ସିଏସଓଙ୍କ ଦ୍ବାରା 29 ମେ, 2020ରେ ଉପସ୍ଥାପନ କରାଯାଇଥିବା ଜାତୀୟ ଆୟ ସଂକ୍ରାନ୍ତ ତଥ୍ୟ ଆଧାରରେ ଆର୍ଥିକ ସର୍ବେକ୍ଷଣ ରେ ଉଲ୍ଲେଖ କରାଯାଇଛି ଯେ 2019-20ରେ ଦେଶରେ ସକଳ ମୂଲ୍ୟ ବୃଦ୍ଧି (ଜିଭିଏ)ରେ କୃଷି ଏବଂ ଆନୁସଙ୍ଗିକ କ୍ଷେତ୍ରର ଯୋଗଦାନ 17.8 ପ୍ରତିଶତ ରହିଥିଲା।
ରେକର୍ଡ ପରିମାଣର ଖାଦ୍ୟଶସ୍ୟ ଉତ୍ପାଦନ
2019-20ରେ କୃଷି କ୍ଷେତ୍ରର ଅର୍ଥନୈତିକ ସର୍ବେକ୍ଷଣ (ଚତୁର୍ଥ ଅଗ୍ରୀମ ପୂର୍ବାନୁମାନ) ଅନୁଯାୟୀ ଦେଶରେ 296.65 ମିଲିୟନ ଟନ ଖାଦ୍ୟ ଶସ୍ୟ ଉତ୍ପାଦିତ ହୋଇଥିଲା। ଯାହାକି 2018-19ରେ ଉତ୍ପାଦିତ ଖାଦ୍ୟଶସ୍ୟ ପରିମାଣ 285.21 ମିଲିୟନ ଟନ ଠାରୁ 11.44 ମିଲିୟନ ଟନ ଅଧିକ।
କୃଷି ରପ୍ତାନି
ବର୍ଷ 2019-20ର ଆର୍ଥିକ ସର୍ବେକ୍ଷଣ ଅନୁଯାୟୀ, ଭାରତର କୃଷି ଏବଂ ଆନୁସଙ୍ଗିକ ସାମଗ୍ରୀ ରପ୍ତାନି ପରିମାଣ ପାଖାପାଖି 252 ହଜାର କୋଟି ଟଙ୍କା ରହିଛି। ଭାରତରୁ ସର୍ବାଧିକ ରପ୍ତାନି ଆମେରିକା, ସାଉଦୀ ଆରବ, ଇରାନ, ନେପାଳ ଓ ବାଂଲାଦେଶକୁ କରାଯାଇଛି। ଭାରତ ପକ୍ଷରୁ ଅନ୍ୟ ଦେଶଗୁଡ଼ିକୁ ପଠାଯାଉଥିବା କୃଷିଜାତ ଦ୍ରବ୍ୟ ମଧ୍ୟରେ ମାଛ, ସାମୁଦ୍ରିକ ସମ୍ପତ୍ତି, ବାସୁମତୀ ଚାଉଳ, ମଇଁଷି ମାଂସ, ମସଲା, ସାଧାରଣ ଚାଉଳ, କଞ୍ଚା କପା, ତେଲ, ଚିନି ଓ ଚା’ ଆଦି ରହିଛି। କୃଷି ଆଧାରିତ ଏବଂ ଆନୁସଙ୍ଗିକ ସାମଗ୍ରୀ ରପ୍ତାନିରେ ଭାରତର ସ୍ଥିତି ବିଶ୍ବସ୍ତରରେ ଅଗ୍ରଣୀ ରହିଆସିଛି। ଏହି କ୍ଷେତ୍ରରେ ବିଶ୍ବର ପାଖାପାଖି 2.5 ପ୍ରତିଶତ ରପ୍ତାନି ଭାରତରୁ ହିଁ କରାଯାଇଥାଏ।
ସର୍ବନିମ୍ନ ସହାୟକ ମୂଲ୍ୟ
ଆର୍ଥିକ ସର୍ବେକ୍ଷଣରେଆହୁରି କୁହାଯାଇଛି ଯେ 2018-19 ବଜେଟରେ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ଫସଲର ବାସ୍ତବିକ ବ୍ୟୟ ତୁଳନାରେ ଦେଢ଼ଗୁଣା ଅଧିକ ରଖିବା ଲାଗି ଘୋଷଣା କରାଯାଇଥିଲା। ଏହି ନୀତି ଉପରେ ଆଗକୁ ବଢ଼ି ଭାରତ ସରକାର 2020-21 ଆର୍ଥିକ ବର୍ଷରେ ଖରିଫ ଏବଂ ରବି ଫସଲ ନିମନ୍ତେ ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିଛନ୍ତି।
