ପଟ୍ଟାମୁଣ୍ଡାଇ, ବାଟ ହୁଡ଼ୁଛି ସରକାରୀ ଯୋଜନା । ଗରୀବଙ୍କ ପାଇଁ ହେଉଛି ମାଳ ମାଳ ଯୋଜନା ।ଭିନ୍ନକ୍ଷମଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ କେନ୍ଦ୍ର ସରକାରଙ୍କ ଠାରୁ ଆରମ୍ଭ କରି ରାଜ୍ୟ ସରକାର ଯୋଜନା ପରେ ଯୋଜନା କରିଚାଲିଛନ୍ତି । ହେଲେ ଯୋଜନାର ସଫଳତା ପହଂଚି ପାରୁନି ବାସ୍ତବ ହିତାଧିକାରୀଙ୍କ ନିକଟରେ । କିଛି ଦାୟିତ୍ୱହୀନ ଅଧିକାରୀଙ୍କ ପାଇଁ ଭିନ୍ନକ୍ଷମ ମାନେ ଆଜି ବି ସରକାରୀ ସହାୟତାରୁ ବଞ୍ଚିତ ହୋଇ ରହିଛନ୍ତି । ଏପରିକି ଏକ ଉଦାହରଣ ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଚନ୍ଦନନଗର ପଞ୍ଚାୟତ ହରନବାବି ଗାଁରେ । ହରନବାବି ଗ୍ରାମର ଧୂଶାସନ ପାତ୍ରଙ୍କ ପୁଅ ରାମହରି ପାତ୍ର (୩୦) ଜନ୍ମରୁ ଭିନ୍ନକ୍ଷମ । ଭିନ୍ନକ୍ଷମ ପ୍ରମାଣପତ୍ର ପାଇଥିଲେ ସୁଦ୍ଧା ଏଯାବତ୍ ଭତ୍ତା ଛଡା ଅନ୍ୟ କୌଣସି ସରକାରୀ ସହାୟତା ପାଇପାରୁନାହାନ୍ତି ସେ । ସେହିପରି ବାତ୍ୟାରେ ଘର ଭାଙ୍ଗିବା ସହ ଘର ଭିତରେ ଆଣ୍ଠୁଏ ଲେଖାଏଁ ପାଣି ଜମିଥିଲା । ଜଣେ ଭିନ୍ନକ୍ଷମ ହୋଇ ମଧ୍ୟ ବିପଦସଂକୁଳ ଭଙ୍ଗା କୁଡିଆରେ ରହୁଛନ୍ତି । ଶତକଡା ୭୦ ଭାଗରୁ ଅଧିକ ଭିନ୍ନକ୍ଷମ ଥିବା ରାମହରି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘରଖଣ୍ଡେ ପାଇଁ ବାରମ୍ବାର ଦରଖାସ୍ତ କରୁଥିଲେ ମଧ୍ୟ ଆଇନକୁ ଉପେକ୍ଷା କରି ସ୍ଥାନୀୟ ସରପଞ୍ଚ ଓ ବିଡିଓ ସରକାରୀ ନିୟମକୁ ଟାଳଟୁଳ କରି ଚାଲିଛନ୍ତି । ଏନେଇ ରାମହରି କେନ୍ଦ୍ରାପଡା ଜିଲ୍ଲାପାଳ ଅମ୍ରିତ୍ ଋତୁରାଜଙ୍କୁ ଭେଟି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଯୋଗାଇ ଦେବାକୁ ଦାବି କରିଛନ୍ତି ।
ପଟ୍ଟାମୁଣ୍ଡାଇ ବିଡିଓ ଭରତ ଚନ୍ଦ୍ର ପରିଡାଙ୍କୁ ଭେଟିବା ପରେ ସେ ରାମହରିଙ୍କୁ ଏକ ଟ୍ରାଇ ସାଇକେଲ ପ୍ରଦାନ ସହିତ ଖୁବ ଶୀଘ୍ର ତାଙ୍କୁ ଆବାସ ଯୋଜନାରେ ଘର ଦେବାକୁ କହିଛନ୍ତି । ଭିନ୍ନକ୍ଷମ ରାମହାରୀଙ୍କ ବାପା ଧୂଶାସନ ଜଣେ ଦିନ ମଜୁରିଆ ଭାବେ କାମ କରି ପରିବାର ପୋଷଣ କରନ୍ତି । ତାଙ୍କୁ ଆବାସ ଯୋଜନାରେ ଘର ଖଣ୍ଡେ ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି ।