ଭଦ୍ରକ – ଆଜି ଭଦ୍ରକ ବନଖଣ୍ଡ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଗ୍ରାମାଞ୍ଚଳ ଥାନା ଅଧୀନସ୍ଥ ଇଚ୍ଛାପୁରରେ ଥିବା ଏକ ଚୋରା କାଠ ଗୋଦାମ ଉପରେ ଚଢାଉ କରାଯାଇ ପ୍ରାୟ ଦେଢଲକ୍ଷରୁ ଉଦ୍ଧ୍ୱର୍ ଟଙ୍କାର ଚିରା କାଠ ଜବତ କରାଯାଇଛି । ପ୍ରାପ୍ତ ଖବରରୁ ଯାହା ଜଣାଯାଏ ଇଚ୍ଛାପୁରସ୍ଥିତ ଜଗବନ୍ଧୁ ମହଲଙ୍କ ଓମ୍ ଏଣ୍ଟରପ୍ରାଇଜର୍ସ ଲେଖାଥିବା ଦୋକାନ ଘରେ ବିପୁଳ ପରିମାଣର ଚିରା ହୋଇଥିବା ଚୋରା ଆକାଶୀ କାଠ ରହିଥିବାର ଖବର କୌଣସି ସୂତ୍ରରୁ ଭଦ୍ରକ ବନଖଣ୍ଡ ଅଧିକାରୀ ଜାଣିବାକୁ ପାଇଥିଲେ । ଫଳରେ ତାଙ୍କ ନିର୍ଦ୍ଦେଶ କ୍ରମେ ଭଦ୍ରକ ବନାଞ୍ଚଳ ଅଧିକାରୀ ରଣଜିତ୍ ମହାନ୍ତି ଗ୍ରାମାଞ୍ଚଳ ଥାନା ଅଧିକାରୀଙ୍କ ସହଯୋଗରେ ଶ୍ରୀ ମାହାଳଙ୍କ ଉକ୍ତ ଦୋକାନ ଘର ଉପରେ ଚଢାଉ କରିଥିଲେ । ଏହି ଚଢାଉରେ ୨୦୦ ସିଫ୍ଟରୁ ଉଦ୍ଧ୍ୱର୍ ଚୋରା ଆକାଶୀ ଚିରା କାଠ ସେଠାରେ ରହିଥିବାର ଦେଖାଯାଇଥିଲା । ଯାହାର ଆନୁମାନିକ ମୂଲ୍ୟ ଦେଢଲକ୍ଷ ଟଙ୍କାରୁ ଉଦ୍ଧ୍ୱର୍ ହେବ ବୋଲି ବିଭାଗୀୟ ସୂତ୍ରରୁ ଜଣାପଡିଛି । ଆଜିର ଏହି ଚଢାଉରେ ଭଦ୍ରକ ବନପାଳ ଅମରେନ୍ଦ୍ର ନାୟକ, ଆଗରପଡା ବନପାଳ ବସନ୍ତ ମାଝୀ, ବନପାଳ ପ୍ରୀତିରାଣୀ ଦାସ, ବନରକ୍ଷୀ ଶୁଭକାନ୍ତ ପଣ୍ଡା, ବିନୋଦ କୁମାର ସିଂହ, ସାହାଜାଦ୍ ଅଲ୍ଲୀ ଖାଁ, କୁମୁଦ ସାହୁଙ୍କ ସମେତ ଗ୍ରାମାଞ୍ଚଳ ଥାନା ପକ୍ଷରୁ ସହଯୋଗ କରାଯାଇଥିଲା । ଏଠାରେ ସୂଚନାଯୋଗ୍ୟ ବରହମପୁର ଗ୍ରାମର ଜଗବନ୍ଧୁ ମହଲଙ୍କ ଇଚ୍ଛାପୁରରେ ଥିବା ଉପରୋକ୍ତ ଘରକୁ ପୁରୁଣାବଜାର ଥାନା ଶଙ୍କରପୁର ଅଂଚଳର ସେକ୍ ଇମ୍ରାନ୍ ଭଡାସୂତ୍ରରେ ନେଇ ବେଆଇ୍ନ୍ କାଠ ଗଚ୍ଛିତ ରଖିଥିଲେ । ଏହି ଘଟଣାରେ ବନ ବିଭାଗ ପକ୍ଷରୁ ଏକ ମାମଲା ରୁଜୁ ହୋଇ ସମସ୍ତ ଚୋରା କାଠକୁ ସାତଭଉଣୀସ୍ଥିତ କାର୍ଯ୍ୟାଳୟକୁ ନିଆଯାଇଛି ।