ପୁରୀ ବାସିନ୍ଦାଙ୍କ ପାଇଁ ସକାଳ ୬ଟାରୁ ୭ଟା ପର୍ଯ୍ୟନ୍ତ ସ୍ୱତନ୍ତ୍ର ଧାଡ଼ି ବ୍ୟବସ୍ଥା କରାଯାଇଛି । ସକାଳ ୭ଟା ପରେ ସାଧାରଣ ଭକ୍ତ ମାନେ ମନ୍ଦିରକୁ ଯାଇ ଶ୍ରୀଜୀଉ ମାନଙ୍କ ଦର୍ଶନ କରିପାରିବେ । ଏଥିଲାଗି ସେବାୟତଙ୍କ ସହ ପ୍ରଶାସନ ପକ୍ଷରୁ ଆଲୋଚନା ହୋଇଛି । ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଭକ୍ତଙ୍କ ପାଇଁ ବ୍ୟାରିକେଡ୍ ବ୍ୟବସ୍ଥା କରାଯାଇଛି । ଥର୍ମାଲ୍ ସ୍କ୍ରିନିଂ ଓ ସାନିଟାଇଜ୍ ହେବା ପରେ ସିଂହଦ୍ୱାର ଦେଇ ମନ୍ଦିର ପ୍ରବେଶ କରିବେ ଶ୍ରଦ୍ଧାଳୁ । କୋଭିଡ଼୍ ର କୌଣସି ଲକ୍ଷଣ ପରିଲକ୍ଷିତ ହେଉଥିଲେ କିମ୍ବା ସ୍କ୍ରିନିଂରୁ ଯଦି ଜଣାପଡେ ତେବେ ତାଙ୍କୁ ମନ୍ଦିର ଭିତରକୁ ଛଡାଯିବ ନାହିଁ । ସେହିପରି ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକ ମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଶ୍ରଦ୍ଧାଳୁଙ୍କ ଭିଡ଼ ଏଡାଇବା ଓ ଶୃଙ୍ଖଳିତ ଦର୍ଶନକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ସୁରକ୍ଷା ଦାୟୀତ୍ୱରେ ୨୬ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ରହିବେ । ୨ ଜଣ ଅତିରିକ୍ତ ଏସପି, ୭ ଜଣ ଡିଏସପି ଓ ୨୦ ଜଣ ଇନ୍ସପେକ୍ଟର ଏହାର ତଦାରଖ କରିବେ ।
ଏଠାରେ ଉଲ୍ଲେଖଯୋଗ୍ୟ, ପୂର୍ବରୁ ପ୍ରଶାସନ ପକ୍ଷରୁ ଦର୍ଶନ ପାଇଁ କୋଭିଡ଼୍ ନେଗେଟିଭ୍ ରିପୋର୍ଟକୁ ବାଧ୍ୟତାମୂଳକ କରାଯାଇଥିଲା । ଯାହାକୁ ନେଇ ଭକ୍ତଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ଦେଖିବାକୁ ମିଳିଥିଲା ।