କୃଷି ସଂସ୍କାର
ନିକଟରେ ଗ୍ରହଣ କରାଯାଇଥିବା କୃଷି ସଂସ୍କାର ସମ୍ପର୍କରେ ଆର୍ଥିକ ସର୍ବେକ୍ଷଣରେ କୁହାଯାଇଛି ଯେ ତିନୋଟି ନୂଆ ଆଇନକୁ କ୍ଷୁଦ୍ର ଏବଂ ନାମମାତ୍ର ଚାଷୀଙ୍କୁ ଅଧିକ ଲାଭ ଦେବା ସକାଶେ ପ୍ରସ୍ତୁତ କରାଯାଇଛି। ଏପରି କୃଷକମାନଙ୍କ ସଂଖ୍ୟା ଦେଶର ସମୁଦାୟ କୃଷକଙ୍କ ସଂଖ୍ୟାର 85 ପ୍ରତିଶତ ହୋଇଥିବା ବେଳେ ଏମାନଙ୍କର ଫସଲ କେବଳ ଏପିଏମସି ଆଧାରିତ ମଣ୍ଡିରେ ବିକ୍ରି କରାଯାଇଥାଏ। ନୂଆ କୃଷି ଆଇନ ଲାଗୁ ହେବା ଫଳରେ କୃଷକମାନଙ୍କୁ ବଜାର ପ୍ରତିବନ୍ଧକରୁ ମୁକ୍ତି ମିଳିବ ଏବଂ କୃଷି କ୍ଷେତ୍ରରେ ଏକ ନୂଆ ଯୁଗର ଶୁଭାରମ୍ଭ ହେବ। ଏହାଫଳରେ ଭାରତର କୃଷକମାନଙ୍କୁ ଅଧିକ ଲାଭ ମିଳିବ ଏବଂ ସେମାନଙ୍କର ଜୀବନଧାରଣ ମାନରେ ସୁଧାର ଆସିବ।
ଆତ୍ମନିର୍ଭର ଭାରତ ଅଭିଯାନ
ଆର୍ଥିକ ସର୍ବେକ୍ଷଣରେ କୁହାଯାଇଛି ଯେ ଆତ୍ମନିର୍ଭର ଭାରତ ଅଭିଯାନ ଅନ୍ତର୍ଗତ କୃଷି ଏବଂ ଖାଦ୍ୟ ପରିଚାଳନା କ୍ଷେତ୍ରରେ ଅନେକ ବଡ଼ ଘୋଷଣା କରାଯାଇଛି। କୃଷି ଭିତ୍ତିଭୂମି ନିର୍ମାଣ ଲାଗି ଏକ ଲକ୍ଷ କୋଟି ଟଙ୍କାର ଅର୍ଥରାଶି ସୁନିଶ୍ଚିତ କରାଯାଇଛି। ସୂକ୍ଷ୍ମ ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ (ଏମଏଫଇ)ର ପ୍ରତିଷ୍ଠା ଲାଗି 10 ହଜାର କୋଟି ଟଙ୍କାର ଯୋଜନା ଘୋଷଣା କରାଯାଇଛି। ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦା ଯୋଜନା (ପିଏମଏମଏସଓ୍ବାଇ) ଲାଗି 20 ହଜାର କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି। ଜାତୀୟ ପଶୁରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ ତଥା ପଶୁପାଳନ ଢାଞ୍ଚା ନିର୍ମାଣ ବିକାଶ ଲାଗି 15 ହଜାର କୋଟି ଟଙ୍କାର ଘୋଷଣା କରାଯାଇଛି। ଏହାବ୍ୟତୀତ ଅତ୍ୟାବଶ୍ୟକ ସାମଗ୍ରୀ ଆଇନ, କୃଷି ବିପଣନ ଏବଂ କୃଷି ଉତ୍ପାଦ ମୂଲ୍ୟ ତଥା ଗୁଣବତ୍ତା, ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା; ଏବଂ ଏକ ରାଷ୍ଟ୍ର ଏକ ରାସନ କାର୍ଡ ଯୋଜନା ଆରମ୍ଭ କରାଯାଇଛି।
