ମାଲକାନଗିରି – ସାବେରୀ ନଦୀରେ ଡ଼ଙ୍ଗା ବୁଡି ଘଟଣାର ତିନି ଦିନ ପରେ ଆଜି ନିଖୋଜ ଦୁଇ ଭଉଣୀ ଓ ତାଙ୍କ ସମ୍ପର୍କୀୟ ଭାଇଙ୍କ ମୃତଦେହ ଘଟଣାସ୍ଥଳ ଠାରୁ ୫୦୦ ମିଟର ଦୂରରୁ ପାଣି ମଧ୍ୟରୁ ଉଦ୍ଧାର କରାଯାଇଛି ।
ମାଲକାନଗିରି ଜିଲ୍ଲା ପଡିଆ ବ୍ଲକର ମାଟେରୁ ପଂଚାୟତ ଅନ୍ତର୍ଗତ କୁମ୍ଭାରଗୁଡ଼ା ଗ୍ରାମର ରାଜା କବାସୀଙ୍କ ଦୁଇ ଝିଅ ଦିନେ କବାସୀ, ମଲିକା କବାସୀ ଓ ତାଙ୍କ ସମ୍ପର୍କୀୟ ଭାଇ ରାଜୁ ପଡିଆମି ଶୁକ୍ରବାର ଅପରାହ୍ନରେ ଛତିଶଗଡ଼ ରାଜ୍ୟ କେରଳାପାଳରେ ଥିବା ନିଜ ବନ୍ଧୁ ଘରକୁ ସାବେରୀ ନଦୀ ପାର୍ ହୋଇ ଏକ ଦେଶୀ ଡ଼ଙ୍ଗାରେ ଯାଇଥିଲେ । ସଂନ୍ଧ୍ୟା ସମୟରେ ସେମାନେ ନିଜ ଘରକୁ ଫେରିବା ସମୟରେ କୌଣସି କାରଣରୁ ହଠାତ୍ ଡ଼ଙ୍ଗାଟି ଭାରସାମ୍ୟ ହରାଇ ନଦୀ ମଧ୍ୟରେ ବୁଡି ଯାଇଥିଲା । ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀ ଓ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଂଚି ଉଦ୍ଧାର କାର୍ଯ୍ୟ ଜାରୀ ରଖିଥିଲେ ସୁଦ୍ଧା ନିଖୋଜଙ୍କ ସମ୍ପର୍କରେ କୌଣସି ସୂଚନା ମିଳିପାରିନଥିଲା । ଆଜି ଘଟଣାସ୍ଥଳରୁ ୫୦୦ ମିଟର ଦୂରରେ ଏମାନଙ୍କ ମୃତଦେହ ଭାସୁଥିବା ଦେଖିବାକୁ ମିଳିଥିଲା । ନିଖୋଜ ଥିବା ଦୁଇ ଭଉଣୀଙ୍କ ମୃତଦେହକୁ ପ୍ରଥମେ ଉଦ୍ଧାର କରାଯାଇଥିବା ବେଳେ ପରେ ରାଜୁଙ୍କ ଶବ ଉଦ୍ଧାର କରାଯାଇଥିଲା । ଶବ ଉଦ୍ଧାର ପରେ ସେଠାରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା । ତିନି ଦିନ ଧରି ନଦୀ କୂଳରେ ଭୋକ ଉପାସରେ ପଡି ରହିଥିବା ପରିବାର ଲୋକେ ନିଜର ଆତ୍ମୀୟଙ୍କୁ ହରାଇ ଦୁଃଖରେ ଭାଙ୍ଗି ପଡିଥିଲେ ।
ପ୍ରକାଶ ଥାଉ କି, ମଲିକା କବାସୀ ମୋଟୁ ହାଇସ୍କୁଲରେ ଦଶମ ଶ୍ରେଣୀର ଛାତ୍ରୀ ଥିଲେ । ଦଶହରା ଛୁଟୀରେ ସେ ଘରକୁ ବୁଲିବାକୁ ଆସିଥିଲେ ।