ଭୁବନେଶ୍ୱର- ଅଜଣା ଓ ଅସହାୟ ଶବ ଗୁଡିକର ସତ୍କାର କରୁଥିବା ବାଲେଶ୍ୱର ଜିଲ୍ଲାର କାର୍ତିକ ଚନ୍ଦ୍ର ବାରିକଙ୍କୁ ସମ୍ମାନିତ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡଙ୍ଗୀ । ବର୍ତମାନ ସୁଦ୍ଧା ଏପରି ପାଂଚ ହଜାରରୁ ଉର୍ଧ ଶବ ସତ୍କାର କରିଥିବା ଏପରି ବ୍ୟକ୍ତିଙ୍କୁ ସମ୍ମାନିତ କରି ସେ ନିଜେ ଗୌରବାନ୍ୱିତ ହୋଇଛନ୍ତି ବୋଲି କହିଛନ୍ତି ଶ୍ରୀ ଷଡଙ୍ଗୀ ।
ଶ୍ରୀ ଷଡଙ୍ଗୀ ସୋସିଆଲ ମିଡିଆରେ ଏ ସମ୍ପର୍କରେ ଉଲ୍ଲେଖ କରି କହିଛନ୍ତି ଯେ – କର୍ମମୟ ଜୀବନରେ ସମସ୍ତେ ବ୍ୟସ୍ତ କିନ୍ତୁ ସମାଜରେ ଏବେବି ଏପରି ବ୍ୟକ୍ତି ଅଛନ୍ତି ନିଜେ ଉପବାସ ରହି, କଷ୍ଟ ପାଇ ମଧ୍ୟ ଅନ୍ୟକୁ ସାହାଯ୍ୟର ହାତ ବାଢନ୍ତି ସେହିଭଲି ଜଣେ ବ୍ୟକ୍ତି ହେଲେ ବାଲେଶ୍ୱର ଜିଲ୍ଲା ସାର୍ଥା ଅଂଚଳର କାର୍ତର୍ିକ ଚନ୍ଦ୍ର ବାରିକ । ବିନା ପାରିଶ୍ରମିକରେ ଶବଦାହକୁ ନିଜ ଜୀବନର ବ୍ରତ ଭାବେ ଗ୍ରହଣ କରି ସେ ୫୦୦୦ରୁ ଉର୍ଦ୍ଧ୍ୱ ଶବଦାହ କରିଛନ୍ତି । ଖାଲି ଶବ ବୋହିବାରେ ସରିଯାଇନି ତାଙ୍କ କର୍ତର୍ବ୍ୟ, ଶବକୁ ନିଜ ଅଟୋରେ ରଖିବା ଠାରୁ ନେଇ ଅନ୍ତିମ ସଂସ୍କାର ପର୍ଯ୍ୟନ୍ତ ସେ ସମସ୍ତ କାର୍ଯ୍ୟ ଦାୟିତ୍ୱର ସହ ତଦାରଖ କରନ୍ତି । ଏମିତିକି ଅନେକ ସମୟରେ ଅଜଣା ଏବଂ ଅସହାୟ ଶବ ଗୁଡିକୁ ସେ ନିଜ ଦାୟିତ୍ୱରେ ନେଇ ଅନ୍ତିମ ସଂସ୍କାର ମଧ୍ୟ କରିଛନ୍ତି । ସେହିଭଳି ଜଣେ ପରୋପକାରୀ ଏବଂ ବଦାନ୍ୟ ବ୍ୟକ୍ତିକୁ ସମ୍ମାନିତ କରି ମୁଁ ନିଜକୁ ଗୌରବାନ୍ୱିତ ମନେ କରୁଛି ବୋଲି ସେ କହିଛନ୍ତି ।