![](https://indokalingtimes.com/wp-content/uploads/2019/09/modi01-1.jpg)
-
୧୦୦୦ କୋଟି ଟଙ୍କାର ଷ୍ଟାର୍ଟଅପ ଇଣ୍ଡିଆ ସିଡ ଫଣ୍ଡ ଘୋଷଣା କଲେ ପ୍ରଧାନମନ୍ତ୍ରୀ
![](https://indokalingtimes.com/wp-content/uploads/2019/09/modi01-1.jpg)
ଶ୍ରୀ ମୋଦୀ ଆହୁରି କହିଛନ୍ତି ଯେ ୨୦୨୦ର କରୋନା ମହାମାରୀ ସମୟରେ ୧୧ଟି ଭାରତୀୟ ଷ୍ଟାର୍ଟଅପ ୟୁନିକର୍ଣ୍ଣ କ୍ଲବରେ ସାମିଲ ହୋଇଥିଲେ ଏବଂ ସେହି ସଂକଟକାଳରେ ଆତ୍ମନିର୍ଭରତା ହାସଲରେ ସେମାନଙ୍କର ଅବଦାନ ଉଲ୍ଲେଖନୀୟ ଥିଲା । ଏସବୁ ଷ୍ଟାର୍ଟଅପ ସାନିଟାଇଜର, ପିପିଇ କିଟ ଓ ଅନ୍ୟାନ୍ୟ ସାମଗ୍ରୀ ଉତ୍ପାଦନ ଏବଂ ଯୋଗାଣରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିଲେ । ସେମାନେ ମଧ୍ୟ ଦୋକାନ ସଉଦା, ଔଷଧପତ୍ର ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ସଂକଟକାଳରେ ଲୋକଙ୍କ ଦ୍ୱାରମୁହଁରେ ପହଂଚାଇବାରେ ସକ୍ଷମ ହୋଇଥିଲେ । ଏହାଛଡା କରୋନା ଲଢେଇର ସମ୍ମୁଖ ଯୋଦ୍ଧାଙ୍କୁ ଗନ୍ତବ୍ୟସ୍ଥଳରେ ପହଂଚାଇବା, ପିଲାଙ୍କୁ ପାଠ୍ୟୋପକରଣ ଯୋଗାଇବା ଆଦି କ୍ଷେତ୍ରରେ ଭୂମିକା ପ୍ରଶଂସନୀୟ ଥିଲା । ଏହି ଷ୍ଟାର୍ଟଅପ ଗୁଡିକର ପ୍ରତିକୂଳ ପରିସ୍ଥିତିରେ ନୂଆ ସୁଯୋଗ ଓ ସୁବିଧା ସୃଷ୍ଟି କରିବାର ମନୋଭାବ ଉଲ୍ଲେଖନୀୟ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ‘ପ୍ରାରମ୍ଭ’ର ଯଥାର୍ଥ ଅର୍ଥ ଆଜି ହିଁ ଆରମ୍ଭ କର । ଆଜି ମଧ୍ୟ ବିମ ଷ୍ଟେକ ରାଷ୍ଟ୍ରଗୁଡିକର ଷ୍ଟାର୍ଟଅପ ସମ୍ମିଳନୀ ଆରମ୍ଭ ହୋଇଛି । ସେହିଭଳି ଷ୍ଟାର୍ଟଅପ ଇଣ୍ଡିଆ ଅଭିଯାନ ଏହାର ୫ ବର୍ଷର ସଫଳ ଯାତ୍ରା ପୂରଣ କରିଛି । ଏହା ସହିତ ଭାରତରେ ବିଶ୍ୱର ସର୍ବବୃହତ ଟିକାକରଣ କାର୍ଯ୍ୟକ୍ରମ ମଧ୍ୟ ଆରମ୍ଭ ହୋଇଛି । ଏହି ଗୋଟିଏ ଦିନ ଆମ ବୈଜ୍ଞାନିକ, ଯୁବଶକ୍ତି, ଉଦ୍ୟୋଗୀ, ଚିକିତ୍ସକ, ନର୍ସ, ସ୍ୱାସ୍ଥ୍ୟସେବା କର୍ମୀ ଓ ଅନ୍ୟାନ୍ୟ କର୍ମଚାରୀମାନଙ୍କର