କେୱାଡିଆର ବିକାଶ ଯାତ୍ରା ସଂପର୍କରେ ଉଲ୍ଲେଖକରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସେଠାରେ ଥିବା ଷ୍ଟାଚ୍ୟୁ ଅଫ ୟୁନିଟକୁ ଏବେ ଷ୍ଟାଚ୍ୟୁ ଅଫ ଲିବର୍ଟିଠାରୁ ଅଧିକ ପର୍ଯ୍ୟଟକ ଆସୁଛନ୍ତି । ଏହି ଷ୍ଟାଚ୍ୟୁ ଅଫ ୟୁନିଟକୁ ଦେଖିବା ପାଇଁ ଇତିମଧ୍ୟରେ ୫୦ ଲକ୍ଷରୁ ଅଧିକ ପର୍ଯ୍ୟଟକ ଆସିସାରିଲେଣି । ଉଦ ଘାଟନ ହେବା ପରେ କେୱାଡିଆକୁ ପର୍ଯ୍ୟଟକମାନଙ୍କର ସମାଗମ ବୃଦ୍ଧି ପାଇଥିଲା ; ତେବେ କରୋନା ମହାମାରୀ ଦୃଷ୍ଟିରୁ ଏହାକୁ ବନ୍ଦ ରଖାଯାଇଥିଲା । ଏହା ପୁନର୍ବାର ଖୋଲା ହେବାପରେ ଏଠାକୁ ପର୍ଯ୍ୟଟକଙ୍କ ସମାଗମ ଯଥେଷ୍ଟ ବଢିଛି । ଏହାଛଡା କେୱାଡିଆକୁ ଯୋଗାଯୋଗ ବ୍ୟବସ୍ଥାରେ ଉନ୍ନତି ଘଟିବା ପରେ ପର୍ଯ୍ୟଟକଙ୍କ ସମାଗମ ବୃଦ୍ଧି ପାଇଛି । ପ୍ରାୟ ୧ ଲକ୍ଷ ପର୍ଯ୍ୟଟକ ଦୈନିକ ସେଠାକୁ ଯିବେ ବୋଲି ଆକଳନ କରାଯାଇଛି । କେୱାଡିଆ ଅର୍ଥନୀତି ଓ ପରିବେଶର ଉନ୍ନତି ପାଇଁ ଯୋଜାନବଦ୍ଧ ବିକାଶର ଏକ ଉତ୍ତମ ଉଦାହରଣ ବୋଲି ଉଲ୍ଲେଖକରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ପରିବେଶର ସୁରକ୍ଷା ସହିତ ବିକାଶ କିପରି କରିହେବ ତାହା କେୱାଡିଆ ଦେଖାଇଦେଇଛି ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ପ୍ରାରମ୍ଭିକ ଅବସ୍ଥାରେ କେୱାଡିଆର ପର୍ଯ୍ୟଟନ ବିକାଶ କଥା ଯେତେବେଳେ ବିଚାର କରାଗଲା ସେତେବେଳେ ଏହା ଆକାଶ କୁସୁମ ଭଳି ଲାଗୁଥିଲା । ଆମର ପୁରୁଣାକାଳିଆ କାମ କରିବାର ଢଙ୍ଗ ଯୋଗୁଁ ଏହା ଅବାସ୍ତବ ମନେ ହେଉଥିଲା । କାରଣ ସେଠାକୁ ରାସ୍ତାଘାଟ ନ ଥିଲା । ରେଳ ଯୋଗାଯୋଗ, ଷ୍ଟ୍ରିଟ ଲାଇଟ, ପର୍ଯ୍ୟଟକଙ୍କ ପାଇଁ ରହିବାର ବ୍ୟବସ୍ଥା ମଧ୍ୟ ସେଠାରେ ହୋଇପାରି ନ ଥିଲା । ଏବେ କେୱାଡିଆ ସଂପୂର୍ଣ୍ଣଭାବେ ବଦଳିଯାଇଛି । ପରିବାର ସହିତ ଆସୁଥିବା ପର୍ଯ୍ୟଟକମାନଙ୍କୁ ଏଠାରେ ରହିବାର ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆଯାଉଛି । କେୱାଡିଆରେ ଦେଖିବା ପାଇଁ ଷ୍ଟାଚ୍ୟୁ ଅଫ ୟୁନିଟ, ସର୍ଦ୍ଦାର ସରୋବର, ବିରାଟ ସର୍ଦ୍ଦାର ପଟେଲ ପ୍ରାଣୀ ଉଦ୍ୟାନ, ଆରୋଗ୍ୟ ବନ, ଜଙ୍ଗଲ ସଫାରି ଓ ପୋଷଣ ପାର୍କ ରହିଛି । ଏଠାରେ ମଧ୍ୟ ଏକ ଗ୍ଲୋ ଗାର୍ଡେନ, ଏକତା କ୍ରୁଜ ଏବଂ ଜଳକ୍ରୀଡା ସୁବିଧା ଉପଲବ ଧ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ପର୍ଯ୍ୟଟନର ବିକାଶ ଫଳରେ ସେଠାକାର ସ୍ଥାନୀୟ ଆଦିବାସୀ ନିଯୁକ୍ତି ସୁବିଧା ପାଇବା ସହ ଲୋକେ ମଧ୍ୟ ଆଧୁନିକ ସୁବିଧା ସୁଯୋଗ ପାଉଛନ୍ତି । ଏକତା ମଲ ରେ ସ୍ଥାନୀୟ ହସ୍ତଶିଳ୍ପମାନ ଉପଲବ ଧ ହେଉଛି । ଆଦିବାସୀ ଗାଁଗୁଡିକରେ ପର୍ଯ୍ୟଟକଙ୍କ ପାଇଁ ହୋମ ଷ୍ଟେ ବ୍ୟବସ୍ଥା କରିବାକୁ ପ୍ରାୟ ୨୦୦ ପ୍ରକୋଷ୍ଠ ତିଆରି କରାଯାଉଛି ।ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କେୱାଡିଆ ଷ୍ଟେସନର ଉନ୍ନତିକରଣ କାର୍ଯ୍ୟ ସେ ଅଂଚଳର ପର୍ଯ୍ୟଟନ ସୁବିଧା ବୃଦ୍ଧିକୁ ଆଖିଆଗରେ ରଖି କରାଯାଇଛି । ଏହି ଷ୍ଟେସନରେ ଏକ ଆଦିବାସୀ କଳାକୃତିର ଗ୍ୟାଲେରି ଓ ଏକ ଭ୍ୟୁଇଙ୍ଗ ଗ୍ୟାଲେରି ରହିଛି । ସେହି ଗ୍ୟାଲେରିରୁ ଷ୍ଟାଚ୍ୟୁ ଅଫ ୟୁନିଟକୁ ଦେଖିହେବ ।
ଲକ୍ଷ୍ୟଭିତ୍ତିକ ଉଦ୍ୟମ ଦ୍ୱାରା ଭାରତରେ ରେଳବାଇର କାୟା ପରିବର୍ତ୍ତନ କିପରି ହେଉଛି ପ୍ରଧାନମନ୍ତ୍ରୀ ସେ ସଂପର୍କରେ କହିଛନ୍ତି । ସେ କହିଛନ୍ତି ଯେ ରେଳବାଇ ପାରମ୍ପରିକ ଯାତ୍ରୀ ଓ ମାଲ ବୋହିବା ସହିତ ଏବେ ଦେଶର ବିଭିନ୍ନ ପର୍ଯ୍ୟଟନ ଓ ତୀର୍ଥସ୍ଥଳୀକୁ ଯାତ୍ରୀସେବା ଯୋଗାଉଛି । ଅହମ୍ମଦାବାଦ-କେୱାଡିଆ ଜନଶତାବ୍ଦୀ ସମେତ ବିଭିନ୍ନ ରୁଟ ରେ ଆକର୍ଷଣୀୟ ଭିଷ୍ଟାଡୋମ କୋଚର ବ୍ୟବସ୍ଥା କରାଯାଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।