କୃଷି ଋଣ
ଆର୍ଥିକ ସର୍ବେକ୍ଷଣ ଅନୁସାରରେ ଭାରତର କ୍ଷୁଦ୍ର ଏବଂ ନାମମାତ୍ର ଚାଷୀଙ୍କୁ ବ୍ୟାପକ ପରିମାଣର ଆଥିର୍କ ସହାୟତା ଉପଲବ୍ଧ କରାଯାଇଛି। କୃଷକମାନଙ୍କୁ କୃଷି ସମ୍ବନ୍ଧୀୟ ଗତିବିଧି ସୁଚାରୂ ରୂପେ ଚଳାଇବା ସମୟରେ ଋଣ ଉପଲବ୍ଧତାକୁ ପ୍ରାଥମିକତା ଦିଆଯାଇଛି। 2019-20 ବର୍ଷରେ 13 ଲକ୍ଷ 50 ହଜାର କୋଟି ଟଙ୍କାର କୃଷି ଋଣ ଧାର୍ଯ୍ୟ କରାଯାଇଥିବା ବେଳେ କୃଷକମାନଙ୍କୁ 13,92,469.81 କୋଟି ଟଙ୍କାର ଋଣ ପ୍ରଦାନ କରାଯାଇଛି। 2020-21ରେ 15 ଲକ୍ଷ କୋଟି ଟଙ୍କାର ଋଣ ପ୍ରଦାନ କରିବାର ଲକ୍ଷ୍ୟ ରଖାଯାଇଥିଲା। 30 ନଭେମ୍ବର, 2020 ସୁଦ୍ଧା 97,3517.80 କୋଟି ଟଙ୍କାର ଋଣ କୃଷକମାନଙ୍କୁ ଉପଲବ୍ଧ କରାଯାଇଛି। ଆର୍ଥିକ ସମୀକ୍ଷାରେ କୁହାଯାଇଛି ଯେ ଆତ୍ମନିର୍ଭର ଭାରତ ଅଭିଯାନର ଏକ ଅଂଶବିଶେଷ ସ୍ବରୂପ କୃଷି ଭିତ୍ତିଭୂମି ବିନିର୍ମାଣ ପାଣ୍ଠି ଅନ୍ତର୍ଗତ ଦିଆଯିବାକୁ ଥିବା ଋଣ କୃଷି କ୍ଷେତ୍ରକୁ ଆହୁରି ଅଧିକ ଲାଭ ପହଞ୍ଚାଇବ।
ଆର୍ଥିକ ସର୍ବେକ୍ଷଣ ଅନୁଯାୟୀ ଫେବୃଆରୀ 2020 ବଜେଟରେ ଘୋଷଣା ଅନୁରୂପ କିଷାନ କ୍ରେଡିଟ କାର୍ଡକୁ ପ୍ରୋତ୍ସାହନ ଉପରେ ଗୁରୁତ୍ବାରୋପ କରାଯାଇଛି। ପ୍ରଧାନମନ୍ତ୍ରୀ ଆତ୍ମନିର୍ଭର ଭାରତ ପ୍ୟାକେଜର ଅଂଶବିଶେଷ ସ୍ବରୂପ ଦୁଗ୍ଧ ସମବାୟ ସଂସ୍ଥା ଏବଂ ଦୁଗ୍ଧ ଉତ୍ପାଦକ କମ୍ପାନୀଗୁଡ଼ିକର ଦେଢ଼ କୋଟି ଚାଷୀମାନଙ୍କୁ କିଷାନ କ୍ରେଡିଟ କାର୍ଡ ଯୋଗାଇ ପ୍ରଦାନ କରିବାକୁ ଲକ୍ଷ୍ୟ ରଖାଯାଇଥିଲା। ଜାନୁଆରୀ, 2021 ମଧ୍ୟଭାଗ ସୁଦ୍ଧା ମୋଟ 44,673 କିଷାନ କ୍ରେଡିଟ କାର୍ଡ ମତ୍ସ୍ୟଜୀବୀ ଏବଂ ମତ୍ସ୍ୟ ପାଳକମାନଙ୍କୁ ଯୋଗାଇ ଦିଆଯାଇଛି। ଆହୁରି 4.04 ଲକ୍ଷ ଆବେଦନ ବ୍ୟାଙ୍କରେ ଅନୁମୋଦନ ପ୍ରକ୍ରିୟାର ବିଭିନ୍ନ ପର୍ଯ୍ୟାୟରେ ରହିଛି।