ଶ୍ରୀ ମୋଦୀ ଭାବପ୍ରବଣତା ଏବଂ ସହାନୁଭୂତି ସହିତ ଦେଶବାସୀଙ୍କର ମନମସ୍ତିଷ୍କରେ ଏହି ମହାମାରୀ ପ୍ରତି ପ୍ରାରମ୍ଭିକ ଦିନଗୁଡ଼ିକରେ ଆସୁଥିବା ବିଚାର ବିଷୟରେ ଅବତାରଣା କରିଥିଲେ। କିପରି ଭାବେ ଜଣେ ବ୍ୟକ୍ତି ସଂକ୍ରମିତ ହେବା ପରେ ତାଙ୍କର ନିକଟତମ ଲୋକଙ୍କ ସହିତ ମିଳାମିଶା କରିପାରୁନଥିଲା। ସେ କହିଥିଲେ ଯେ ଏହି ମହାମାରୀ କାରଣରୁ ସଂକ୍ରମିତମାନଙ୍କୁ ପୃଥକବାସରେ ରଖାଯାଇଥିଲା ଏବଂ ସେମାନଙ୍କୁ ନିସଙ୍ଗ ଜୀବନ ବିତାଇବାକୁ ପଡ଼ିଥିଲା। କେବଳ ସେତିକି ନୁହେଁ ସଂକ୍ରମିତଙ୍କ ଶିଶୁମାନଙ୍କୁ ସେମାନଙ୍କର ମା’ଙ୍କ ଠାରୁ ପୃଥକ କରି ଦିଆଯାଇଥିଲା। ବୃଦ୍ଧ ମାତା-ପିତାଙ୍କୁ ଡାକ୍ତରଖାନାରେ ନିଜେ ହିଁ ଏହି ରୋଗ ସହିତ ଲଢ଼ିବାକୁ ବାଧ୍ୟ ହେବାକୁ ପଡ଼ିଲା। ଏପରିକି, ଯେଉଁ ଲୋକମାନେ କରୋନାରେ ସଂକ୍ରମିତ ହୋଇ ପ୍ରାଣ ହରାଇଲେ, ସେମାନଙ୍କର ଅନ୍ତିମ ସଂସ୍କାର ଓ ଉଚିତ କ୍ରିୟାକର୍ମ ଅନୁଯାୟୀ ହୋଇପାରିଲା ନାହିଁ। ପ୍ରଧାନମନ୍ତ୍ରୀ ଅତ୍ୟନ୍ତ ଭାବପ୍ରବଣ ହୋଇ କହିଥିଲେ ଯେ ଏପରି ସ୍ମୃତି ଆଜି ମଧ୍ୟ ଅତି ଦୁଃଖ ଦେଇଥାଏ।
ଶ୍ରୀ ମୋଦୀ ସେହି କଳାଦିନଗୁଡ଼ିକୁ ସ୍ମରଣ କରି କହିଥିଲେ ଯେ ଏହି ମହାମାରୀର ପ୍ରାରମ୍ଭିକ ଦିନଗୁଡ଼ିକ ଅତ୍ୟନ୍ତ ଯନ୍ତ୍ରଣାଦାୟକ ଥିଲା, କିନ୍ତୁ ସେଦିନଗୁଡ଼ିକରେ ମଧ୍ୟ କିଛି ଲୋକ ଆଶାର କିରଣ ସାଜି ଆସିଥିଲେ। ସେମାନେ ପୀଡ଼ିତମାନଙ୍କୁ ସହାୟତା ମଧ୍ୟ ପହଞ୍ଚାଇଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଡାକ୍ତର, ନର୍ସ, ସ୍ୱାସ୍ଥ୍ୟ କର୍ମଚାରୀ, ଆମ୍ବୁଲାନ୍ସ ଡ୍ରାଇଭର, ଆଶା କର୍ମୀ, ସ୍ୱଚ୍ଛତା କର୍ମଚାରୀ ପୁଲିସ ଓ ଅନ୍ୟ ଅଗ୍ରଣୀ ଯୋଦ୍ଧାମାନଙ୍କର ଯୋଗଦାନକୁ ପ୍ରଧାନମନ୍ତ୍ରୀ ଭରପୂର ପ୍ରଶଂସା କରିଥିଲେ, ଯେଉଁମାନେ ନିଜ ଜୀବନକୁ ବାଜି ଲଗାଇ ଅନ୍ୟମାନଙ୍କର ଜୀବନ ବଞ୍ଚାଇଛନ୍ତି। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏପରି ଲୋକମାନେ ନିଜର ବ୍ୟକ୍ତିଗତ ସ୍ୱାର୍ଥକୁ ପଛରେ ପକାଇ ମାନବତା ପାଇଁ ନିଜର କର୍ତ୍ତବ୍ୟକୁ ପ୍ରାଥମିକତା ଦେଇଥିଲେ। ଶ୍ରୀ ମୋଦୀ ଏପରି ସ୍ୱାସ୍ଥ୍ୟ କର୍ମଚାରୀମାନଙ୍କୁ ପ୍ରଣାମ କରିଥିଲେ, ଯେଉଁମାନେ ନିଜର କର୍ତ୍ତବ୍ୟ ପାଳନ କରିବା ସମୟରେ ମହାମାରୀ ବିରୋଧରେ ଲଢ଼ି ପ୍ରାଣବଳୀ ଦେଇଛନ୍ତି। ଶ୍ରୀ ମୋଦୀ କହିଥିଲେ ଯେ ଆଗଧାଡ଼ିର କରୋନା ଯୋଦ୍ଧା ନିରାଶା ଏବଂ ଭୟର ପରିବେଶରେ ଆଶାର କିରଣ ନେଇ ଆସିଥିଲେ, ସେଥିପାଇଁ ଆଜି ସର୍ବପ୍ରଥମେ ସେମାନଙ୍କୁ ଟୀକା ଦେଇ ଦେଶ କୃତଜ୍ଞତାର ସହିତ ସେମାନଙ୍କର ଯୋଗଦାନକୁ ସ୍ୱୀକାର କରୁଛି।