ଭଦ୍ରକ – ଭଦ୍ରକ ଜିଲାରେ ଧାନ ସଂଗ୍ରହକୁ ନେଇ ମାମଲା କୋର୍ଟରେ ପହଞ୍ôଚଥିବାର ଜଣାପଡିଛି । ପ୍ରାପ୍ତ ଖବରରୁ ଯାହା ଜଣାଯାଏ ଚଳିତବର୍ଷ ରାଜ୍ୟ ସରକାରଙ୍କ ପରିବର୍ତ୍ତିତ ଧାନ ସଂଗ୍ରହ ନୀତିକୁ ନେଇ ଏହି ବିବାଦ ଦେଖାଦେଇଛି । ସରକାର ମିଶନ ଶକ୍ତିକୁ ପ୍ରାଧାନ୍ୟ ଦେବାକୁ ଯାଇ ଚଳିତବର୍ଷ ଧାନ ସଂଗ୍ରହରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀକୁ ସାମିଲ କରିବାକୁ ଘୋଷଣା କରିଛନ୍ତି । ତେବେ ଗୋଟି ଗୋଟି କରି ମହିଳା ଗୋଷ୍ଠୀକୁ ଏଥିରେ ସାମିଲ କରାନଯାଇ ପଂଚାୟତ ସ୍ତରରେ ଏକାଧିକ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀକୁ ନେଇ ଗଠିତ ମହିଳା ମହାସଂଘ (ଜିପିଏମ୍ଏଲଏଫ) ଙ୍କ ଜରିଆରେ ଧାନ ସଂଗ୍ରହ କରିବାକୁ ଘୋଷଣା କରାଯାଇଛି । ଯାହାକୁ ନେଇ ମହିଳା ଗୋଷ୍ଠୀଙ୍କ ମଧ୍ୟରେ ବିବାଦ ଦେଖାଦେଇଛି । ମହାସଂଘରେ ସାମିଲ ହୋଇନଥିବା ତଥା ପୂର୍ବରୁ ଏକାଏକା ଧାନ ସଂଗ୍ରହରେ ସାମିଲ ହୋଇ ସଫଳତାର ସହିତ କାମ କରିଥିବା କେତେକ ମହିଳା ଗୋଷ୍ଠୀ ସରକାରଙ୍କ ଏହି ନିଷ୍ପତ୍ତି ବିରୁଦ୍ଧରେ ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ଶରଣାପନ୍ନ ହୋଇଛନ୍ତି । ଯାହାକୁ ନେଇ ଏବେ ଭଦ୍ରକ ଜିଲାରେ ମହିଳା ମହାସଂଘ ଜରିଆରେ ପ୍ରସ୍ତାବିତ ଧାନ ସଂଗ୍ରହ ଅନିଶ୍ଚିତତା ମଧ୍ୟରେ ଗତି କରୁଥିବାର ଜଣାପଡିଛି । ସରକାରଙ୍କ ଏହି ନିଷ୍ପତ୍ତିକୁ ନେଇ ଗାଁ ଗାଁରେ ବିଭିନ୍ନ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଏବଂ ମହିଳା ମହାସଂଘ ମଧ୍ୟରେ ବିବାଦ ଦାନା ବାନ୍ଧିବାରେ ଲାଗିଛି । ସରକାରୀ ସୂଚନା ମୂଳେ ଚଳିତବର୍ଷ ଭଦ୍ରକ ଜିଲାରେ ମୋଟ ୨୧୮ ଗୋଟି ପଂଚାୟତ ମଧ୍ୟରୁ ୨୪ ଟି ପଂଚାୟତରେ ମହିଳା ମହାସଂଘ ଓ ୩ ଗୋଟି ପଂଚାୟତରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କ ଜରିଆରେ ଧାନ ସଂଗ୍ରହ କରିବାକୁ ଘୋଷଣା କରାଯାଇଛି । ଏହି ସୂଚନା ମୂଳେ ଭଦ୍ରକ ବ୍ଲକ୍ରେ ସର୍ବାଧିକ ୧୦ ଗୋଟି ପଂଚାୟତରେ ମହିଳା ମହାସଂଘ ଜରିଆରେ ଧାନ କିଣିବାକୁ ଅନୁମୋଦନ କରାଯାଇଥିବାବେଳେ ତିହିଡି ବ୍ଲକ୍ରେ ୬ ଗୋଟି, ବନ୍ତ ବ୍ଲକ୍ରେ ୪ ଗୋଟି, ବାସୁଦେବପୁର ଏବଂ ଚାନ୍ଦବାଲି ବ୍ଲକ୍ରେ ୨ ଟି ଲେଖାଏଁ ପଂଚାୟତରେ ମହିଳା ମହାସଂଘ ଜରିଆରେ ଧାନ ସଂଗ୍ରହ କରିବାକୁ କୁହାଯାଇଛି । ଅନୁରୂପ ମହାସଂଘ ନଥିବା ଭଣ୍ଡାରିପୋଖରୀ ବ୍ଲକ୍ରେ ନଗୁଆଁ, ପାଟୁଳି ଓ ଦକ୍ଷିଣବାଡ ପଂଚାୟତରେ ପୃଥକ୍ ପୃଥକ୍ ଭାବେ ୩ ଗୋଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ଏହି ଧାନକିଣାରେ ସାମିଲ କରାଯାଇଛି । ରାଜ୍ୟ ସରକାରଙ୍କ ମିଶନ ଶକ୍ତି ଜରିଆରେ ଓଏଲ୍ଏମ୍ ଆର୍ଥିକ ସହାୟତା ପାଉଥିବା ମହାସଂଘଙ୍କୁ ବିଶେଷଭାବେ ଏହି ସୁବିଧା ଦିଆଯାଇଛି । ଅନ୍ୟ ପକ୍ଷରେ ଭଦ୍ରକ ଜିଲାରେ ଏବେ ପ୍ରାୟ ୨୪ ହଜାରରୁ ଉଦ୍ଧ୍ୱର୍ ପଂଜିକୃତ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ରହିଥିଲେ ମଧ୍ୟ ସବୁ ଗୋଷ୍ଠୀ ମହିଳା ମହାସଂଘରେ ସାମିଲ ହୋଇନାହାଁନ୍ତି । ଫଳରେ ମହାସଂଘରେ ସାମିଲ ହୋଇନଥିବା ଗୋଷ୍ଠୀ ପୃଥକ୍ ପୃଥକ୍ ଭାବେ ଧାନ ସଂଗ୍ରହରେ ସାମିଲ ହେବାକୁ ଅଡି ବସିଥିବାବେଳେ ସରକାର କେବଳ ମହାସଂଘକୁ ଏଥିରେ ସାମିଲ କରିଛନ୍ତି । ଯାହାକୁ ନେଇ ବିଭିନ୍ନ ପଂଚାୟତରେ ମହାସଂଘ ଏବଂ ମହିଳା ଗୋଷ୍ଠୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଛି । ତେଣେ ଧାନ ସଂଗ୍ରହରେ ମହିଳା ମହାସଂଘକୁ ସାମିଲ କରାଯିବା ପରେ କେତେକ ସ୍ଥାନରେ ସରକାରଙ୍କ ପକ୍ଷରୁ ପୂର୍ବରୁ ଧାନ ସଂଗ୍ରହ କରୁଥିବା ବିଭିନ୍ନ ସେବା ସମବାୟ ସମିତିଙ୍କୁ ଧାନ ସଂଗ୍ରହରୁ ଅନ୍ତର କରିବାକୁ ଘୋଷଣା କରାଯାଇଛି । ଏହି ସୂଚନା ଅନୁଯାୟୀ ଗତବର୍ଷ ଜିଲାରେ ୧୦୮ ଗୋଟି ସେବା ସମବାୟ ସମିତିଙ୍କ ମଧ୍ୟରୁ ୧୦୬ ଗୋଟି ସେବା ସମବାୟ ସମିତି ସରକାରୀ ଧାନ ସଂଗ୍ରହରେ ସାମିଲ ହୋଇଥିବାବେଳେ ଚଳିତବର୍ଷ ମହିଳା ମହାସଂଘଙ୍କ ସଂପୃକ୍ତି ଯୋଗୁଁ ବର୍ତମାନ ସୁଦ୍ଧା ଅତି କମ୍ରେ ଚାରିଗୋଟି ସେବା ସମବାୟ ସମିତିଙ୍କୁ ସରକାରୀ ଧାନ ସଂଗ୍ରହରୁ ଅନ୍ତର କରିବାକୁ ଘୋଷଣା କରାଯାଇଛି । ତେବେ ଡିଏଲ୍ପିସି ବୈଠକ ବସିନଥିବାରୁ ଏଥିନେଇ କୌଣସି ଚୂଡାନ୍ତ ନିଷ୍ପତି ଗ୍ରହଣ କରାଯାଇନଥିବା କଥା ସମବାୟ କର୍ତୃପକ୍ଷ ଗଣମାଧ୍ୟମକୁ କହିଛନ୍ତି ।