ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଚୌରୀଚୌରା ଶହୀଦମାନଙ୍କୁ ନେଇ ଯେତିକି ଆଲୋଚନା ପର୍ଯ୍ୟାଲୋଚନା ହେବା କଥା ତାହା ହୋଇପାରିନାହିଁ । ଚୌରୀଚୌରା ଥିଲା ଜନସାଧାରଣଙ୍କ ଏକ ସ୍ୱତଃପ୍ରବୃତ୍ତ ଲଢେଇ । ଏପରିକି ସଂଗ୍ରାମର ବିପ୍ଳବୀମାନଙ୍କୁ ଇତିହାସର ପୃଷ୍ଠାରେ ସ୍ଥାନ ଦିଆଯାଇ ନଥିଲେ ମଧ୍ୟ ଦେଶର ମାଟି ସେମାନଙ୍କ ରକ୍ତରେ ରଞ୍ଜିତ ହୋଇଛି ବୋଲି ପ୍ରଧାନମନ୍ତ୍ରୀ ଦୃଢୋକ୍ତି ପ୍ରକାଶ କରିଛନ୍ତି ।
ସ୍ୱାଧୀନତା ସଂଗ୍ରାମରେ 19ଜଣ ସଂଗ୍ରାମୀଙ୍କୁ ଗୋଟିଏ କାରଣ ପାଇଁ ଫାଶୀ ଦିଆଯାଇଥିଲା ଯାହାର କୌଣସି ବର୍ଣ୍ଣନା କ୍ୱଚିତ ଦେଖିବାକୁ ମିଳିଥାଏ । ଫାଶୀଖୁଣ୍ଟରେ ଝୁଲିବାକୁ ଥିବା 150ଜଣଙ୍କ ଜୀବନ ବଞ୍ଚାଇ ବାବା ରାଘବ ଦାସ ଓ ପଣ୍ଡିତ ମଦନମୋହନଙ୍କ ଅବଦାନକୁ ଶ୍ରୀ ମୋଦି ସ୍ମରଣ କରିଥିଲେ ।
ସ୍ୱାଧୀନତା ସଂଗ୍ରାମର ସୁଦୀର୍ଘ ସଂଗ୍ରାମ ସହିତ ସଂଶ୍ଳିଷ୍ଟ, କମ୍ ଲୋକଲୋଚନକୁ ଆସିଥିବା ସଂଗ୍ରାମୀମାନଙ୍କ ଜୀବନୀକୁ ଜନାଦୃତ କରିବା ପାଇଁ ଯୁବଗୋଷ୍ଠୀ ଓ ବିଦ୍ୟାର୍ଥୀମାନଙ୍କୁ ସାମିଲ କରାଯାଇଥିବା ନେଇ ପ୍ରଧାନମନ୍ତ୍ରୀ ଖୁସି ବ୍ୟକ୍ତ କରିଥିଲେ । ଶିକ୍ଷା ମନ୍ତ୍ରଣାଳୟ ଏଥିପାଇଁ ଯୁବ ଲେଖକମାନଙ୍କୁ ସ୍ୱାଧୀନତା ସଂଗ୍ରାମୀ ଉପରେ ବହି ଲେଖିବା ପାଇଁ ଆମନ୍ତ୍ରଣ ଜଣାଇଛନ୍ତି ।
ଚୌରୀଚୌରାର ଶତବାର୍ଷିକୀ ସମାରୋହକୁ ସ୍ଥାନୀୟ କଳା, ସଂସ୍କୃତିକୁ ଆତ୍ମନିର୍ଭର ଭାରତ ସହ ଯୋଡାଯାଇଥିବାରୁ ଏହା ସ୍ୱାଧୀନତା ସଂଗ୍ରାମୀଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧା ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଏହି ସମାରୋହ ଆୟୋଜନ କରୁଥିବାରୁ ଶ୍ରୀ ମୋଦି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଓ ରାଜ୍ୟ ପ୍ରଶାସନର ମଧ୍ୟ ପ୍ରଶଂସା କରିଛନ୍ତି ।