ଭଦ୍ରକ – ଚଳିତ ଦୁର୍ଗା ମେଢ ଭସାଣି ଉତ୍ସବ ଭଦ୍ରକରେ ମହାସମାରୋହରେ ପାଳିତ ହୋଇଥିବାବେଳେ ଶାନ୍ତିପୂର୍ଣ୍ଣ ଭସାଣି ପାଇଁ ବାଙ୍କାବଜାର ପୂଜା କମିଟିକୁ ଜିଲା ପୁଲିସ୍ ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି । ଏଠାରେ ସୂଚନାଯୋଗ୍ୟ ଭଦ୍ରକ ପୌରାଂଚଳ ଅଧୀନସ୍ଥ ବାଙ୍କାବଜାର ଅଂଚଳ ସଂଖ୍ୟାଲଘୁ ସଂପ୍ରଦାୟର ହୋଇଥିଲେ ବି ଏଠାରେ ଅନୁଷ୍ଠିତ ଦୁର୍ଗାପୂଜାରେ ଉଭୟ ସଂପ୍ରଦାୟଙ୍କ ସହଯୋଗ ଅତ୍ୟନ୍ତ ବିରଳ । ବିଶେଷକରି ଚଳିତ ଭସାଣି ଉତ୍ସବରେ ଏହି ପୂଜା କମିଟି ପକ୍ଷରୁ ଯେଭଳି ଅପୂର୍ବ ଭାଇଚାରା ପ୍ରଦର୍ଶନ କରାଯାଇଥିଲା, ସେଥିପାଇଁ ଜିଲା ପୁଲିସ୍ ପ୍ରଶାସନ ପକ୍ଷରୁ ଆରକ୍ଷୀ ଅଧିକ୍ଷକ ରାଜେଶ ପଣ୍ଡିତ ଜିଲା ମୁଖ୍ୟ ପୁଲିସ୍ କାର୍ଯ୍ୟାଳୟରେ କମିଟିର ବରିଷ୍ଠ ସଦସ୍ୟ ନରେନ୍ଦ୍ର କୁମାର ସାହୁ, ସୌମ୍ୟରଂଜନ ଦାସ, ଅମର କୁମାର ସାହୁ, ସୁନୀଲ କୁମାର ସାମନ୍ତଙ୍କୁ ଉତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରିଥିଲେ । ଏଠାରେ ସୂଚନାଯୋଗ୍ୟ ସ୍ଥାନୀୟ ମିର୍ମହଲା ମସ୍ଜିଦ୍ରେ ସାନ୍ଧ୍ୟ ପ୍ରାର୍ଥନା ସମୟରେ ଏହି ଭସାଣି ଶୋଭାଯାତ୍ରା ଚାଲିଥିଲା । କମିଟିର କର୍ମକର୍ତାଙ୍କ ଆଚରଣ ଏହି ସାନ୍ଧ୍ୟ ପ୍ରାର୍ଥନା ସମୟରେ ଏକ ଉଦାହରଣ ଥିଲା ବୋଲି ଭଦ୍ରକ ମୁସ୍ଲିମ୍ ଜମାତ ପକ୍ଷରୁ କୁହାଯାଇଛି । ଏହି ସମ୍ବର୍ଦ୍ଦନା କାଳରେ ଭଦ୍ରକ ଚଉଦ ମହଲା ମୁସ୍ଲିମ୍ ଜମାତର ସଭାପତି ହାଜି ମହମ୍ମଦ ଅବଦୁଲ ବାରି, ହାଜି ଅନୱର ହୋସେନ, ସାଧାରଣ ସଂପାଦକ ଏନାମ ମହମ୍ମଦ, ଅବଦୁଲ ମୁକିତ୍ ଖାଁ, ସେକ୍ ସିରାଜୁଦ୍ଦିନ୍, ମିଡିଆ ସେଲ୍ର ସେକ୍ ଅନୱର, ସେକ୍ ଅବୁ କଲାମ, କୟୁମ ଅଲ୍ଲୀ ସାହା, ହଫିଜୁର ରହେମାନ ଖାଁ, ମିର୍ଜା ଏକ୍ରାମ୍ ବେଗ୍, ସଇଦ ସାହା, ମୁସ୍ତାକ ଗହ୍ୱର, ସେକ୍ ତାଜ ମହମ୍ମଦ, ସେକ୍ ନସିମ୍ ଓ ବାଙ୍କାବଜାର ପୂଜା କମିଟିର ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ ।