କେନ୍ଦ୍ରାପଡା – କେନ୍ଦ୍ରାପଡାର ଗଣପର୍ବ ମା ଗଜଲକ୍ଷ୍ମୀ ପୂଜା ନିମନ୍ତେ ବିଭିନ୍ନ ପୂଜା କମିଟି ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି । ସହରରେ ୪୮ ଟି ମଣ୍ଡପରେ ମା ଲକ୍ଷ୍ମୀଙ୍କ ପୂଜା ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି । ଏଥିନିମନ୍ତେ ସମସ୍ତ ପ୍ରସ୍ତୁତି ଶେଷ ଅବସ୍ଥାରେ ପହଁଚିଛି । ଆଉ ଦୁଇଦିନ ପରେ କୁମାର ପୂର୍ଣ୍ଣିମା ତିଥି ରବିବାର ଦିନ ପୂଜା କାର୍ଯ୍ୟ ଆରମ୍ଭ ହେବ ।
କେନ୍ଦ୍ରାପଡାରେ ୮୦ ବର୍ଷର ପରମ୍ପରା ମା ଗଜଲକ୍ଷ୍ମୀଙ୍କ ପୂଜା ପ୍ରତିବର୍ଷ ଧୁମଧାମରେ ପାଳିତ ହୋଇଥାଏ । ଚଳିତବର୍ଷ ଏଥିନିମନ୍ତେ ମାଙ୍କ ମଣ୍ଡପ ସଜ୍ଜା ଚାଲିଛି । ଅଧିକାଂଶ ପୂଜା ମଣ୍ଡପରେ ସାଜସଜ୍ଜା ପ୍ରାୟତଃ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଂଚିଛି । ମାଙ୍କ ଚକ୍ଷୁଦାନ କାର୍ଯ୍ୟ ଶେଷ ଅବସ୍ଥାରେ ପହଁଚିଥିବାବେଳେ କାରିଗର ଦିନରାତି କାର୍ଯ୍ୟରେ ଲାଗିଛନ୍ତି । କପଡା ତୋରଣ ସାଙ୍ଗକୁ ଆଲୋକ ତୋରଣ ମାନ ନିର୍ମାଣ କରାଯାଇଛି । ପୂଜାକୁ ଶାନ୍ତି ଶୃଙ୍ଖଳାର ସହିତ ପାଳନ କରିବା ନିମନ୍ତେ ଜିଲ୍ଲା ପ୍ରଶାସନ ବାରମ୍ବାର ଶାନ୍ତି କମିଟି ବୈଠକ ଡାକି ଆଲୋଚନା କରିଛନ୍ତି । ଏଥିନିମନ୍ତେ ସହରରେ ବିଭିନ୍ନ ଛକରେ ସିସି କ୍ୟାମେରା ଲଗାଯାଇଛି । ପ୍ରତି ମଣ୍ଡପ ନିକଟରେ ପୋଲିସ ମୂତୟନ କରିବାର ବ୍ୟବସ୍ଥା କରାଯାଇଛି । ତୁହାକୁ ତୁହା ବର୍ଷା ଭୟ ସୃଷ୍ଟି କରୁଥିଲେ ମଧ୍ୟ ପୂଜା କମିଟି କାର୍ଯ୍ୟରେ ଆଗେଇ ଚାଲିଛନ୍ତି । କମିଟିର ସଦସ୍ୟମାନେ ଆନ୍ତରିକତାର ସହିତ କାର୍ଯ୍ୟ କରୁଥିବାର ଦେଖାଯାଇଛି । ତିନିମୁହାଣୀ ପୂଜା ମଣ୍ଡପରେ ସୁଦୃଶ୍ୟ କପଡା ତୋରଣ ନିର୍ମାଣ କରାଯାଇଛି । ସାଂସ୍କୃତିକ କାର୍ଯକ୍ରମ ନିମନ୍ତେ ପେଣ୍ଡାଲ୍ ନିର୍ମାଣ କାର୍ଯ୍ୟ ଚାଲିଛି । ପୂଜା କାର୍ଯ୍ୟ ୧୩ ତାରିଖରୁ ଆରମ୍ଭ ହୋଇ ୧୯ରେ ଶେଷ ହେବ । ୨୦ ଏବଂ ୨୧ ଭସାଣୀ ଉତ୍ସବ ଅନୁଷ୍ଠିତ ହେବ ବୋଲି ଜଣାପଡିଛି ।