ମାଲକାନଗିରି – ରାଜ୍ୟ ସରକାର ମାଟି ଇଟା ଉପରେ ରୋକ ଲଗାଇଛନ୍ତି ଏହା ସତ୍ବେ ବି ମାଲକାନଗିରି ଜିଲ୍ଲାରେ ବେଧଡ଼କ ଶହ ଶହ ଇଟା ଭାଟି ଚାଲୁଥିବା ଦେଖିବାକୁ ମିଳିଛି । ଏପରିକି ଜିଲ୍ଲାର ସଦର ମହକୁମା ଓ ସଦର ମହକୁମା ଠାରୁ ମାତ୍ର ୨ ରୁ ୩ କିଲୋମିଟର ଦୂରରେ ଥିବା ସତୀଗୁଡା, ଚାଲାଣଗୁଡା, ଗୌଡ଼ଗୁଡା, ଏମଭି-୨, ଏମଭି-୩, ମୁଣ୍ଡାଗୁଡା, ସିଆଡିମାଳ, ଏମଭି-୭ ଏପରିକି ଅନେକ ସ୍ଥାନରେ ମଧ୍ୟ ଚାଲିଛି ବହୁ ବେଆଇନ ଇଟାଭାଟି । ଏପରିକି ଏହି ଇଟା ଭାଟି ମାଲିକ ମାନେ କମ୍ ପାରିଶ୍ରମିକ ଦେଇ ଲାଭବାନ ହେବା ପାଇଁ ଏହି କାମରେ ଶିଶୁ ଶ୍ରମିକ ନିୟୋଜିତ କରୁଥିବା ଦେଖିବାକୁ ମିଳିଛି । ତେବେ ଏନେଇ ଆମେ ଜିଲ୍ଲା ଶ୍ରମ ଅଧିକାରୀ ଓ ମାଲକାନଗିରି ତହସିଲଦାରଙ୍କୁ ଯୋଗାଯୋଗ କରିଥିଲେ ହେଁ ଉଭୟ ପ୍ରତିକ୍ରିୟା ଦେବା ପାଇଁ ମନା କରିଥିଲେ । ଏହି ଇଟା ଭାଟି ପାଖରେ ବସବାସ କରୁଥିବା ସ୍ଥାନୀୟ ବାସିନ୍ଦା ସରକାରୀ ବାବୁଙ୍କ ନିକଟରେ ଯେତେ ଗୁହାରି କଲେ ମଧ୍ୟ ସରକାରୀ ବାବୁ ମାନଙ୍କର କିଛି ଯାଏ ଆସେ ନାହିଁ । ଗୋଟିଏ ପଟେ ପ୍ରଦୂଷଣ ରୋକିବା ପାଇଁ ସରକାର ବନ ବିଭାଗ ମାଧ୍ୟମରେ ଖର୍ଚ୍ଚ କରୁଛନ୍ତି କୋଟି କୋଟି ଟଙ୍କା, ଅନ୍ୟ ପଟେ ସରକାରଙ୍କର ଆଦେଶକୁ ଅବମାନନା କରି ସରକାରୀ ବାବୁ ମାନଙ୍କୁ ମୋଟା ଆକାର ହାତ ଗୁଞ୍ଜା ଦେଇ ମାଲାମାଲ୍ ହେଉଛନ୍ତି ଇଟା ମାଫିଆ ଓ ସରକାରୀ ବାବୁ । ସେପଟେ ମାଲକାନଗିରି ଭଳି ଉତ୍ତପ୍ତ ଜିଲ୍ଲାରେ ଅସହ୍ୟ ଗରମ ଓ ଧୂଆଁରେ ଅତିଷ୍ଠ ହୋଇପଡିଲେଣି ସ୍ଥାନୀୟ ବସିନ୍ଦା । ତେବେ ଦେଖିବାକୁ ବାକି ରହିଲା ରାଜ୍ୟ ସରକାରଙ୍କର ଏହି ନିୟମକୁ କେବେ ପାଳନ କରୁଛନ୍ତି ସରକାରୀ ବାବୁ ଓ କେବେ ନିଆଯାଉଛି ବେଆଇନ ଇଟା ଭାଟି ଉପରେ କାର୍ଯ୍ୟାନୁଷ୍ଠାନ ।