ଦକ୍ଷତା ଦେଖିଛି ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବିମ ଷ୍ଟେକ ଅନ୍ତର୍ଭୁକ୍ତ ରାଷ୍ଟ୍ର ବାଂଲାଦେଶ, ଭୁଟାନ, ଭାରତ, ନେପାଳ, ଶ୍ରୀଲଙ୍କା, ମ୍ୟାଁମାର ଓ ଥାଇଲାଣ୍ଡରେ ଷ୍ଟାର୍ଟଅପ ପାଇଁ ଅପୂର୍ବ ସୁବିଧା ସୁଯୋଗ ଓ ବାତାବରଣ ରହିଛି । ଏହି ଶତାବ୍ଦୀ ଡିଜିଟାଲ ଆନ୍ଦୋଳନର ଶତାବ୍ଦୀ ଏବଂ ନୂଆ ଯୁଗର ନବସୃଜନ ଏହି ଶତାବ୍ଦୀର ଆବଶ୍ୟକତା ପାଲଟିଛି । ଏହା ମଧ୍ୟ ଏସିଆର ଶତାବ୍ଦୀ । ଅତଏବ ନୂଆ ଟେକ ନୋଲଜି ଓ ଉଦ୍ୟମିତା ଏହି ଅଂଚଳରୁ ହିଁ ସୃଷ୍ଟି ହେବା ଉଚିତ ଏବଂ ଏହା ସମୟର ଆହ୍ୱାନ । ଏ କ୍ଷେତ୍ରରେ ସବୁ ଏସୀୟ ରାଷ୍ଟ୍ରମାନେ ସହଯୋଗ କରିବାକୁ ସେ ଆହ୍ୱାନ ଜଣାଇଛନ୍ତି । ବିମ ଷ୍ଟେକ ମେଣ୍ଟଭୁକ୍ତ ଦେଶରେ ବିଶ୍ୱ ଜନସଂଖ୍ୟାର ଏକ ପଂଚମାଂଶ ଲୋକ ବସବାସ କରୁଥିବାରୁ ଏ କ୍ଷେତ୍ରରେ ଆମର ବିଶେଷ ଗୁରୁତ୍ୱ ରହିଛି ବୋଲି ସେ କହିଛନ୍ତି ।
ଏହି ଅବସରରେ ପ୍ରଧାନମନ୍ତ୍ରୀ ଇଭୋଲ୍ୟୁସନ ଅଫ ଷ୍ଟାର୍ଟଅପ ଇଣ୍ଡିଆ ବୁକ ଲେଟକୁ ଉନ୍ମୋଚନ କରିଥିଲେ । ଷ୍ଟାର୍ଟଅପ କ୍ଷେତ୍ରରେ ଭାରତର ୫ ବର୍ଷର ଯାତ୍ରା ବିଷୟରେ ଏଥିରେ ଉଲ୍ଲେଖ ରହିଛି । ପ୍ରାରମ୍ଭରେ କିଛି ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ଭାରତ ସଫଳତାର ସହ ଯେଉଁ ଷ୍ଟାର୍ଟଅପ ପରିବେଶ ତିଆରି କରିଥିଲା ତାହା ବିଶ୍ୱର ସର୍ବବୃହତ ଷ୍ଟାର୍ଟଅପ ବ୍ୟବସ୍ଥାର ମାନ୍ୟତା ପାଇଛି । ଏଥିରେ ୪୧ ହଜାର ଷ୍ଟାର୍ଟଅପ ରହିଛି । ସେଥିମଧ୍ୟରୁ ୫୭୦୦ ଆଇଟି କ୍ଷେତ୍ରର, ୩୬୦୦ ସ୍ୱାସ୍ଥ୍ୟ କ୍ଷେତ୍ରର ଏବଂ ୧୭୦୦ କୃଷି କ୍ଷେତ୍ରରେ କାର୍ଯ୍ୟରତ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଖାଦ୍ୟ ଓ କୃଷି କ୍ଷେତ୍ରରେ ଅଧିକ ଷ୍ଟାର୍ଟଅପ ର ସମ୍ଭାବନା ରହିଛି । ଲୋକେ ଏବେ ସେମାନଙ୍କର ଖାଦ୍ୟାଭ୍ୟାସ ନେଇ ବିଶେଷ ସଚେତନ ରହୁଥିବାରୁ ଏ କ୍ଷେତ୍ରରେ ଷ୍ଟାର୍ଟଅପ ର ଆବଶ୍ୟକତା ବଢିଛି । ଏହି କ୍ଷେତ୍ରର ଅଭିବୃଦ୍ଧି ଦେଖି ଭାରତ ଏହା