ଖବରରୁ ଜଣାପଡିଛି ଯେ, ଥାନା ଗୁଡିକୁ ୧୦୦ ରୁ ୨୦୦ ଲିଟର ଡିଜେଲ ପୁଲିସ ମୁଖ୍ୟାଳୟରୁ ମାସିକ ହିସାବରେ ଦିଆଯାଇଥାଏ । ବଡ ଥାନା ଇଲାକାକୁ ୨୦୦ ଛୋଟ ଗୁଡିକୁ ପ୍ରାୟ ୧୦୦ଲିଟର ଡିଜେଲ କୁଆଡେ ମିଳିଥାଏ । ତେବେ ଥାନା ଗୁଡିକରେ ପୋଷ୍ଟିଂ ଥିବା ଥାନା ବାବୁ ଓ ବାବୁଆଣୀ ମାନେ ନିଜ ଘରୁ ଥାନାକୁ ଦିନକୁ ପ୍ରାୟ ୨ଥର ଯାତାୟତ କରିଥାନ୍ତି । ସମସ୍ତେ ପ୍ରାୟ ୧୦ ରୁ ୧୫ କିଲୋମିଟର ଓ ତାଠାରୁ ଅଧିକ ଦୂରରେ ରୁହନ୍ତି । ଏହି ହିସାବରେ ଯଦି ଥାନା ଗାଡି ଗୁଡିକ ଯାତାୟତ କଲା ତେବେ ପେଟ୍ରୋଲିଂ ଲାଗି ଡିଜେଲ ନିଅଂଟ ହେବା ସ୍ୱାଭାବିକ କଥା । ଅବଶ୍ୟ ପିସିଆର ଗାଡି ବୁଲୁଛି କିନ୍ତୁ ସେଗୁଡିକ ପ୍ରାୟ ମୁଖ୍ୟ ରାସ୍ତା ଛଡା କଲୋନୀ ଭିତର ଅଂଚଳକୁ ପଶନ୍ତି ନାହିଁ । ଏହାର ଫାଇଦା ନେଇ ଅପରାଧୀ ମାନେ ରାତି ୧୦ରୁ ରାତି ୩ ଭିତରେ ସହର ସମେତ ଆଖପାଖ ଅଂଚଳରେ ଅପରାଧ ମାନ ଘଟାଇ ଚାଲିଛିନ୍ତି । ନିକଟରେ ପୂର୍ବତନ ଏସପିଙ୍କ ଜିବା ସପ୍ତାହକ ପୂର୍ବରୁ ଏସଟିଆଇ ପୋଲ ତଥା ଏସଡିପିଓଙ୍କ ଅଫିସ ସମ୍ମୁଖ ସ୍ଥାନରେ ଜଣେ ସୁନା ଦୋକାନୀ କର୍ମଚାରୀଙ୍କୁ ଗୁଳିକରି ହତ୍ୟା କରାଜିବା, ଛେଣ୍ଡ ଅଂଚଳରେ ଜଣେ ବ୍ୟାଙ୍କ କର୍ମଚାରୀ ଘରେ ନଥିବା ବେଳେ ତାଙ୍କ ଘରେ କଳାକନା ବୁଲାଇବା ଭଳି ୪ରୁ ୫ଟି ଚୋରୀ ଓ ସହରର ଅନ୍ୟାନ୍ୟ ଥାନା ଗୁଡିକ ଅଂଚଳରେ ଘଟୁଥିବା ଅପରାଧ ସାଙ୍ଗକୁ ଚୋରୀ ଡକାୟତି ତାର ଜ୍ୱଳନ୍ତ ଉଦାହରଣ ବୋଲି କୁହାଯାଇପାରେ । ଏହି ଅପରାଧ ଗୁଡିକରେ ଏଯାଏ ଆସାମୀ ମାନଙ୍କୁ ମଧ୍ୟ ଗିରଫ କରାଯାଇପାରିନାହିଁ । ସେହିଭଳି କିଛି ଦିନ ତଳେ ଗୁରଣ୍ଡିଆ ଅଂଚଳ ରାସ୍ତାରୁ ଜଣେ ଯୁବତୀଙ୍କୁ ଉଠାଇ ଆଣି ଛେଣ୍ଡ ଥାନା ଇଲାକାର ବିମାନ କ୍ଷେତ୍ର ପଡିଆକୁ ନିରାପଦ ଭାବି ଝିଅଟିକୁ ରାତି ସାରା ବଳାତ୍କାର କରାଜିବା କଥା ଆଜିବି ଲୋକଙ୍କ ମନରୁ ଲିଭି ନାହିଁ । ନିକଟରେ ବଣେଇ ଅଂଚଳରେ ଥିବା ବଜାରରୁ ସିରିଜ ଚୋରୀ ମଧ୍ୟ ଅନ୍ୟ ଏକ ଉଦାହରଣ । ଆହୁରୀ ଅଧିକ ଅପରାଧ ପୁଲିସ ରେଜିଷ୍ଟାରରେ ନିଶ୍ଚୟ ରହିଥିବ ।
କୁହାଯାଉଛିି ଯେ,ପଡୋଶୀ ରାଜ୍ୟରୁ ଆସି ଅପେରାଧୀ ମାନେ ଚୋରୀ, ଡକାୟତି କରି ଫେରାର ହୋଇଯାଉଥିବା ବେଳେ ସ୍ଥାନୀୟ କିଛି ଯୁବକ ମଧ୍ୟ ସେମାନଙ୍କୁ ସହଯୋଗ କରୁଥିବା ନେଇ ବିଭିନ୍ନ ମାମଲାରୁ ଜଣାପଡିଥାଏ ।
ନୂଆ ଏସପି ଆସିବା ପରେ ବିଭିନ୍ନ ଛକରେ ଅବଶ୍ୟ ସଂଧ୍ୟା ସମୟରେ ପୁଲିସ ଠିଆ ହେଉଥିବା ଦେଖା ଯାଉଥିଲା, ହେଲେ ଯେମିତି ୧୦ ରୁ ୧୫ ଦିନ ଗଲା ତାପରେ ପୁଣି ସେହି ସମାନ ଅବସ୍ଥା । ଏସବୁକୁ ଯାଂଚ୍ କରିବା ଲାଗି ନିଶ୍ଚୟ ଅଧିକାରୀ ମାନେ ରହିଛନ୍ତି, କିନ୍ତୁ ତଥାପି କୌଣସି ସୁଫଳ ମିଳୁ ନାହିଁ । ରାଉରକେଲା ଏସପି ଏନେଇ ପଦକ୍ଷେପ ନେବା ଲାଗି ଦାବି ହେଉଛି ।