ନୂଆଦିଲ୍ଲୀ, ଆଗାମୀ ସାଧାରଣତନ୍ତ୍ର ଦିବସ ପ୍ୟାରେଡରେ ଅଂଶଗ୍ରହଣ କରିବାକୁ ଥିବା ଆଦିବାସୀ ଅତିଥି, ସମର ଶିକ୍ଷାର୍ଥୀ ବାହିନୀ, ଏନ୍ଏସ୍ଏସ୍ ସ୍ୱେଚ୍ଛାସେବୀ ଓ ପ୍ରଜ୍ଞାପନ ମେଢ କଳାକାରମାନଙ୍କ ସହ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମତ ବିନିମୟ କରିଛନ୍ତି । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ରାଜନାଥ ସିଂ, ଶ୍ରୀ ଅର୍ଜୁନ ମୁଣ୍ଡା, ଶ୍ରୀ କିରନ୍ ରିଜିଜ୍ଜୁ , ଶ୍ରୀମତୀ ରେଣୁକା ସିଂ ସରୁତା ପ୍ରମୁଖ ମଧ୍ୟ ଉପସ୍ଥିତ ଥିଲେ। ଏହି ଅବସରରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଗଣତନ୍ତ୍ର ଦିବସରେ ଆଦିବାସୀ ଅତିଥି, କଳାକାର, ଏନସିସି ଓ ଏନ୍ଏସ୍ଏସ୍ କ୍ୟାଡେଟଙ୍କ ଅଂଶଗ୍ରହଣ ଦେଶର ପ୍ରତ୍ୟେକ ନାଗରିକଙ୍କୁ ଉତ୍ସାହିତ କରିଛି। ଦେଶର ମହାନ ବିବିଧତା ସମସ୍ତଙ୍କୁ ଗର୍ବିତ କରିଥାଏ । ଗଣତନ୍ତ୍ର ଦିବସ ପ୍ୟାରେଡ ହେଉଛି ଦେଶର ମହାନ୍ ସାମାଜିକ ଓ ସାଂସ୍କୃତିକ ଐତିହ୍ୟ ଓ ସମ୍ବିଧାନ ପ୍ରତି କୃତଜ୍ଞତା ଯାହାକି ବିଶ୍ୱର ବୃହତ୍ତମ ଗଣତନ୍ତ୍ରକୁ ସଞ୍ଜିବନୀ ପ୍ରଦାନ କରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଦେଶ ଏଇବର୍ଷ ସ୍ୱାଧୀନତା ପ୍ରାପ୍ତିର 75ତମ ବର୍ଷରେ ପ୍ରବେଶ କରୁଥିବାବେଳେ ଆମେ ଗୁରୁ ତେଗ୍ ବାହାଦୂରଙ୍କ ଚାରିଶହତମ ପ୍ରକାଶ ପର୍ବ ମଧ୍ୟ ପାଳନ କରୁଛୁ ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି । ଚଳିତବର୍ଷ ମଧ୍ୟ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ 125ତମ ଜୟନ୍ତୀ ଯାହାକୁ କି ପରାକ୍ରମ ଦିବସ ଭାବେ ପାଳନ କରିବାକୁ ଘୋଷଣା କରାଯାଇଛି । ଏହି ସବୁ ଘଟଣା ଆମ ଦେଶ ପାଇଁ ଆତ୍ମୋସ୍ୱର୍ଗ କରିବା ପାଇଁ ଆମକୁ ଉତ୍ସାହିତ କରିବ ବୋଲି ଶ୍ରୀ ମୋଦୀ କହିଛନ୍ତି । ପ୍ରଧାନମନ୍ତ୍ରୀ ତରୁଣ ଅତିଥିମାନଙ୍କୁ କହିଛନ୍ତି ଯେ, ଦେଶବାସୀଙ୍କ ଆକାଂକ୍ଷା ହେଉଛି ସମନ୍ୱିତ ଶକ୍ତି । ଭାରତ ହେଉଚି ଅନେକ ରାଜ୍ୟ, ଗୋଟିଏ ରାଷ୍ଟ୍ର, ଅନେକ ସମ୍ପ୍ରଦାୟ ଓ ଗୋଟିଏ ଭାବାବେଗ, ଅନେକ ପନ୍ଥାମାତ୍ର ଗୋଟିଏ ଲକ୍ଷ୍ୟ, ଅନେକ ପରମ୍ପରା ଗୋଟିଏ ମୂଲ୍ୟବୋଧ, ଅନେକ ଭାଷା ମାତ୍ର ଏକ ଅଭିବ୍ୟକ୍ତି, ଅନେକ ରଙ୍ଗ ମାତ୍ର ଗୋଟିଏ ତ୍ରିରଙ୍ଗା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଏହି ସାର୍ବଜନୀନ ଲକ୍ଷ୍ୟ ହେଉଛି ‘ଏକ ଭାରତ ଶ୍ରେଷ୍ଠ ଭାରତ’ । ଦେଶର ସବୁ ପ୍ରାନ୍ତରୁ ଆସିଥିବା ଯୁବ ଅତିଥିମାନଙ୍କୁ ଆଚାର, ବ୍ୟବହାର ଏବଂ ଏକ ଆରେକର ପରମ୍ପରା ନେଇ ସଚେତନତା ସୃଷ୍ଟି କରିବା ନେଇ ପ୍ରଧାନମନ୍ତ୍ରୀ ନିବେଦନ କରିଥିଲେ । ‘ଲୋକାଲ ଫର ଭୋକାଲ’ ଅଭିଯାନକୁ ଏକ ଭାରତ ଶ୍ରେଷ୍ଠ ଭାରତ ଗତି ପ୍ରଦାନ କରିବ । ଯେତେବେଳେ ଦେଶର ଗୋଟିଏ ପ୍ରାନ୍ତ ଅନ୍ୟ ପ୍ରାନ୍ତର ସାମଗ୍ରୀକୁ ଆପଣାର କରିଦେବେ ତାହାହେଲେ ସ୍ଥାନୀୟ ଜିନିଷ ଜାତୀୟ ଓ ଜାତୀୟ ଜିନିଷ ବୈଶ୍ୱିକ ମାନ୍ୟତା ପାଇବେ । ‘ଭୋକାଲ ଫର ଲୋକାଲ’ ଏବଂ ଆତ୍ମନିର୍ଭର ଅଭିଯାନ ଆମ ଯୁବ ସମାଜ ଉପରେ ନିର୍ଭରଶୀଳ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ପ୍ରଧାନମନ୍ତ୍ରୀ ଦେଶର ପ୍ରତ୍ୟେକ ଯୁବକଯୁବତୀ କୁଶଳୀ ହେବା ଉପରେ ଗୁରୁତ୍ୱ ଆରୋପ କରିଛନ୍ତି । କୌଶଳ ଗୁରୁତ୍ୱ ଉପରେ ଜୋର ଦେଇ ସେ କହିଛନ୍ତି ଯେ ଦେଶରେ କୌଶଳ ମନ୍ତ୍ରଣାଳୟ 2014 ମସିହାରେ ସୃଷ୍ଟି ହେବା ପରଠାରୁ ସାଢେ ପାଞ୍ଚ କୋଟି ଲୋକଙ୍କୁ ତାଲିମ ପ୍ରଦାନ କରାଯାଇ ଆତ୍ମନିଯୁକ୍ତି ବା ନିଯୁକ୍ତି ଯୋଗାଇ ଦିଆଯାଇଛି । ନୂତନ ଶିକ୍ଷା ନୀତିରେ ଜ୍ଞାନର ପ୍ରୟୋଗ ଉପରେ ଧ୍ୟାନ ଆରୋପ କରାଯାଇଛି । ନିଜର ଇଚ୍ଛା ମୁତାବକ ବିଷୟ ଚୟନ କରିବା ହେଉଛି ଏହି ନୀତିର ମୁଖ୍ୟ ବୈଶିଷ୍ଟ୍ୟ । ଶିକ୍ଷାର ମୁଖ୍ୟଧାରାରେ ବୃତ୍ତିଗତ ଶିକ୍ଷାକୁ ପ୍ରାଧାନ୍ୟ ଦିଆଯାଇଇଥିବାବେଳେ ଷଷ୍ଠ ଶ୍ରେଣୀରୁ ନିଜର ଇଚ୍ଛା ମୁତାବକ ପାଠକ୍ରମ ବାଛିବା ଛାତ୍ରଛାତ୍ରୀଙ୍କ ଉପରେ ନ୍ୟସ୍ତ ହୋଇଛି । ପରେ ମାଧ୍ୟମିକସ୍ତରରେ ଶୈକ୍ଷିକ ବୃତ୍ତିଗତ ବିଷୟବସ୍ତୁକୁ ସମନ୍ୱିତ କରିବାକୁ ମଧ୍ୟ ପ୍ରସ୍ତାବ ରହିଛି । ଦେଶର ଆବଶ୍ୟକତା ବେଳେ ଏନସିସି ଓ ଏନଏସ୍ଏସ୍ର ଅବଦାନ ବିଶେଷକରି କରୋନା କାଳରେ ଖୁବ୍ ମହତ୍ୱପୂର୍ଣ୍ଣ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ବୈଶ୍ୱିକ ମହାମାରୀର ପରବର୍ତ୍ତୀ ପର୍ଯ୍ୟାୟରେ ମଧ୍ୟ ଏହାକୁ ଜାରି ରଖିବାକୁ ସେ ଆହ୍ୱାନ ଦେଇଛନ୍ତି । ଦେଶର କୋଣ ଅନୁକୋଣରେ ଟିକା ସମ୍ବନ୍ଧରେ ସଚେତନତା ସୃଷ୍ଟି ପାଇଁ ସେ ଆହ୍ୱାନ ଦେଇଛନ୍ତି । ଟିକା ବ୍ୟବହାର କରି ବୈଜ୍ଞାନିକ ମାନେ ସେମାନଙ୍କ କର୍ତ୍ତବ୍ୟ ପାଳନ କରିଛନ୍ତି, ଏବେ ଆମର ଦାୟିତ୍ୱ ଆମକୁ ସବୁ ଗୁଜବ ଓ ଅପପ୍ରଚାରର ମୁକାବିଲା କରିବାକୁ ପଡିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।