ଉପରେ ସ୍ୱତନ୍ତ୍ର ଗୁରୁତ୍ୱ ଦେଇଛି । ସେଥିପାଇଁ ୧ ଲକ୍ଷ କୋଟି ଟଙ୍କାର କୃଷି ଭିତ୍ତିଭୂମି ପାଣ୍ଠି ସୃଷ୍ଟି କରାଯାଇଛି । ଏହି ନୂଆ ସୁବିଧା ସୁଯୋଗ ମାଧ୍ୟମରେ ଷ୍ଟାର୍ଟଅପ ଗୁଡିକ ଚାଷୀମାନଙ୍କ ସହ ସମନ୍ୱୟ ରକ୍ଷାକରି କାର୍ଯ୍ୟ କରୁଛନ୍ତି । ସେମାନେ ଚାଷୀଙ୍କଠାରୁ ଖାଦ୍ୟଶସ୍ୟ ଓ ପନିପରିବା କିଣି ତାହାକୁ ନୂଆ ଉପାୟରେ ମୂଲ୍ୟମିଶ୍ରଣ କରି ଲୋକଙ୍କୁ ଖାଦ୍ୟ ଆକାରରେ ଯୋଗାଉଛନ୍ତି ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଷ୍ଟାର୍ଟଅପ ଜଗତର ସବୁଠୁ ବଡ଼ ୟୁଏସ ପି ହେଲା ଏହାର ଆଧୁନିକୀକରଣ ଏବଂ ବିବିଧାୟନ ଦକ୍ଷତା । ଆଧୁନିକୀକରଣରେ ନୂଆ ନୂଆ ଟେକ ନୋଲଜି ଓ ନୂଆ ଜ୍ଞାନକୌଶଳ ସର୍ବଦା ଗୁରୁତ୍ୱ ପାଏ । ଏହା ନୂଆ ବାଟ ବତାଇବା ସହ ସମୟର ଆବଶ୍ୟକତା ପୂରଣ କରେ । ସେହିଭଳି ଗୋଟିଏ ସାମଗ୍ରୀରେ ସୀମିତ ନ ରହି ବିଭିନ୍ନ କ୍ଷେତ୍ରରେ ମନୋନିବେଶ କରି ନୂଆ ନୂଆ ସାମଗ୍ରୀ ଉତ୍ପାଦନ କରିବା ଷ୍ଟାର୍ଟଅପ ର ଆଉ ଏକ ବଡ ବିଶେଷତ୍ୱ । ଏହି ଦୁଇ କ୍ଷେତ୍ରରେ ଯେଉଁ ଷ୍ଟାର୍ଟଅପ ଯେତେ ଭଲ କରିପାରିବ ତାହାର ଭବିଷ୍ୟତ ସେତେ ଉଜ୍ଜ୍ୱଳ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଏହି ଅବସରରେ ସେ ଭିମ ୟୁପିଆଇର ଉଦାହରଣ ଦେଇ କହିଥିଲେ ଯେ ଏହା ପେମେଣ୍ଟ ସିଷ୍ଟମରେ ବିପ୍ଳବ ଆଣିଛି । କେବଳ ୨୦୨୦ ଡିସେମ୍ବର ମାସରେ ଏହି ୟୁପିଆଇ ମାଧ୍ୟମରେ ଭାରତରେ ୪ ଲକ୍ଷ କୋଟି ଟଙ୍କାର କାରବାର ହୋଇଛି । ସେହିଭଳି ସୌରଶକ୍ତି ଏବଂ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କ୍ଷେତ୍ରରେ ଭାରତର ପ୍ରଗତି କଥା ସେ ମନେ ପକାଇ ଦେଇଛନ୍ତି । ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତରଣ ବ୍ୟବସ୍ଥା ବା ଡିବିଟି ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଏହାଦ୍ୱାରା ଗରିବ ଲୋକ, ଚାଷୀ ଓ ଛାତ୍ରଛାତ୍ରୀଙ୍କୁ ସିଧାସଳଖ ଅର୍ଥ ତାଙ୍କ ବ୍ୟାଙ୍କଖାତାରେ ଯୋଗାଇ ଦିଆଯାଉଛି । ଏହାଦ୍ୱାରା ସେମାନେ ଜଞ୍ଜାଳମୁକ୍ତ ହେବା ସହିତ ଏହି ପ୍ରକ୍ରିୟାରେ ବାଟମାରଣା ହେଉଥିବା ୧.