ଓଡ଼ିଶାର ମୁଖ୍ୟ ଫସଲ ଧାନ । ଧାନ ଚାଷ ଉପରେ ପ୍ରାୟ ୯୦ ପ୍ରତିଶତ ଚାଷୀ ସମ୍ପୂର୍ଣ୍ଣ ନିର୍ଭରଶୀଳ । ଏଠାରେ ଏକ କ୍ୱିଂଟାଲ ଧାନ ଉତ୍ପାଦନରେ ପ୍ରାୟ୨୪୦୦ଟଙ୍କା ଖର୍ଚ୍ଚ କରିବାକୁ ପଡିଥାଏ । କିନ୍ତୁ କେନ୍ଦ୍ର ସରକାରଙ୍କଦ୍ୱାରା ପ୍ରଣୀତ ସାଧାରଣ ଧାନ କ୍ୱିଂଟାଲ ପିଚ୍ଛା ସର୍ବନିମ୍ନ ସହାୟକ ମୂଲ୍ୟ ୧୮୬୮ଟଙ୍କା ଧାର୍ଯ୍ୟ କରାଯାଇଛି । ଫଳରେ ଚାଷୀ ପ୍ରତି କ୍ୱିଂଟାଲ ପିଚ୍ଛା ବର୍ତମାନ ଧାନରେ ୫୩୨ଟଙ୍କା କ୍ଷତି ସହୁଛନ୍ତି । ସ୍ୱାମୀନାଥନ କମିଟି ସୁପାରିଷ ଆଧାରରେ କୃଷି ଉତ୍ପାଦନ ଖର୍ଚ୍ଚର ଦେଢ଼ଗୁଣା ମୂଲ୍ୟ ବୃଦ୍ଧି କରାଯିବା ପାଇଁ ବହୁ ପୂର୍ବରୁ ମାନ୍ୟବର ପ୍ରଧାନମନ୍ତ୍ରୀ ଚାଷୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ତଦନୁଯାୟୀ ଏହାକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାରଙ୍କ ପକ୍ଷରୁ ବିଧାନସଭାରେ ସର୍ବସମ୍ମତିକ୍ରମେ ଧାନ କ୍ୱିଂଟାଲ ପିଚ୍ଛା ୨୯୩୦ଟଙ୍କାକୁ ବୃଦ୍ଧି କରିବା ପାଇଁ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିଲା । ଦୁଃର୍ଭାଗ୍ୟର ବିଷୟ, ଆଜି ପର୍ଯ୍ୟନ୍ତ ଏହାର ସହାୟକ ମୂଲ୍ୟ ବୃଦ୍ଧି କରାଗଲା ନାହିଁ । ପଡ଼ୋଶୀ ଛତିଶଗଡ଼ ସରକାର ଧାନ କ୍ୱିଂଟାଲ ପିଚ୍ଛା ଚାଷୀଙ୍କୁ ୫୦୦ ଟଙ୍କା ବୋନସ୍ ଓ କେରଳ ସରକାର ପ୍ରତି କ୍ୱିଂଟାଲ ପିଚ୍ଛା ଚାଷୀଙ୍କୁ ୯୦୦ ଟଙ୍କା ବୋନସ୍ ଦେଉଥିବା ବେଳେ ଆମ ରାଜ୍ୟ ସରକାର ଚାଷୀଙ୍କୁ ଏମଏସପି ଉପରେ କୌଣସି ସହାୟତା ଦେଉ ନାହାନ୍ତି । ଅପରପକ୍ଷରେ ଓଡ଼ିଶା ରାଜ୍ୟରେ ଜଳ ସେଚିତ ଅଂଚଳରୁ ପ୍ରତି ଏକର ପିଚ୍ଛା ୩୦ରୁ ୩୫ କ୍ୱିଂଟାଲ ଧାନ ଓ ଅଣଜଳସେଚିତ ଅଂଚଳରୁ ପ୍ରତି ଏକର ପିଚ୍ଛା ୧୮ରୁ ୨୨ କ୍ୱିଂଟାଲ ପର୍ଯ୍ୟନ୍ତ ଧାନ ଉତ୍ପାଦନ ହେଉଛି । କିନ୍ତୁ ରାଜ୍ୟ ସରକାର ଜଳସେଚିତ ଅଂଚଳରୁ ପ୍ରତି ଏକର ପିଚ୍ଛା ୧୯କ୍ୱିଂଟାଲ, ଅଣଜଳସେଚିତ ଅଂଚଳରୁ ୧୩ କ୍ୱିଂଟାଲ ଧାନ କିଣିବା ଦ୍ୱାରା ଚାଷୀ ତାଙ୍କର ବଳକା ଧାନ ବିକିବାରେ ବହୁ କ୍ଷତି ସହୁଛନ୍ତି । ରାଜ୍ୟ ସରକାର୨୦୨୦ ଖରିପ୍ ଓ ୨୦୨୦-୨୧ ରବିଧାନ ମୋଟ୍ ୮୨ ଲକ୍ଷ ମେଟ୍ରିକ୍ ଟନ୍ ଧାନ କିଣିବାକୁ ଲକ୍ଷ୍ୟଧାର୍ଯ୍ୟ କରିଛନ୍ତି । ବର୍ତମାନ ପାଖାପାଖି ୪୨ ଲକ୍ଷ ମେଟ୍ରିକ୍ ଟନ୍ ଧାନ କ୍ରୟ କରାଯାଇଥିବା ବେଳେ ଆଉ ଅବଶିଷ୍ଠାଂଶ ଧାନ କ୍ରୟ କରାଯାଇ ନାହିଁ । ଅତ୍ୟନ୍ତ କ୍ଷୋଭର ବିଷୟ ଏହି ସମୟରେ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କଠାରୁ ପ୍ରାୟ ୨୧ ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ କ୍ରୟ କରିବେ ନାହିଁ ବୋଲି ଓଡ଼ିଶା ସରକାରଙ୍କୁ ଅବଗତ କରିଛନ୍ତି । ନିର୍ଦ୍ଧାରିତ ସମୟରେ ମଣ୍ଡି ନ ଖୋଲିବା ଏବଂ ଚାଷୀର ବଳକା ଧାନ କିଣା ନ ଯିବା ହେତୁ ଚାଷୀ ବର୍ତମାନ ତାଙ୍କର ଧାନକୁ ବାଧ୍ୟ ହୋଇ କ୍ୱିଂଟାଲ ପ୍ରତି ୧୨ଶହ ୧୩ଶହ ଟଙ୍କାରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି । ଅଭାବୀ ବିକ୍ରି ରୋକିବାରେ ସରକାର ଆବଶ୍ୟକ ପଦକ୍ଷେପ ଗ୍ରହଣ ନ କରିବା ଚାଷୀଙ୍କ ମୁଣ୍ଡ ବ୍ୟଥାର ମୁଖ୍ୟ କାରଣ ହୋଇଛି । ପ୍ରକୃତରେ ସରକାର ଧାନ କିଣୁଛନ୍ତି ନା ମିଲରଙ୍କ ମର୍ଜିରେ କଳାବଜାରୀ କରାଯାଉଛି ବୋଲି ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ।
Related Stories
November 22, 2024