-
ରେମୁଣାରେ ବସିବ ବାଉଁଶ କାରିଗରୀ ହାଟ, କହିଲେ ତହସିଲଦାର
କୃଷ୍ଣ କୁମାର ମହାନ୍ତି, ବାଲେଶ୍ଵର
ଆଜି ପୂର୍ବାହ୍ନ ୧୦ ଘଟିକାରେ ରେମୁଣା ନୂଆ ପରିବା ହାଟ ନିକଟରେ ସ୍ଥାନୀୟ ପାରମ୍ପରିକ ବାଉଁଶ କାରିଗର ସହ ବାଲେଶ୍ବର ଜିଲ୍ଲା ପୋଷ୍ୟ କଳାଗ୍ରାମ ଗୁଡୁଦା ଓ ହଳଦୀପଦାର ବାଉଁଶ କାରିଗରର ବାଉଁଶ କାମକୁ ନେଇ ‘ଡୁମଧାମର ବାଉଁଶ କାମ ମେଳା’ ଉଦଘାଟିତ ହୋଇଛି। ଏଥିରେ ମୁଖ୍ୟ ଅତିଥି ଭାବରେ ରେମୁଣା ତହସିଲଦାର ଶ୍ରୀ ଚାର୍ଲସ୍ ନାୟକ ଯୋଗଦେଇ ସ୍ଥାନୀୟ ବାଉଁଶ କାରିଗର ବାଇଧର କାଳନ୍ଦୀ, ହଳଦୀପଦାର ବିଜୟ ରଙ୍ଗ, ଜୟନ୍ତୀ ଘଡେଇ, ପ୍ରତାପ ଘଡେଇ ଓ ଗୁଡୁଦାର ମନୋରଞ୍ଜନ ଘଡେଇ, ହରିଶ୍ଚନ୍ଦ୍ର ମହୂରିଆ ପ୍ରମୁଖଙ୍କୁ ଫୁଲ ଦେଇ ସ୍ବାଗତ କରିବା ସହ ପ୍ରଦର୍ଶନୀକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।
ଏଠି ଏକ ନୂଆ ପରମ୍ପରା ଦେଖିବାକୁ ମିଳିଥିଲା। ଅବାଞ୍ଛିତ ଅବହେଳିତ ବାଉଁଶ କାରିଗରୀକୁ ଚେୟାରରେ ବସାଇ ବିଭିନ୍ନ ସ୍ଵେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତାମାନେ ଫୁଲ ଦେଇ ପୁଷ୍ପଗୁଚ୍ଛ ଦ୍ଵାରା ସେମାନଙ୍କୁ ସମ୍ମାନିତ କରାଯାଇଥିଲା।
ଏହି ପ୍ରଦର୍ଶନୀରେ ବାଉଁଶ ତିଆରି ସମସ୍ତ ଘରକରଣା ସାମଗ୍ରୀ ଓ କାରିଗରୀ କାମ ପ୍ରଦର୍ଶିତ ହେବା ସହ ଏସବୁର କିଣାବିକାର ବ୍ୟବସ୍ଥା କରାଯାଇଥିଲା। କିଣାବିକା ଭଲ ହେଲେ, ଏଠାରେ ସବୁ ଦିନ ପାଇଁ ଏକ ବାଉଁଶ କାରିଗରୀ ହାଟ ବସାଇବେ ବୋଲି ତହସିଲଦାର ଚାର୍ଲସ୍ ନାୟକ କହିଥିଲେ।
‘ସେବାୟ ଫାଉଣ୍ଡେସନ’ର ସୁଜିତ ମୁଖାର୍ଜୀ, ‘ବଣଧୂଳିର ଫୁଲ’ର ବିଜୟ ଆଚାର୍ଯ୍ୟ, ‘ବିପଦର ବନ୍ଧୁ’ର ଭୂୟାଁ, ‘ଆବଦୁଲ କାଲାମ’ ସଂଗଠନର ସେଖ୍ ସହିଲ ଓ ସ୍ଥାନୀୟ ନିର୍ବାଚିତ ନେତୃବୃନ୍ଦ ସରପଞ୍ଚ ମୁଖୀ, ଓ୍ଵାର୍ଡମେମ୍ବର ଜୟନ୍ତୀ ବିଶ୍ବାଳ, ମେଡିକାଲ କ୍ରିୟାନୁଷ୍ଠାନର କର୍ମକର୍ତ୍ତା ଗୌରାଙ୍ଗ ପାଣିଗ୍ରାହୀ, ନିରଞ୍ଜନ ପରିଡ଼ା, ସତ୍ୟ ନାରାୟଣ ରଣା ଉପସ୍ଥିତ ଥିଲେ । ଏହି ପ୍ରଦର୍ଶନୀରୁ ବାଉଁଶ ଉତ୍ପାଦ କିଣି ବାଉଁଶ କାରିଗରଙ୍କୁ ଉତ୍ସାହିତ କରିବା ପାଇଁ ମୁଖ୍ୟ ସଂଚାଳକ ଶିଳ୍ପୀ କେଶୁଦାସ ଅନୁରୋଧ କରିଛନ୍ତି।