-
ପୁରୀ ଜିଲ୍ଲାପାଳ ବର୍ମା ପୋଲିଓ ବୁନ୍ଦା ଖୁଆଇ ଜିଲ୍ଲାରେ କଲେ ଶୁଭାରମ୍ଭ
ଆଜିଠାରୁ ରାଜ୍ୟବ୍ୟାପୀ ପଲ୍ସ ପୋଲିଓ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହା ଫେବୃୟାରୀ ୧ ଓ ୨ ମଧ୍ୟ ଚାଲିବ । ପେଣ୍ଠକଟା ସେଚନ ବିହାର ସ୍କୁଲରେ ଜିଲ୍ଲାପାଳ ସମର୍ଥ ବର୍ମା ପୋଲିଓ ବୁନ୍ଦା ଖୁଆଇ ଏହାର ଶୁଭାରମ୍ଭ କରିଥିଲେ । ଏହି ପୋଲିଓ ବୁନ୍ଦା ପ୍ରଦାନ କାର୍ଯ୍ୟକ୍ରମରେ ଜିଲ୍ଲାରେ ପାଞ୍ଚ ବର୍ଷ ବୟସରୁ କମ ଏକ ଲକ୍ଷ ୮୩ ହଜାର ୫୦୮ ଜଣ ଶିଶୁ ସାମିଲ ହୋଇଛନ୍ତି। ଏଥିପାଇଁ ଦୁଇ ଲକ୍ଷ ୩୩ ହଜାର ୫୬ ଡୋଜ ପ୍ରସ୍ତୁତ ରଖାଯାଇଛି । ପ୍ରଥମ ଦିନ ଅର୍ଥାତ ଆଜି ୭୬୬ ଟି ବୁଥରେ ପୋଲିଓ ବୁନ୍ଦା ପ୍ରଦାନ କରାଯାଇଛି। ଜିଲ୍ଲାର ଷ୍ଟେସନ, ବସଷ୍ଟାଣ୍ତ, ଶ୍ରୀମନ୍ଦିର ନିକଟ, ଚନ୍ଦ୍ରଭାଗା ଓ ଅନ୍ୟାନ୍ୟ ପର୍ଯ୍ୟଟନ ସ୍ଥଳୀ, ବିଭିନ୍ନ ବସ୍ତି ନିକଟସ୍ଥ ୫୬ଟି ସ୍ଥାନରେ ପୋଲିଓ ବୁନ୍ଦା ଦିଆଯାଉଛି। ଏହାଦ୍ବାରା ବାହାରୁ ଆସୁଥିବା ପର୍ଯ୍ୟଟକ, ବୁଲା ବେପାରୀ ମାନଙ୍କ ଶିଶୁ ସାମିଲ ହୋଇପାରିବେ । ଏଥି ସହ ୨୪ଟି ଭ୍ରାମ୍ୟମାଣ ଟିମ ଗଠନ କରାଯାଇଛି । ବୁନ୍ଦା ପ୍ରଦାନ ନିମନ୍ତେ ୩ ହଜାର ୬୪ ଜଣ ବୁନ୍ଦା ପ୍ରଦାନକାରୀ ଏବଂ ୧୬୨ ଜଣ ସୁପରଭାଇଜର ନିଯୁକ୍ତ ହୋଇଛନ୍ତି ।