ଜିଲ୍ଲାର ବେତନଟୀ ବ୍ଲକ୍ ଅଂଚଳର ଦିଲ୍ଲୀପ କୁମାର ମହାନ୍ତ ନାମକ ବ୍ୟକ୍ତି ଏକକାଳୀନ ଦୁଇ ଦୁଇଟି ସରକାରୀ ଚାକିରୀ ପାଇବାର ସୌଭାଗ୍ୟ ଅର୍ଜନ କରିପାରିଛନ୍ତି । ସ୍ୱାସ୍ଥ୍ୟ ବିଭାଗ ଅଧୀନରେ ବେତନଟୀ ବ୍ଲକର କୃଷ୍ଣଚନ୍ଦ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧୀନରେ ଥିବା କରଞ୍ଜିଆ ସବ୍ ସେଣ୍ଟରରେ ସ୍ୱାସ୍ଥ୍ୟ କର୍ମୀ ଭାବେ ପ୍ରାୟ ୧୦ ବର୍ଷରୁ ଅଧିକ ସମୟ ଧରି ସ୍ଥାୟୀ କର୍ମଚାରୀ ଭାବେ କାର୍ଯ୍ୟ କରୁଥିବା ବେଳେ ୭ ବର୍ଷ ଧରି ଖୁଣ୍ଟା ଜୁନିଅର ମହାବିଦ୍ୟାଳୟର ବିଜ୍ଞାନ ବିଭାଗର ଗଣିତରେ ରେଗୁଲାର ପୋଷ୍ଟରେ କାର୍ଯ୍ୟ କରିଆସୁଛନ୍ତି । ଏହାର ତଥ୍ୟ ଆମର ହସ୍ତଗତ ହୋଇଛି । ସବୁଠାରୁ ବଡ଼ ପ୍ରଶ୍ନ ହେଉଛି, ଏହି ବ୍ୟକ୍ତି ଜଣକ ସ୍ୱାସ୍ଥ୍ୟ ବିଭାଗରେ ସ୍ୱାସ୍ଥ୍ୟକର୍ମୀ ଭାବରେ କାର୍ଯ୍ୟ କରୁଥିବା ବେଳେ ଖୁଂଟା ଜୁନିୟର ମହାବିଦ୍ୟାଳୟରେ ଗଣିତ ଅଧ୍ୟାପକ ଭାବରେ ନିଯୁକ୍ତି କିପରି ପାଇଲେ ଓ ସରକାରୀ ନିୟମ ଅନୁସାରେ ସରକାରୀ କାର୍ଯ୍ୟ ଦିବସଗୁଡ଼ିକରେ ପ୍ରତ୍ୟେକ ଦିନ ନିଜର ଉପସ୍ଥାନ କିପରି ପକାଇ ଆସୁଥିଲେ । ସ୍ୱାସ୍ଥ୍ୟ ବିଭାଗର କରଞ୍ଜିଆ ସବସେଂଟର ଅଧୀନରେ ଥିବା ଅଂଚଳରେ ଲୋକମାନଙ୍କ ନିକଟରେ ପହଁଚି ସେମାନଙ୍କ ସ୍ୱାସ୍ଥ୍ୟ ସହିତ ସରକାରଙ୍କ ସ୍ୱାସ୍ଥ୍ୟ ଯୋଜନାଗୁଡ଼ିକରେ ଉପଲବ୍ଧ ଔଷଧପତ୍ର ବଂଟନ ଦାୟିତ୍ୱ ତୁଲାଉଥିବା ବେଳେ ସବସେଂଟର ଠାରୁ ପ୍ରାୟ ୩୫/୪୦ କି.ମି. ଦୂରରେ ଥିବା ଖୁଂଟା ଜୁନିୟର ମହାବିଦ୍ୟାଳୟରେ ସେହି ସମାନ ସମୟରେ କିଭଳି ଭାବେ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷାଦାନ କରିଆସୁଥିଲେ ତାହା ଏବେ ଏକ ବଡ ପ୍ରଶ୍ନବାଚୀ ହୋଇ ଛିଡାହୋଇଛି ।
କୃଷ୍ଣଚନ୍ଦ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମେଡିକାଲ ଅଫିସର ଡ. ମହେଶ୍ୱର ମାଝି ଏ ବିଷୟରେ କୁହନ୍ତି, ଏନେଇ କୌଣସି ଅଭିଯୋଗ ଆସିନ ଥିଲା । ଦିଲ୍ଲୀପ କୁମାର ମହାନ୍ତ ଫିଲଡ଼ ଡିଉଟି କରନ୍ତି । ତେଣୁ ସେ ଫିଲଡ଼ରେ ଅଛନ୍ତି ଅଥବା ଖୁଂଟା ମହାବିଦ୍ୟାଳୟରେ ପାଠ ପଢ଼ାଉଛନ୍ତି ସେ ବିଷୟରେ କିଛି ଜାଣି ହେଉନଥିଲା । ଏ ବିଷୟରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଅବଗତ କରାଯାଇଛି । ତାଙ୍କର ନିର୍ଦ୍ଦେଶ ମିଳିବା ପରେ ଯାହା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ ।
ସେହିପରି ଉଦଳା ଉପଜିଲ୍ଲାପାଳ ତଥା ଖୁଣ୍ଟା ଜୁନିଅର କଲେଜର ସଭାପତି ଭଗବାନ ବେହେରା କହିଛନ୍ତି ଯେ, ଘଟଣା ଉପରେ ତଦନ୍ତ କରାଯାଉଛି । ଅଧ୍ୟାପକ ଦିଲ୍ଲୀପ ମହାନ୍ତଙ୍କୁ ଏନେଇ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି । ଖୁବ୍ ଶୀଘ୍ର ତାଙ୍କ ବିରୋଧରେ ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନଗ୍ରହଣ କରାଯିବ ।
ଅନ୍ୟପଟେ ଏହି ଘଟଣାକୁ ନିଜେ ଦିଲ୍ଲୀପ କୁମାର ମହାନ୍ତ ସ୍ୱିକାର କରିବା ସହ ଚଳିବା ପାଇଁ ଯେମିତି ହେଉ ଦୁଇ ପଇସା ରୋଜଗାର କରୁଛନ୍ତି ବୋଲି ଫୋନ୍ ରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଶ୍ରୀ ମହାନ୍ତ ନିଜେ ଭୂଲ୍ ତଥା ଜାଲିଆତି କରୁଥିବା ଜାଣି ସୁଦ୍ଧା ସରକାରଙ୍କୁ ଚୁନ ଲଗାଇ ଦୁଇଟି ଚାକିରୀ କରି ଦରମା ନେଇ ଚାଲିଥିବା ବେଳେ ଖୁଂଟା ମହାବିଦ୍ୟାଳୟର ଅଧ୍ୟକ୍ଷ ଓ ସଭାପତି ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଓ କୃଷ୍ଣଚନ୍ଦ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମେଡ଼ିକାଲ ଅଫିସର ଜାଣି ପାରିନ ଥିଲେ କିପରି । ଏଣୁ ଏହାର ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ପରଦା ପଛରେ ଲୁଚି ରହିଥିବା ସତ୍ୟ ଲୋକ ଲୋଚନକୁ ଆସିପାରିବ ବୋଲି ଜନସାଧାରଣରେ ଦାବି ହୋଇଛି ।