● ଯୁବ ଚିତ୍ରକର ଦେବେନ୍ଦ୍ର ଖଟୁଆଙ୍କର ସଡକ ଦୁର୍ଘଟଣାରେ ମୃତ୍ୟୁ
● ଝୁରୁଛି ସାରା ବାଲେଶ୍ଵରର ଶିଳ୍ପୀ ଓ ଲେଖକକୁଳ
ବାଲେଶ୍ଵର, କୃଷ୍ଣ କୁମାର ମହାନ୍ତିଙ୍କ ଠାରୁ – ହାତରେ ଆର୍ଟ ପେପର୍ ଓ ଜଳରଙ୍ଗ ତୂଳୀ ଧରି ରାସ୍ତା କଡ, ଧାନବିଲ, ନଈପଠା ବା ପୋଖରୀ ତୁଠରେ ଚକାପାରି ଆଉ ବସିବ ନାହିଁ ସେଇ ମଣିଷଟି। ସେ ହାତ ଆଉ ଆଙ୍କିବ ନାହିଁ ଜଳରଙ୍ଗର ଛବି। ଚିତ୍ର ଅଙ୍କା ଶିଖୁଥିବା ପିଲାଏ ଅନେଇ ବସିଥିବେ ତାଙ୍କ ପ୍ରିୟ ସାର୍ ଙ୍କୁ। ସାର୍ କିନ୍ତୁ ଆଉ ପହଞ୍ଚିବେ ନାହିଁ ଶ୍ରେଣୀରେ। ପ୍ରାଣପ୍ରିୟା ପତ୍ନୀ ଆଉ ଦେଖିବ ନାହିଁ ହସହସ ମୁହଁ ସ୍ଵାମୀର। ଆଦରର ପୁଅ ବାପାର କୋଳରେ ବସି ଗେହ୍ଲା ହେଇପାରିବନି ଆଉ। ହଁ, ସେଇ ପ୍ରିୟ ମଣିଷଟି ଆଜି ଏକ ଅବିଶ୍ଵସନୀୟ ସଡ଼କ ଦୁର୍ଘଟଣାରେ ଆଖି ବୁଜି ଦେଇଛନ୍ତି ସବୁଦିନ ପାଇଁ। ସେ ହେଲେ ବାଲେଶ୍ବରର ସୁଖ୍ୟାତ ଚିତ୍ରଶିଳ୍ପୀ ଦେବେନ୍ଦ୍ର ଖଟୁଆ। ବୟସ ମାତ୍ର ୪୨।
ଆଜି ଶ୍ରୀ ଖଟୁଆ ଦିନ ୧୧ଟା ସମୟରେ ଘରୁ ବାହାରି ରେମୁଣା ଜାନୁଗଞ୍ଜ
ଗୋଲେଇକୁ ସ୍କୁଟିରେ ଯାଉଥିଲେ। ଜାଗୁଗଞ୍ଜ ଷ୍ଟେଟ୍ବ୍ୟାଙ୍କ ଠାରେ ତାଙ୍କ ଗାଡ଼ିର ଚକା ସ୍ଲିପ୍ କରିବାରୁ ସେ ଭାରସାମ୍ୟ ହରାଇ ତଳେ ପଡ଼ି ଯାଇଥିଲେ। ମୁଣ୍ଡରେ ପିନ୍ଧିଥିବା ହେଲମେଟ୍ ଛିଟିକି ପଡିଥିଲା ରାସ୍ତାରେ। ଆଖି ପିଛୁଳାକେ ପଛରୁ ଦ୍ରୁତ ଗତିରେ ଆସୁଥିବା
ରଘୁନାଥ ନାମକ ଏକ ଘରୋଇ ବସ୍ ତାଙ୍କ ମୁଣ୍ଡ ଉପରେ ଚଢି ଯାଇଥିଲା।
ଫଳରେ ଘଟଣାସ୍ଥଳରେ ହିଁ ଦେବେନ୍ଦ୍ରଙ୍କର ମୃତ୍ୟୁ ହୋଇ ଯାଇଥିଲା। ପରେ ଖବର ପାଇ ଶିଳ୍ପାଞ୍ଜଳ ଥାନାଧିକାରୀ ଘଟଣା ସ୍ଥଳରେ ପହଞ୍ଚି ବସ୍କୁ ଜବତ କରିବା ସହିତ ଶ୍ରୀ ଖଟୁଆଙ୍କୁ ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ।
ଦେବେନ୍ଦ୍ର ସବୁଦିନ ସକାଳେ ଫକୀରମୋହନ ଗୋଲେଇ ସ୍ଥିତ ଚାହା ଖଟିକୁ ଆସି କିଛି ସମୟ ଅତିବାହିତ କରନ୍ତି। ଆଜି ମଧ୍ୟ ସେ ଆସିଥିଲେ ଏବଂ ସବୁଠୁ ଭଲ ପାଉଥିବା କବି ପ୍ରଶାନ୍ତ ଦାସଙ୍କୁ ‘ମୁଁ ଯାଉଛି ପ୍ରଶାନ୍ତ ଭାଇ’ ବୋଲି ଦୁଇଥର କହିକି ଯାଇଛନ୍ତି। ଯିବାର ଦୁଇଘଣ୍ଟା ଭିତରେ ବିଜୁଳି ବେଗରେ ଦେବେନ୍ଦ୍ର ଙ୍କ ମୃତ୍ୟୁ ଖବର ସାରା ସହର ଏବଂ ସୋସିଆଲ ମିଡିଆରେ ବ୍ୟାପିଯାଇଥିଲା।
ସ୍ବର୍ଗତ ଖଟୁଆ ଜଣେ ମେଳାପୀ ଓ ଉଦ୍ୟମୀ ଚିତ୍ରଶିଳ୍ପୀ ଭାବରେ ବେଶ୍ ଜଣାଶୁଣା। ସାହିତ୍ୟ ଓ ସାଂଗଠନିକ କାର୍ଯ୍ୟ ସମେତ ସେ ଚିତ୍ର ଆଙ୍କିବାକୁ ପେସା ଭାବେ ଗ୍ରହଣ କରିଥିଲେ।
ତାଙ୍କ ମୃତ୍ୟୁ ଖବର ପାଇ ବାଲେଶ୍ବର ସହରର ବହୁ
ସାହିତ୍ୟିକ, ସାମ୍ବାଦିକ ଓ ଶିଳ୍ପୀ ଗଣ ଡାକ୍ତରଖାନାରେ ପହଞ୍ଚି ତାଙ୍କର ଶେଷ ଦର୍ଶନ କରିବା ସହିତ ଗଭୀର ଶୋକପ୍ରକାଶ କରିଥିଲେ। କବି ଶ୍ରୀଦେବ, ପ୍ରଶାନ୍ତ ଦାସ, ରଞ୍ଜନ ବାଗ, ଉତ୍ପଳ ମହାନ୍ତି, କୃଷ୍ଣ କୁମାର ମହାନ୍ତି, ଗାଳ୍ପିକ ନିବାରଣ ଜେନା, ଗଂଗାଧର ବିଶ୍ଵାଳ, ଡକ୍ଟର ଲକ୍ଷ୍ମୀକାନ୍ତ ତ୍ରିପାଠୀ, ତପନ ରାୟ, ଡକ୍ଟର ହରିଶ୍ଚନ୍ଦ୍ର ବେହେରା, କବି କାଳୀପଦ ପଣ୍ଡା, ଅଞ୍ଜନ ଚାନ୍ଦ, ସାମ୍ବାଦିକ ସତ୍ୟଶିବ ଦାସ, ଶଶିରଂଜନ ମଲ୍ଲିକ, ମଧୁସୂଦନ ଦାସ, କୁଳମଣି ବାରିକ, ବଂଶୀଧର ଜେନା, ରତିକାନ୍ତ ପାତ୍ର, ପ୍ରତ୍ୟାଶା ପ୍ରିୟମ୍ବଦା, କୈଳାସ ବେହେରା, ଆଲୋକ ବାରିକ, ମାନସ ବିଶ୍ଵାଳ, ମନୋଜ ରାଉଳ, ରୁଦ୍ର ରଂଜନ ଶେଯପଡା, କବିତା ପାତ୍ର, ଜୀବନଜ୍ୟୋତି ନାୟକ, ଆଶୁତୋଷ ମଲ୍ଲିକ, ଚିତ୍ରଶିଳ୍ପୀ ନିକୁଞ୍ଜ ବିହାରୀ ଦାସ, କେଶୁ ଦାସ, ରାଜେଶ ଗିରି, ଗୋବିନ୍ଦ ନାୟକ, ଡାକ୍ତର ଶାନ୍ତନୁ ଦାସ ଏବଂ ଆହୁରି ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ଦେବେନ୍ଦ୍ରଙ୍କ ମରଶରୀରକୁ ଶେଷଦର୍ଶନ କରିଥିଲେ। ହସପିଟାଲରେ ଅନେକେ କାନ୍ଦୁଥିବାର ଦୃଶ୍ୟ ସମଗ୍ର ବାତାବରଣକୁ ଶୋକାପ୍ଳୁତ କରିଦେଇଥିଲା।
ତାଙ୍କର ପତ୍ନୀ ଏବଂ ୮ ବର୍ଷର ଏକମାତ୍ର ପୁତ୍ରସନ୍ତାନ ବାଙ୍ଗାଲୋର ଯାଇଥିବା ଯୋଗୁଁ ତାଙ୍କୁ ଖବର ଦିଆଯାଇଛି।
