ପୁରୀ- ଆସନ୍ତା ୨୧ ତାରିଖ ଠାରୁ ଶ୍ରୀମନ୍ଦିରରେ ବିନା କୋଭିଡ଼୍ ରିପୋର୍ଟରେ ଶ୍ରଦ୍ଧାଳୁ ମାନେ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିପାରିବେ । ଭକ୍ତ ମାନେ ନିର୍ବିଘ୍ନରେ, ବିନା କୋଭିଡ଼୍ ନେଗେଟିଭ୍ ରିପୋର୍ଟରେ ଶ୍ରୀମନ୍ଦିର ମଧ୍ୟକୁ ପ୍ରବେଶ ସହ ଶ୍ରୀଜିଉ ମାନଙ୍କ ଦର୍ଶନ କରିପାରିବେ ବୋଲି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି । ଏଥି ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରତିଦିନ ୩୦ ହଜାର ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ ବ୍ୟବସ୍ଥା ହୋଇଛି । ଶ୍ରଦ୍ଧାଳୁଙ୍କ ସଂଖ୍ୟା ୩୦ ହଜାରରୁ ଉର୍ଦ୍ଧ୍ୱ ରହିଲେ ସେନେଇ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ ।
ଶ୍ରଦ୍ଧାଳୁ ମାନଙ୍କୁ କେବଳ ସିଂହଦ୍ୱାର ବ୍ୟାରିକେଡ୍ ଦେଇ ଶ୍ରୀମନ୍ଦିର ଭିତରକୁ ଛଡାଯିବ । ଦର୍ଶନାର୍ଥୀ ମାନଙ୍କ ସ୍କ୍ରିନିଂ କରାଯିବ ଏବଂ ମାସ୍କ ଓ ସାନିଟାଇଜର୍ ବ୍ୟବହାର ପ୍ରତି ଗୁରୁତ୍ୱ ଦିଆଯିବ । ସେହିପରି ଏ ପର୍ଯ୍ୟନ୍ତ ମୋଟ୍ ୧ ଲକ୍ଷ ୨୫ ହଜାର ୪୧୧ ଜଣ ଦର୍ଶନ କରିଥିବା ସେ କହିଛନ୍ତି ।
ଏଠାରେ ଉଲ୍ଲେଖଯୋଗ୍ୟ, ପୂର୍ବରୁ ପ୍ରଶାସନ ପକ୍ଷରୁ ଦର୍ଶନ ପାଇଁ କୋଭିଡ଼୍ ନେଗେଟିଭ୍ ରିପୋର୍ଟକୁ ବାଧ୍ୟତାମୂଳକ କରାଯାଇଥିଲା । ଯାହାକୁ ନେଇ ଭକ୍ତଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ଦେଖିବାକୁ ମିଳିଥିଲା ।