୭୫ ଲକ୍ଷ କୋଟି ଟଙ୍କା ବଂଚିପାରିଛି ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସରକାରଙ୍କ ପ୍ରୋକ୍ୟୁରମେଣ୍ଟ ପୋର୍ଟାଲ ଜେଇଏମ ରେ ୮ ହଜାର ଷ୍ଟାର୍ଟଅପ ପଞ୍ଜୀକୃତ ହୋଇଛନ୍ତି ଏବଂ ଏଗୁଡିକ ଏହା ମାଧ୍ୟମରେ ୨୩ ହଜାର କୋଟି ଟଙ୍କା ବ୍ୟବସାୟ କରିଛନ୍ତି । ଆଗାମୀ ଦିନରେ ସ୍ଥାନୀୟ ସାମଗ୍ରୀର କ୍ରୟ ଏବଂ ପ୍ରୋତ୍ସାହନ ପାଇଁ ଜେଇଏମ ପକ୍ଷରୁ ଉଦ୍ୟମ କରାଯିବ । ଏହାଦ୍ୱାରା ଷ୍ଟାର୍ଟଅପ ଗୁଡିକ ଲାଭବାନ ହେବେ ବୋଲି ସେ କହିଛନ୍ତି ।
ପ୍ରଧାନମନ୍ତ୍ରୀ ଏହି ଅବସରରେ ଷ୍ଟାର୍ଟଅପ ଇଣ୍ଡିଆ ସିଡ ଫଣ୍ଡ ବିଷୟରେ ଘୋଷଣା କରିଥିଲେ । ଏହି ପାଣ୍ଠି ନିମନ୍ତେ ୧ ହଜାର କୋଟି ଟଙ୍କା ଯୋଗାଇ ଦିଆଯାଇଥିବା ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଷ୍ଟାର୍ଟଅପ ଗୁଡିକ ପାଇଁ ଆଉ ସିଡ ମନିର ଅଭାବ ରହିବ ନାହିଁ । ଏହା ନୂଆ ଷ୍ଟାର୍ଟଅପ କୁ ବଢିବାରେ ସାହାଯ୍ୟ କରିବ । ଏହି ଫଣ୍ଡ ଅଫ ଫଣ୍ଡ ସ୍କିମ ଷ୍ଟାର୍ଟଅପ ଗୁଡିକୁ ଇକ୍ୟୁଟି କ୍ୟାପିଟାଲ ସଂଗ୍ରହ କରିବାରେ ସାହାଯ୍ୟ କରୁଛି । ଆହୁରି ମଧ୍ୟ ଷ୍ଟାର୍ଟଅପ ଗୁଡିକ ପୁଞ୍ଜି ସଂଗ୍ରହରେ ସାହାଯ୍ୟ କରିବା ପାଇଁ ସରକାର ଗ୍ୟାରେଣ୍ଟର ହେବାକୁ ମଧ୍ୟ ଘୋଷଣା କରିଛନ୍ତି । ଯୁବକଙ୍କ ପାଇଁ, ଯୁବକଙ୍କ ଦ୍ୱାରା ଓ ଯୁବକଙ୍କର ଏହି ମନ୍ତ୍ରକୁ ଆଧାର କରି ଭାରତ ଏକ ଷ୍ଟାର୍ଟଅପ ପରିବେଶ ସୃଷ୍ଟି କରିବାକୁ କାର୍ଯ୍ୟ କରୁଛି । ଆମକୁ ଆସନ୍ତା ୫ ବର୍ଷ ପାଇଁ ଆମକୁ ଆମର ଲକ୍ଷ୍ୟ ନିର୍ଦ୍ଧାରଣ କରିବାକୁ ପଡିବ । ସେହି ସମୟ ମଧ୍ୟରେ ଆମ ଷ୍ଟାର୍ଟଅପ , ଆମ ୟୁନିକର୍ଣ୍ଣ ଯେପରି ବିଶ୍ୱସ୍ତରର ହୋଇ ଫିଚ୍ୟୁରିଷ୍ଟିକ ଟେକ ନୋଲଜି କ୍ଷେତ୍ରରେ ନେତୃତ୍ୱ ନେବ ତାହାକୁ ନିଶ୍ଚିତ କରିବାକୁ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।