କନ୍ଧମାଳ – ଯେଉଁମାନେ ତାଙ୍କୁ ଭୋଟ୍ ଦେଇ ନାହନ୍ତି ସେମାନଙ୍କ କାମ କରିବି ନାହିଁ ବୋଲି ବିଧାୟକ ସାଲୁଗା ପ୍ରଧାନ ଏକ ସଭାରେ କହିଥିବା ଭାଇରାଲ ଭିଡିଓକୁ ନେଇ ଜିଲା ବିଜେପି ମହିଳାମୋର୍ଚ୍ଚା ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଜଣେ ଲୋକ ପ୍ରତିନିଧି ନିର୍ବାଚିତ ହେବାପରେ ଯେକୌଣସି ପରିସ୍ଥିତିରେ ଏଭଳି ମନ୍ତବ୍ୟ ଦେବା ଆଦୌ ଗ୍ରହଣିୟ ନୁହେଁ । ତେଣୁ ଜି.ଉଦୟଗିରି ବିଧାୟକ ଏହିଭଳି ମନ୍ତବ୍ୟ ଦେଇଥିବାରୁ ସେ ଅଂଚଳବାସୀଙ୍କ ନିକଟରେ ନିଜର ଭୁଲ୍ ସ୍ୱୀକାର କରିବା ସହ ଏଥି ନିମନ୍ତେ କ୍ଷମା ମାଗିବା ଦରକାର ବୋଲି ବିଜେପି ଜିଲ୍ଲା ମହିଳା ସଭାନେତ୍ରୀ ତଥା ବିଧାନସଭା ନିର୍ବାଚନରେ ବିଧାୟକ ଶ୍ରୀ ପ୍ରଧାନଙ୍କ ସହ ପ୍ରତିଦ୍ୱନ୍ଦିତା କରିଥିବା ଅର୍ଚ୍ଚନା ପ୍ରଧାନ ଦାବି କରିଛନ୍ତି ।
ସେ ଏକ ପ୍ରେସ ବିବୃତିରେ କହିଛନ୍ତି ଯେ, ଜଣେ ଜନପ୍ରତିନିଧିଙ୍କ ଏଭଲି ଆଚରଣ ଓ ଉଚାରଣ ଅତ୍ୟନ୍ତ ନିନ୍ଦନୀୟ ଅଟେ । ଜଣେ ଜନପ୍ରତିନିଧି ସାମ୍ବିଧାନିକ ନୀତି ଓ ନିୟମ ଆଧାରରେ ଶପଥ ପାଠ କରିବା ପରେ ସର୍ବସାଧାରଣଙ୍କ ପ୍ରତିନିଧି ହୋଇ ଯେକୌଣସି ସଭାସମିତିରେ ଏହିପରି ମନ୍ତବ୍ୟ ଦେବା ସାମ୍ବିଧାନିକ ନିୟମର ଉଲ୍ଲଙ୍ଘନ । ତେଣୁ ବିଧାୟକ ଶ୍ରୀ ପ୍ରଧାନ ଅଂଚଳବାସୀଙ୍କ ନିକଟରେ କ୍ଷମା ମାଗିବା ସହ ଜି. ଉଦୟଗିରି ନିର୍ବାଚନ ମଣ୍ଡଳିର ସମସ୍ତ ଅଂଚଳର ଉନ୍ନତି ପ୍ରତି ଦୃଷ୍ଟି ଦିଅନ୍ତୁ । ସାମ୍ବିଧାନିକ ନିୟମ ଉଲ୍ଲଙ୍ଘନ କରିଥିବା ବିଧାୟକଙ୍କ ବିରୋଧରେ ସାରା ନିର୍ବାଚନ ମଣ୍ଡଳି ସମେତ କନ୍ଧମାଳ ଜିଲ୍ଲାରେ ଜୋରଦାର ଆନ୍ଦୋଳନ କରାଯିବ ବୋଲି ସୁଶ୍ରୀ ପ୍ରଧାନ ତାଙ୍କ ପ୍ରେସ ବିବୃତିରେ ପ୍ରକାଶ କରିଛନ୍ତି ।