
ବ୍ରହ୍ମପୁର: ଦିଗପହଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମାଁ ବୁଢୀ ଠାକୁରାଣୀଙ୍କ ବାର୍ଷିକ ଶାରଦୀୟ ଯାତ୍ରା ଉତ୍ସବ ଚାଲିଥିବା ବେଳେ ସହର ଉତ୍ସବ ମୁଖର ହୋଇ ଉଠିଛି । ସପ୍ତମ ଦିନର ଯାତ୍ରା ଉତ୍ସବରେ ପଡୋଶୀ ନିର୍ବାଚନ ମଣ୍ଡଳୀର କଂଗ୍ରେସ ବିଧାୟକ ରମେଶ ଚନ୍ଦ୍ର ଜେନା ନିମନ୍ତ୍ରିତ ଅତିଥି ଭାବେ ଯୋଗଦେଇଥିଲେ । ପ୍ରଥମେ ରାଣୀ ସାହି ସ୍ଥିତ ଦୂର୍ଗା ପୂଜା ମଣ୍ଡପରେ ମାଁ ଦେବୀ ଦୂର୍ଗାଙ୍କୁ ଦର୍ଶନ ପୂଜାର୍ଚ୍ଚନା ଆଦି କରିବା ପରେ ବଜାର ସାହିରେ ଅସ୍ଥାୟୀ ମଣ୍ଡପରେ ପୂଜା ପାଉଥିବା ମାଁ ବୁଢୀ ଠାକୁରାଣୀଙ୍କୁ ଦର୍ଶନ ଏବଂ ଭୋଗରାଗ ପୂଜାର୍ଚ୍ଚନା ଆଦି କରିଥିଲେ ।
ଯାତ୍ରା ପରିଚାଳନା କମିଟିଙ୍କ ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯିବା ସହିତ ସମସ୍ତ ଆତିଥ୍ୟ ଚର୍ଚ୍ଚା କରାଯାଇଥିଲା । ସାଥିରେ କଂଗ୍ରେସର ଦିଗପହଣ୍ଡି ବିଧାୟକ ପ୍ରାର୍ଥୀ ପ୍ରଫୁଲ୍ଲ ଚନ୍ଦ୍ର ପଣ୍ଡା ଏବଂ କଂଗ୍ରେସ ଯୁବ ନେତା ଚିନ୍ମୟ କୁମାର ହୋତାଙ୍କ ସହିତ ବହୁ କଂଗ୍ରେସ ସମର୍ଥକ ଯୁବ ନେତା ମଧ୍ୟ ସାମିଲ ରହିଥିଲେ । ତେବେ ୬ ବର୍ଷ ବ୍ୟବଧାନ ପରେ ପୁଣି ଥରେ ଦିଗପହଣ୍ଡି ସହରରେ ଯାତ୍ରା ଉତ୍ସବ ଆଳରେ ରମେଶଙ୍କ ପ୍ରବେଶକୁ ନେଇ ରାଜନିତୀ ସମୀକ୍ଷକମାନେ ବିଭିନ୍ନ ପ୍ରକାର ମତ ରଖିଛନ୍ତି । ରମେଶ ନିଜ ସମର୍ଥକଙ୍କ ସହିତ ଦିଗପହଣ୍ଡି ଆସିଥିବା ବେଳେ ଦିଗପହଣ୍ଡିରେ ମଧ୍ୟ ତାଙ୍କର ବହୁ ପ୍ରଶଂସକ ରହିଥିବା ଦେଖିବାକୁ ମିଳିଥିଲା । ଯାତ୍ରା ପରିଚାଳନା କମିଟି ଏବଂ ରମେଶଙ୍କ ଆତିଥ୍ୟ ସହକାର ଦେଖିଲେ ଯେ କେହିବି ତାଜୁବ ହୋଇପଡିବ । ଫୁଲ ତୋଡା ଦେଇ ବିଜେଡି ସମର୍ଥକମାନେ ଯାତ୍ରା ମଣ୍ଡପକୁ ପାଛୋଟି ନେବା ପରେ ଆୟୋଜିତ ମନୋରଞ୍ଜନ କାର୍ୟ୍ୟକ୍ରମର ଉଦ୍ଘାଟନ ହୋଇଥିଲା । ସପ୍ତମ ଦିନରେ ରମେଶ ଏକ ଆକର୍ଷକ ପାଲଟିଯାଇଥିବା ନେଇ ଚର୍ଚ୍ଚା ଜୋର୍ ଧରିଛି ।