-
ଵୋକାକୁଳ ପରିବେଶରେ ଗାଆଁରେ ଶବ ପହଞ୍ଚିଲା
ଶିବରାମ ଚୌଧୁରୀ, ବେଲଗୁଣ୍ଠା
ଗଞ୍ଜାମ ଜିଲ୍ଳା ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ କ୍ଷତ୍ରିୟବରପୁର ପଂଚାୟତର ସିଂହମର୍ଦ୍ଦନ ଗ୍ରାମର ଶ୍ୟାମ ସୁନ୍ଦର ଗୌଡ଼ଙ୍କ ପୁଅ ସଞ୍ଜୟ ଗୌଡ଼ 35 ,ଗତ ସୋମବାର ଦିନ ହାଇଦ୍ରାବାଦର ଏକ କଂଷ୍ଟ୍ରକ୍ସନ୍ କମ୍ପାନିରେ କାର୍ଯ୍ୟ କରୁ୍ଥିବା ସମୟରେ ତିନି ମହଲା କୋଠା ଉପରୁ ଖସି ପଡ଼ି ମୃତ୍ୟୁ ବରଣ କରିଛନ୍ତି I ସୂଚନା ଅନୁଯାୟୀ ସିଂହମର୍ଦ୍ଦନ ଗ୍ରାମର ଶ୍ୟାମ ସୁନ୍ଦର୍ ଗୌଡ଼ଙ୍କ ନିଜର ସ୍ତ୍ରୀ ବଙ୍ଗାଲି, ଦୁଇ ପୁଅ, ବୋହୂ, ନାତୀଙ୍କୁ ନେଇ ଗାଆଁରେ ଚାଷବାସ କରି ଚଳି ଆସୁଥିଲେ I ଶ୍ରୀ ଗୌଡଙ୍କର ଦୁଇ ଝିଅ ଅହଲୀ ଏବଂ ବାବି ବହୁ ଦିନ ଆଗରୁ ବାହା ହୋଇ ନିଜ ନିଜର ଶାଶୁ ଘରେ ରହୁଛନ୍ତି I ଶ୍ୟାମ ସୁନ୍ଦରଙ୍କର ବଡ଼ ପୁଅ ସଞ୍ଜୟ ସଞ୍ଜୁଙ୍କୁ ବିବାହ କଲାପରେ ତାର ଦୁଇ ପୁଅ ସରୋଜ ଏବଂ ସାନୁ ଜନ୍ମ ହେଲା ପରେ ପରିବାରରେ ଖୁସିର ଲହରୀ ଖେଳି ଯାଇଥିଲା I କିନ୍ତୁ ସଞ୍ଜୟର ସାନ ପୁଅ ସାନୁ ଜନ୍ମରୁ ବିକଳାଙ୍ଗ ହୋଇଥିବାରୁ ସଞ୍ଜୟ ତାର ଚିକିତ୍ସା ପାଇଁ ବହୁ ଟଙ୍କା ଖର୍ଚ୍ଚ କରି ସର୍ବସ୍ୱାନ୍ତ ହୋଇ ପଡିବା ପରେ ପରିବାର ଚଳାଇବା ତାଙ୍କ ପକ୍ଷରେ କଷ୍ଟକର ହୋଇପଡିଥିଲା I ଏପଟେ କରୋନା ମହାମାରୀ ବୋଝ ଉପରେ ନଳିତା ବିଡ଼ା ପରି ଦାଉ ସାଧିଥିଲା ସଞ୍ଜୟର ପରିବାର ଉପରେ I ଏହି ସମୟରେ ସାନ ପୁଅର ଚିକିତ୍ସା ସହ ପରିବାର ଚଳାଇବା ପାଇଁ ସଞ୍ଜୟ ବହୁ ଟଙ୍କା ଧାର ଉଧାର କରି ସାରିବା ପରେ ଏହି କରଜ ସୁଝିବା ପାଇଁ ନିକଟସ୍ଥ ପାଲକଷଣ୍ଢା ଗ୍ରାମର ଜନୈକ ଠିକାଦାରଙ୍କ ସହାୟତାରେ ମାତ୍ର ସପ୍ତାହେ ତଳେ ଜାନୁୟାରୀ 10 ତାରିଖରେ ହାଇଦ୍ରାବାଦ ଯାଇ ସେଠାରେ ଏକ କଂଷ୍ଟ୍ରକ୍ସନ୍ କମ୍ପାନିରେ ଦାଦନ ଶ୍ରମିକ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ I ସବୁଦିନ ଭଳି ଗତ ସୋମବାର ସକାଳେ କମ୍ପାନିର ଏକ ତିନି ମହଲା କୋଠା ଉପରେ ଏକ ଲୁହା ରଡ୍ କୁ ସିଧା କରୁ୍ଥିବା ସମୟରେ ହଠାତ୍ ଛିଟିକି ପଡି ସଞ୍ଜୟ ତିନି ମହଲା ଉପରୁ ତଳେ କଚାଡ଼ି ହୋଇ ପଡିଥିଲେ I ସେଠାରୁ ତାଙ୍କର କିଛି ସହକର୍ମୀ ହସ୍ପିଟାଲ ରେ ଭର୍ତି କରିଥିଲେ । ସେଠାରେ ଡ଼ାକ୍ତର ସଞ୍ଜୟକୁ ମୃତ ଘୋଷଣା କରିଥିଲେ I ସେଠାରୁ ଏକ ଆମ୍ବୁଲାନ୍ସ ମାଧ୍ୟମରେ ଠିକାଦାର ଏବଂ କଣ୍ଟ୍ରାକ୍ଟର୍ ସହାୟତାରେ ସଞ୍ଜୟର ଶବକୁ ନିଜ ଗ୍ରାମ ସିଂହମର୍ଦ୍ଦନକୁ ପଠାଇ ଦିଆଯାଇଥିଲା I ଆଜି ସକାଳ 10 ଘଣ୍ଟ 30 ମିନଟ୍ ସମୟରେ ସଞ୍ଜୟର ଶବ ଗାଆଁରେ ପହଞ୍ଚିବା ପରେ ସାରା ଗାଆଁ କାନ୍ଦ ବୋବାଳିରେ ଫାଟି ପଡ଼ିଥିଲା I ଏକ ଶୋକାକୁଳ ପରିବେଶ ମଧ୍ୟରେ ଗାଆଁ ଶ୍ମଶାନରେ ସଞ୍ଜୟର ଶବ ସଂସ୍କାର କରାଯାଇଥିଲା I ସଞ୍ଜୟର ପରିବାର ଅତ୍ୟନ୍ତ ଗରୀବ ଶ୍ରେଣୀର ହୋଇଥିବାରୁ କଣ୍ଟ୍ରାକ୍ଟର ସଞ୍ଜୟର ପରିବାରକୁ ଦୁଇ ଲକ୍ଷ କୋଡ଼ିଏ ହଜାର ଟଙ୍କା ଅନୁକମ୍ଫା ରାଶି ପ୍ରଦାନ କରିବାକୁ ପ୍ରତିଶୃ୍ତି ଦେଇଥିବା ବେଳେ ଦୁଇ ଲକ୍ଷ ଟଙ୍କା ଠିକାଦାର ମାଧ୍ୟମରେ ପରିବାର ଲୋକଙ୍କୁ ଦେବା ସହ ବକେୟା କୋଡ଼ିଏ ହଜାର ଖୁବ୍ ଶୀଘ୍ର ପ୍ରଦାନ କରିବେ ବୋଲି ପ୍ରକାଶ କରିଛନ୍ତି I ଏପଟେ ସଞ୍ଜୟ ଚାଲି ଯିବା ପରେ ନିଜର ବୃଦ୍ଧା ବାପା, ମାଆ, ବିଧବା ସ୍ତ୍ରୀ ସହିତ ପିଲା ମାନଙ୍କର ଭବିଷ୍ୟତ ମଧ୍ଯ ଅନ୍ଧକାରକୁ ଠେଲି ହୋଇଯାଇଛି I