ଭୁବନେଶ୍ୱର – ଆଜି ରାଜ୍ୟରେ କୁମାର ପୂର୍ଣ୍ଣିମା ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ କୁମାରୀ ମାନେ ପ୍ରାତଃରୁ ସ୍ନାନ ସାରି ନୂତନ ବସ୍ତ୍ର ପରିଧାନ କରିଥିଲେ । ଯୋଗ୍ୟ ଓ ସୁନ୍ଦର ଜୀବନ ସାଥୀ ପାଇବା ପାଇଁ ସଂନ୍ଧ୍ୟାରେ ଚଉରା ମୂଳରେ ଆଞ୍ଜଳି ଟେକିବା ସହ ଚାନ୍ଦ ପୂଜା କରିଥିଲେ । ଏହି ବିଶେଷ ଦିନରେ ରାଜଧାନୀ ସମେତ ଓଡ଼ିଶାର ପୁରପଲ୍ଲୀରେ ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ କୁମାର ଉତ୍ସବ ପାଳନ କରାଯାଇଥିଲା ।
ଏହା ବ୍ୟତୀତ ଆଜି ଠାରୁ ବିଭିନ୍ନ ପୂଜା ମଣ୍ଡପରେ ପାରମ୍ପରିକ ରୀତିନୀତି ମୁତାବକ ଲକ୍ଷ୍ମୀ ପୂଜା ଆରମ୍ଭ ହୋଇଛି । ଏହି ଉପଲକ୍ଷେ ମଣ୍ଡପଗୁଡିକରେ ଆକର୍ଷଣୀୟ ସାଜସଜ୍ଜା, ରଙ୍ଗିନ ଆଲୋକମାଳା ସାଙ୍ଗକୁ ତୋରଣ ଦର୍ଶକଙ୍କ ମନ ମୋହି ଥିଲା । ମଣ୍ଡପ ଗୁଡିକ ନିକଟରେ ମୀନା ବଜାର ଓ ଭଜନ ସମାରୋହ, ମେଲୋଡ଼ି ଆଦି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଯାହାକୁ ଦେଖିବାକୁ ହଜାର ହଜାର ସଂଖ୍ୟାରେ ଦର୍ଶକ ଭିଡ଼ ଜମାଇଥିଲେ । ବଡ ପୂଜା ମଣ୍ଡପ ଗୁଡିକରେ ଦର୍ଶକଙ୍କ ଭିଡ଼କୁ ଦୃଷ୍ଟିରେ ରଖି ବ୍ୟାପକ ଫୋର୍ସ ମୁତୟନ କରାଯାଇଥିଲା ।