୧୯୭୭ ମସିହା ଜୁନ ୧୧ରେ ଜନ୍ମିତ ଦେବେନ୍ଦ୍ର ଜନ୍ମ। ବାଲେଶ୍ବର ସହରର ସହଦେବଖୁଣ୍ଟା ନିକଟସ୍ଥ
ଭୀମପୁରା ଗ୍ରାମରେ ରହୁଥିଲେ। ତାଙ୍କ ବାପା ପିତାମ୍ବର ଖଟୁଆ ଓ ମାତା ଜୟନ୍ତୀ ଖଟୁଆ। ବାଲେଶ୍ଵର ପବ୍ଲିକ୍ ସ୍କୁଲରୁ ଶିକ୍ଷା ଗ୍ରହଣ ପରେ ସେ ବାଲେଶ୍ବର ଆର୍ଟ ଏଣ୍ଡ କ୍ରାଫ୍ଟ କଲେଜରୁ ଚିତ୍ରକଳାରେ ଉପାଧି ଓ ଉପାଧ୍ୟୁତ୍ତର ଶିକ୍ଷା ଗ୍ରହଣ କରିଥିଲେ। ସେ ଭୀମପୁରା ୟୁଜିୟୁପି ସ୍କୁଲର ସରକାରୀ କଳା ଶିକ୍ଷକ ଭାବେ କାର୍ଯ୍ୟ କରିବା ସହ ବହୁ ଅନୁଷ୍ଠାନ ସହିତ ଜଡ଼ିତ ରହି ଅନେକ ପିଲାଙ୍କୁ ଚିତ୍ରଶିକ୍ଷା ମଧ୍ୟ ଶିଖାଉଥିଲେ। ସେ ଚିତ୍ରକଳାର ଜଳରଙ୍ଗ ବିଭାଗରେ ନିପୁଣ ଥିଲେ।ତାଙ୍କ ଜଳରଙ୍ଗ ଛବିଗୁଡିକରେ ରିଏଲିଷ୍ଟିକ୍ ଶୈଳୀ ପରିସ୍ଫୁଟିତ ହେବା ସହ ପ୍ରକୃତିକୁ ନେଇ ସେ ବିଶେଷ ପାରଦର୍ଶିତା ଅର୍ଜନ କରିଥିଲେ।
ସେ ରାଜ୍ୟ ଏବଂ ରାଜ୍ୟ ବାହାରର ବିଭିନ୍ନ ସ୍ବୀକୃତିପ୍ରାପ୍ତ
ଅନୁଷ୍ଠାନ ପକ୍ଷରୁ ପୁରସ୍କୃତ ହୋଇଛନ୍ତି । ୨୦୦୩ରେ ‘ନଦୀ ମୁହାଣର ଦୃଶ୍ୟ’ ଓ ୨୦୧୦ରେ
‘ୱେ ଟୁ ଚାନ୍ଦିପୁର’ ଚିତ୍ର ପାଇଁ ସେ ରାଜ୍ୟର ଶ୍ରେଷ୍ଠ ଜଳରଙ୍ଗ କଳାକାର ଭାବେ ଲଳିତ
କଳା ଏକାଡେମୀ ପୁରସ୍କାର ଲାଭ କରିଥିଲେ। ସେହିପରି ୨୦୦୨ରେ ‘ୱିଣ୍ଟର ମର୍ଣ୍ଣିଂ’
ଚିତ୍ର ପାଇଁ ଜାତୀୟ ପୁରସ୍କାର ଲାଭ କରିଥିଲେ। ୨୦୦୪ ଓ ୨୦୦୬ରେ ଇଣ୍ଡିଆ ଏକାଡେମୀ ଅଫ୍ ଫାଇନ୍ ଆର୍ଟ୍ସ ଦ୍ଵାରା ମଧ୍ୟ ସେ ପୁରସ୍କୃତ ହୋଇଥିଲେ। ଏହା ବ୍ୟତୀତ ୩୦୦ରୁ ଊର୍ଦ୍ଧ୍ବ ପୁସ୍ତକ ଓ ପତ୍ରପତ୍ରିକାରେ ପ୍ରଚ୍ଛଦ ଓ ଅଳଙ୍କରଣ କରି ସେ ସୁନାମ ଅର୍ଜନ କରି ପାରିଥିଲେ।
“ଦେବେନ୍ଦ୍ର ଆମ ବାଲେଶ୍ଵରର ଜଣେ ଜିନିୟସ୍ ଆର୍ଟିଷ୍ଟ୍ ଥିଲେ। ତାଙ୍କ ବିୟୋଗରେ ଏ ମାଟି ଅନେକ କିଛି ହରେଇଲା। ମୁଁ ମୋର ସାନଭାଇକୁ ହରେଇଲି। ମୋର ଅନେକ ବହିରେ ସେ ଚିତ୍ର ଆଙ୍କିଛନ୍ତି” ବୋଲି ଭାବ ଛଳଛଳ ସ୍ଵରରେ ‘ଇଣ୍ଡୋକଳିଙ୍ଗଟାଇମ୍ସ’କୁ କହିଛନ୍ତି କବି ପ୍ରଶାନ୍ତ ଦାସ।