ଗଞ୍ଜାମ – ଗଣ ଦୁଷ୍କର୍ମର ଶିକାର ହୋଇଛି ୫ ବର୍ଷିୟା ଶିଶୁକନ୍ୟା । ଏପରିକି ଗଣଦୁଷ୍କର୍ମ ପରେ ତାଙ୍କୁ ହତ୍ୟା ଉଦ୍ୟମ କରିଛନ୍ତି ଅଭିଯୁକ୍ତ ମାନେ । ଗୁରୁତର ଶିଶୁକନ୍ୟା ସମ୍ପ୍ରତି ଏସସିବି ମେଡ଼ିକାଲର ଆଇସିୟୁରେ ଚିକିତ୍ସାଧିନ ରହିଛି । ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ଅନ୍ତର୍ଗତ ସୋରଳ ଗ୍ରାମରେ ।
ଗତ ୨୮ ତାରିଖ ଦିନ ଲୋମହର୍ଷଣକାରୀ ଗଣଦୁଷ୍କର୍ମ ଘଟିଛି । ଘରେ କେହି ନଥିବା ବେଳେ ଏହାର ସୁଯୋଗ ନେଇ ଶିଶୁକନ୍ୟାକୁ ଅନ୍ୟତ୍ର ଉଠାଇ ନେଇ ଗଣଦୁଷ୍କର୍ମ କରିଥିଲେ ଅଭିଯୁକ୍ତ । ଗଣଦୁଷ୍କର୍ମ ପରେ ପ୍ରମାଣ ନଷ୍ଟ ଉଦ୍ଦେଶ୍ୟରେ ତାଙ୍କୁ ହତ୍ୟା ଉଦ୍ୟମ ମଧ୍ୟ କରିଥିଲେ । ତେବେ କୌଣସି ପ୍ରକାରେ ଏ ସମ୍ପର୍କରେ ଗ୍ରାମବାସୀ ଜାଣି ପାରି ଝିଅଟିକୁ ସେଠାରୁ ଉଦ୍ଧାର କରିବା ସହ ପୋଲିସକୁ ଏନେଇ ଖବର ଦେଇଥିଲେ । ଯୁବକ ଦ୍ୱୟଙ୍କୁ ମଧ୍ୟ ନିସ୍ତୁକ ପିଟିଥିଲେ । ପୋଲିସ ଶିଶୁକନ୍ୟାକୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତି କରିଥିଲେ । ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଅଧିକ ଚିକିତ୍ସା ନିମନ୍ତେ କଟକ ଏସସିବି ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଛି । ଶିଶୁକନ୍ୟାର ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ରହିଛି । ସମ୍ପ୍ରତି ତାଙ୍କୁ ଆଇସିୟୁରେ ରଖାଯାଇଛି । ଗୋଳନ୍ଥରା ଥାନା ପୋଲିସ ଶିଶୁ ଯୌନ ନିରୋଧ ଆଇନ (ପୋକସୋ ଆକ୍ଟ) ବଳରେ ଏ ସଂକ୍ରାନ୍ତରେ ଏକ ମାମଲା ରୁଜ୍ଜୁ କରିବା ସହ ଘଟଣାରେ ଜଡ଼ିତ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି । ଉଭୟଙ୍କ ବିରୋଧରେ ଭାରତୀୟ ପିଙ୍ଗଳ କୋଡ୍ ର ଦଫା ୩୬୫, ୩୬୬, ୩୭୬ ଡିବି ୩୦୭, ୩୪ ଆଇପିସି ବଳରେ ମୋକଦ୍ଦମା ରୁଜ୍ଜୁ କରାଯାଇଛି ।