Related Stories
November 23, 2024
ମାଲକାନଗିରି,ବଦଳୁଛି ସମାଜ । ଧୀରେ ଧୀରେ ହଟୁଛି ଝିଅ-ପୁଅ ମଧ୍ୟରେ ବିଭେଦ । ସବୁ ରୀତିନୀତିକୁ ପଛ କରି ଝିଅମାନେ ଏବେ ଶ୍ମଶାନ ଯାଇ ମୁଖାଗ୍ନି ମଧ୍ୟ ଦେଉଛନ୍ତି । ଏଭଳି ଘଟଣା ମାଲକାନଗିରିରେ ଦେଖିବାକୁ ମିଳିଛି । ପୁଅ ନଥିବାରୁ ବାପାଙ୍କ ମର ଶରୀରକୁ କାନ୍ଧ ଦେବା ପରେ ମୁଖାଗ୍ନି ଦେଇଛନ୍ତି ବଡ ଝିଅ ସଂଯୁକ୍ତା । ପୁଅ ଜନ୍ମ ଦେଲେ ଶେଷ ସମୟରେ ମୁହଁରେ ପାଣି ବୁନ୍ଦାଏ ଦେବ, ମୁଖାଗ୍ନି ସହ ପ୍ରତିବର୍ଷ ପିଣ୍ଡଦାନ କରିବ । କାଳ କାଳ ଧରି ଏହି ପରମ୍ପରାକୁ ନେଇ ପୁଅଙ୍କ ଗୁରୁତ୍ବ ପ୍ରାୟ ସମସ୍ତେ ଉପଲବ୍ଧି କରନ୍ତି । କିନ୍ତୁ, ପରିବର୍ତ୍ତନଶୀଳ ସମାଜରେ ମାଲକାନଗିରିର ସଂଯୁକ୍ତା ପରିବର୍ତ୍ତନ ଆଣିଛନ୍ତି । ମାଲକାନଗିରି ଜିଲ୍ଲା ସଦର ମହକୁମା ସ୍ଥିତ ପ୍ରଧାନୀଗୁଡା ଗାଁର ସତ୍ୟନାରାୟଣ ନାୟକଙ୍କ ବଡ ଝିଅ ସଂଯୁକ୍ତା । ବାପା ଜଣେ ଅଟୋ ଚାଳକ । ଅଟୋ ଚଲାଇ ପରିବାର ପ୍ରତିପୋଷଣ କରୁଥିଲେ । ହେଲେ ଏକ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ଘଟିଥିଲା । ସତ୍ୟନାରାୟଣଙ୍କ କୌଣସି ପୁଅ ନଥିବାବେଳେ ପତ୍ନୀ ଓ ଚାରି ଝିଅ ଅଛନ୍ତି । ଯେଉଁମାନେ ଏଭଳି ଦୁଃଖ ସମୟରେ ଭାଙ୍ଗି ନ ପଡି ବାପାଙ୍କ ପୁଅ ପରି ଛିଡା ହୋଇରହିଛନ୍ତି । ଆଉ ଶେଷରେ ବଡ ଝିଅ ସଂଯୁକ୍ତା ବାପାଙ୍କ ମରଶରୀରକୁ କାନ୍ଧ ଦେବା ସହ ଶେଷକୃତ୍ୟ ସମ୍ପନ୍ନ କରିଛନ୍ତି । ପୁଅ ନୁହେଁ, ବଡ ଝିଅ ହାତରେ ବାପାଙ୍କ ଶେଷକୃତ୍ୟ ସମ୍ପନ୍ନ ସାଧାରଣତଃ ହିନ୍ଦୁ ରୀତିନୀତିରେ ଝିଅମାନେ ବାପାଙ୍କ ମୃତଦେହକୁ କାନ୍ଧ ଦେଇପାରିବେ ନାହିଁ । କିମ୍ବା ଶ୍ମଶାନକୁ ମଧ୍ୟ ଅନୁମତି ନାହିଁ । ହେଲେ ସଂଯୁକ୍ତାଙ୍କ ଏହି କାର୍ଯ୍ୟ ଲୋକଙ୍କୁ ଚକିତ କରିବା ସହ ସମସ୍ତଙ୍କ ମୁହଁରୁ ଆପେ ଆପେ ପ୍ରଶଂସା ବାହାରି ଯାଉଛି ।