କେନ୍ଦ୍ରାପଡା – ତୁଳସୀ କ୍ଷେତ୍ରର ଆରାଧ୍ୟ ଶ୍ରୀ ସିଦ୍ଧ ବଳଦେବଜୀଉ । ମହାପ୍ରଭୁଙ୍କ ପାଇଁ ତୁଳସୀ କ୍ଷେତ୍ର ପ୍ରସିଦ୍ଧି ଲାଭ କରିଥିବା ବେଳେ କେନ୍ଦ୍ରାପଡାବାସୀ ସେଥିପାଇଁ ଗର୍ବିତ ଓ ଧନ୍ୟ । ତେଣୁ ଏହି ପବିତ୍ର କ୍ଷେତ୍ରର ପ୍ରଭୁ ଶ୍ରୀ ବଳଦେବଜୀଉଙ୍କ ସମ୍ମାନ ରକ୍ଷା କରିବା କେନ୍ଦ୍ରାପଡାବାସୀଙ୍କ ପ୍ରମୁଖ କର୍ତବ୍ୟ । କେନ୍ଦ୍ରାପଡାରେ ଅନେକ ଐତିହ୍ୟ ରହିଥିବା ବେଳେ ସେଥିମଧ୍ୟରୁ ଗଜଲକ୍ଷ୍ମୀ ପୂଜା ଅନ୍ୟତମ ଓ ସ୍ୱତନ୍ତ୍ରତାର ମାନ୍ୟତା ପାଇଛି । ଆସନ୍ତା ଲକ୍ଷ୍ମୀପୂଜାରେ ନୂତନ ପଦ୍ଧତିରେ ପୂଜା କରିବା ପାଇଁ ଏବଂ ବର୍ତମାନର ସମାଜର ପରିସ୍ଥିତିକୁ ଦୃଷ୍ଟିରେ ରଖି ଆମ ସଂସ୍କୃତି ଓ ସମାଜର ସଂସ୍କାରକୁ ସୁଧାରିବା ନିମନ୍ତେ ଗରାପୁରସ୍ଥିତ ଦିବ୍ୟ ଜୀବନ ସଂଘ- ଶିବାନନ୍ଦ ଆଶ୍ରମ ପକ୍ଷରୁ ଜନସାଧାରଣଙ୍କୁ ନିବେଦନ କରାଯାଇଛି ।
ଏହି ପୂଜା ନିମନ୍ତେ ଧନ ଖର୍ଚ୍ଚ କରାଯାଉଥିବା ବେଳେ ପରିଶ୍ରମ ମଧ୍ୟ କରାଯାଉଛି, କିନ୍ତୁ ମା’ଲକ୍ଷ୍ମୀଙ୍କ ଆଶିର୍ବାଦ ମିଳିବା ପାଇଁ ମା ଖୁସିହେଲାପରି କାର୍ଯ୍ୟ କରିବା ଉଚିତ । ମା’ ଜଗତଜନନୀ ମହାଲକ୍ଷ୍ମୀ ଆସୁଛନ୍ତି ଆମ ଘରକୁ ବା ଆମ ସହରକୁ । ଆମେ ମା’ଙ୍କୁ କିପରି ସ୍ୱାଗତ କରିବା ସେହି ବିଚାର ଆମମାନଙ୍କର ମୁଖ୍ୟ କର୍ତବ୍ୟ ଭାବିବା ଉଚିତ । ମା’ଲକ୍ଷ୍ମୀ ହେଉଛନ୍ତି ଆମ ପ୍ରତ୍ୟେକ ଘରର କୁଳଦେବୀ । ତେଣୁ ଆମ ସହରକୁ ପବିତ୍ରତାରେ ଭରିଦେବା । ମନରୁ ସବୁକିଛି ଭୁଲି ସମସ୍ତେ ମିଳିମିଶି କେନ୍ଦ୍ରାପଡା ତୁଳସୀକ୍ଷେତ୍ରର ଭାଇଚାରାକୁ ବଜାୟ ରଖିବା ପାଇଁ ଆଗାମୀ ଲକ୍ଷ୍ମୀ ପୂଜା ଆମ ପାଇଁ ଏକ ସୁବର୍ଣ୍ଣ ସୁଯୋଗ । ଏକ ସପ୍ତାହ ଧରି ଏହି ଉତ୍ସବକୁ ପାଳନ କରିବା ବେଳେ ସହରରେ ଆମିଷ ଭକ୍ଷଣକୁ ନିଷେଧ କରାଯିବା, ପ୍ରତ୍ୟେକ ଘରର ଦୁଆର ମୁହଁରେ କଳସ ସ୍ଥାପନ କରାଯିବା ସହ ଆମ୍ବପତ୍ର, ତୋରଣ ଓ କଦଳୀଗଛ ରଖାଯିବା, ପ୍ରତି ପୂଜା ମଣ୍ଡପରେ ଅଶ୍ଳୀଳ ସଂଗୀତ, ନାଚ ପରିବର୍ତେ ଭକ୍ତି ସଂଗୀତ ଓ ଓଡିଶୀ ନୃତ୍ୟ ପରିବେଷଣ ହେବା, ନିଷାଦ୍ରବ୍ୟ ସେବନ, ଧୂମପାନ ନିଷେଧ କରାଯିବା, ପ୍ରତି ମଣ୍ଡପରେ ଲକ୍ଷ୍ମୀ ପୁରାଣ, ଗୀତା, ଭାଗବତ, ରାମାୟଣ ଇତ୍ୟାଦି ପୁରାଣ ପଢାଯିବା ସହ ଭଜନ କୀର୍ତନ ଓ ସଂକୀର୍ତନ କରାଯିବା ଆବଶ୍ୟକ ବୋଲି ଗରାପୁର ଦିବ୍ୟ ଜୀବନ ସଂଘ ଶିବାନନ୍ଦ ଆଶ୍ରମର ସ୍ୱାମୀ ଦିବ୍ୟସ୍ୱରୁପାନନ୍ଦଜୀ (ଶ୍ରୀମା) କହିଛନ୍ତି । ଏହିସବୁ ନିୟମ ପାଳନ କରାଗଲେ ଆଗାମୀ ପିଢି ପାଇଁ ତୁଳସୀ କ୍ଷେତ୍ରରେ ମା’ଲକ୍ଷ୍ମୀଙ୍କ ପୂଜା ଏକ ଆଦର୍ଶ ପର୍ବ ଭାବେ ସ୍ମୃତି ହୋଇ ରହିବ । ଏହାର ପ୍ରଭାବ ପଡୋଶୀ ଜିଲ୍ଲାଗୁଡିକରେ ପଡିବ । ଯାହାଦ୍ୱାରା ଆମ ଭିତରେ ଉତମ ସଂସ୍କାର ଆସିବା ସହିତ ପରିବେଶ ଅତି ସୁନ୍ଦର, ନିର୍ମଳ, ଆନନ୍ଦ ମୁଖର ହେବ । ସହରରୁ ସମସ୍ତ ଆବର୍ଜ୍ଜନା ହଟେଇଦେବା ଓ ମନ ଭିତରୁ ସମସ୍ତ ଭେଦଭାବ ଦୂରେଇଦେବା ବର୍ତମାନର ସମାଜ ଆମ ଠାରୁ ଏହାହିଁ ଚାହୁଁଛି ବୋଲି ସେ କହିଛନ୍ତି । ଆମ୍ଭମାନେ ମିଳିତ ଭାବରେ ବୈଦିକ ମତରେ ପବିତ୍ର ଭାବରେ ପୂଜା କରିବା ସହ କେନ୍ଦ୍ରାପଡାର ପ୍ରସିଦ୍ଧ ତୁଳସୀ କ୍ଷେତ୍ରାଧିପତି ପ୍ରଭୁ ଶ୍ରୀବଳଦେବଜୀଉଙ୍କ ମର୍ଯ୍ୟାଦା ରକ୍ଷା କରିବାକୁ ହେଲେ ଆମେ ଶ୍ରଦ୍ଧା, ଭକ୍ତି, ପବିତ୍ରତା ଓ ସଦାଚାର ସହକାରେ ଏହି ଉତ୍ସବକୁ ପାଳନ କଲେ ଏହା ଆମ ପାଇଁ ପ୍ରକୃତ ପୂଜା ହେବ । ଏତଦ ଭିନ୍ନ ଆମେମାନେ ଯେଉଁ ଅର୍ଥ ବାଜା, ବାଣ, ନାଚ, ଗୀତ ଓ ନିଶାଦ୍ରବ୍ୟରେ ନଷ୍ଟ କରୁଛନ୍ତି ସେଇ ଅର୍ଥ ରଖି ମିଳିତ ଭାବେ ବା ନିଜ ନିଜ ମଣ୍ଡପମାନଙ୍କ ଦ୍ୱାରା ଦୁଃଖି, ଦରିଦ୍ର, ରୋଗୀ ସେବା ଭଳି ଜନସେବା କ୍ଷେତ୍ରରେ ବିତରଣ କଲେ ତାହାହିଁ ପ୍ରକୃତ ପୂଜା ହେବ ବୋଲି ସ୍ୱାମୀ ଦିବ୍ୟସୂରୁପାନନ୍ଦଜୀ(ଶ୍ରୀମା) ଜନସାଧାରଣଙ୍କୁ ନିବେଦନ କରିଛନ୍ତି ।