
ପୁରୀ – ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପୁଷ ପୂର୍ଣ୍ଣମୀ ଉପଲକ୍ଷେ ରତ୍ନ ସିଂହାସନ ଉପରେ ଅନୁଷ୍ଠିତ ହୋଇଯାଇଥିବା ସୁନାବେଶ ନୀତି ବିଳମ୍ବ ସମ୍ପର୍କରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଗର୍ଭ ଗୃହରେ ଦୁଇ ପକ୍ଷର ସେବାୟତ ମୁହାଁମୁହିଁ ଘଟଣାରେ ଶ୍ରୀ ଜୀଉଙ୍କ ନୀତିକାନ୍ତି ୫ ଘଂଟା ବିଳମ୍ବ ହୋଇଥିଲା । ଶ୍ରଦ୍ଧାଳୁ ମାନେ ରତ୍ନ ସିଂହାସନ ଉପରେ ଦୁର୍ଲ୍ଲଭ ସୁନାବେଶ ବା ରାଜରାଜେଶ୍ୱର ବେଶ ଦର୍ଶନ କରିପାରିନଥିଲେ । ନୀତି ବିଳମ୍ବ ଯୋଗୁଁ ଭକ୍ତ ମାନେ ମଧ୍ୟ ମହାପ୍ରସାଦ ପାଇପାରିନଥିଲେ । ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ତଥା ଜିଲ୍ଲାପାଳ ସମର୍ଥ ବର୍ମା ଏ ସମ୍ପର୍କରେ ପୁଷ୍ପାଳକ ସେବାୟତଙ୍କ ସହିତ ଆଲୋଚନା କରିଥିଲେ । କେଉଁ ପରିସ୍ଥିତିରେ ବିଳମ୍ବ ହେଲା ସେ ସମ୍ପର୍କରେ ପୁଷ୍ପାଳକ ସେବାୟତଙ୍କ ମତାମତ ନେଇଥିଲେ । ମେକାପ ସେବାୟତ ଓ ପୁଷ୍ପାଳକ ସେବାୟତଙ୍କ ମଧ୍ୟରେ ଗର୍ଭଗୃହରେ ସେବକଙ୍କ ସଂଖ୍ୟାକୁ ନେଇ ବିବାଦ ଉପୁଜିଥିଲା । ରତ୍ନ ସିଂହାସନ ଉପରେ ତିନି ଜଣ ସେବାୟତଙ୍କ ପରିବର୍ତେ ୬ ଜଣ ସେବାୟତ ଥିବାରୁ ମେକାପ ସେବାୟତ ମାନେ ଆପତି ଉଠାଇଥିଲେ । ରତ୍ନ ସିଂହାସନ ଉପରୁ ତିନିଜଣ ପୁଷ୍ପାଳକ ସେବାୟତଙ୍କୁ ତଳକୁ ଓହ୍ଲାଇବା ପାଇଁ ଜିଦ୍ ଧରିବାରୁ ବିବାଦ ଉପୁଜିଥିଲା ।
ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡଃ. କ୍ରିଷନ କୁମାର ଏହାର ସମାଧାନ ପାଇଁ ଜିଲ୍ଲାପାଳଙ୍କୁ ଦାୟୀତ୍ୱ ଦେଇଥିଲେ । ଗତକାଲି ସଂନ୍ଧ୍ୟାରେ ଏ ସମ୍ପର୍କରେ ପୁଷ୍ପାଳକ ସେବାୟତଙ୍କ ସହିତ ଆଲୋଚନା କରିଥିବା ବେଳେ ଆଜି ମେକାପ ସେବାୟତଙ୍କ ସହିତ ଆଲୋଚନା କରିବେ ଜିଲ୍ଲାପାଳ ।