
ବାରିପଦା, ଦୁଇ ଦିନେ ପୂର୍ବେ ଏକ ହରିଣ ଶିମିଳିପାଳ ଜଙ୍ଗଲରୁ ଏହାର ପାଦ ଦେଶରେ ଥିବା ଜନବସତି ଅଂଚଳକୁ ଖାଦ୍ୟ ଅନ୍ୱେଷଣରେ ଚାଲି ଆସିଥିଲା । ସେନେଇ ବନ ବିଭାଗ ନିକଟରେ ସୂଚନା ରହିଥିଲେ ସୁଦ୍ଧା ହରିଣଟିକୁ ଉଦ୍ଧାର କରିବା ନେଇ ବନ ବିଭାଗ କୌଣସି ପଦକ୍ଷେପ ନେଇନଥିଲା । ଆଜି ଏହି ହରିଣଟି ବାରିପଦା ସହରର ୱାର୍ଡ଼ ନଂ ୨୧ ମୁର୍ଗାବାଡ଼ି ଅଂଚଳରେ ଜନୈକ ବ୍ୟକ୍ତିଙ୍କ ବାଡ଼ିରେ ବୁଲୁଥିବାର ଦେଖିବାକୁ ମିଳିଥିଲା । ହରିଣଟିର ମୁହଁରୁ ରକ୍ତସ୍ରାବ ହେଉଥିବା ଦେଖିବାକୁ ମିଳିଛି । ହରିଣଟିକୁ କୌଣସି କୁକୁର କାମୁଡ଼ି କ୍ଷତାକ୍ତ କରିଥିବା ସନ୍ଦେହ କରାଯାଉଛି । ଖବର ପାଇ ବନ ବିଭାଗ କର୍ମଚାରୀ ହରିଣଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ପାଇଁ ଘଟଣାସ୍ଥଳରେ ପହଂଚିଥିଲେ । ପ୍ରାୟ ୩ ଘଂଟାର କସରତ ପରେ ବନ ବିଭାଗ କର୍ମଚାରୀ ହରିଣଟିକୁ ସେଠାରୁ ଉଦ୍ଧାର କରିବାରେ ସଫଳ ହୋଇଛନ୍ତି । ହରିଣଟିକୁ ଚିକିତ୍ସା ନିମନ୍ତେ ନିଆଯାଇଛି ।