁ ବଦଳାଇବା ଆବଶ୍ୟକ ପଡୁଛି । କେତେକ ଯନ୍ତ୍ରାଂଶ ଓ ବୈଦ୍ୟୁତିକ ଉପକରଣର ମରାମତି ଜରୁରୀ ହୋଇପଡିଛି । ଏହା ବିନା କାରଖାନାକୁ ସୁରୁଖୁରୁରେ ଚଳାଇବା କଷ୍ଟକର ହୋଇପଡିଛି । ଏଥିପାଇଁ ଆବଶ୍ୟକ ପଡୁଥିବା ୧୦୦ କୋଟି ଟଙ୍କା ଅନୁଦାନ ଭାବରେ ସରକାର ଯୋଗାଇ ଦେଇଛନ୍ତି ।
ଦେଶର ଉତରପୂର୍ବାଂଚଳରେ ଥିବା ଏହି କାରଖାନା ଏହି ଅଂଚଳର ଆର୍ôଥକ ସମୃଦ୍ଧି କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ । ଆଧୁନିକୀକରଣ ପରେ ଏଠାରୁ ଉତ୍ପାଦିତ ୟୁରିଆ ବିଶେଷଭାବେ ଆସାମର ଚାହା ଏବଂ କୃଷି କ୍ଷେତ୍ରକୁ ସମୃଦ୍ଧ କରିବ । ଏହି ଅନୁଦାନର ବିନିଯୋଗରେ କାରଖାନାର ଉନ୍ନତିକରଣ ପରେ ଏଠାରୁ ବାର୍ଷିକ ୩.୯୦ଲକ୍ଷ ମେଟ୍ରିକ ଟନ୍ ୟୁରିଆ ଉତ୍ପାଦନ ହେବ । ଏହି କାରଖାନାରେ ବର୍ତମାନ ପ୍ରାୟ ୫୮୦ ସ୍ଥାୟୀ କର୍ମଚାରୀ ଏବଂ ଦେଢହଜାର ଅସ୍ଥାୟୀ କର୍ମଚାରୀ ନିଯୁକ୍ତି ପାଇଛନ୍ତି । ଏଥିସହିତ ପ୍ରାୟ ୨୮ହଜାର ଲୋକ ପରୋକ୍ଷଭାବରେ ଏହି କାରଖାନାର ଲାଭ ପାଉଛନ୍ତି । ‘ଆତ୍ମନିର୍ଭର ଭାରତ’ ଅଭିଯାନକୁ ଏହି କ୍ଷେତ୍ର ସୁଦୃଢ କରୁଛି ।