-
ଭାରତ ନିଜର ଟୀକାକରଣ ଅଭିଯାନରେ ମାନବ-କୈନ୍ଦ୍ରିକ ଦୃଷ୍ଟିକୋଣ ଦ୍ୱାରା ପରିଚାଳିତ ହେଉଛି : ପ୍ରଧାନମନ୍ତ୍ରୀ
-
ସତର୍କତା ବଜାୟ ରଖିବା ଏବଂ ଟୀକା ପ୍ରୋଟୋକଲ ପାଳନ କରିବା ଲାଗି ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ
ପ୍ରଧାନମନ୍ତ୍ରୀ କହିଥିଲେ, ସ୍ୱାସ୍ଥ୍ୟ କର୍ମଚାରୀଙ୍କ ପରେ ଜରୁରି ସେବା ଯୋଗାଉଥିବା କର୍ମୀ ଏବଂ ଦେଶର ସୁରକ୍ଷା ଓ ଆଇନଶୃଙ୍ଖଳା ଦାୟିତ୍ୱରେ ଲୋକମାନଙ୍କୁ ଟୀକା ଦିଆଯିବ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆମର ସୁରକ୍ଷାବାହିନୀ, ପୁଲିସ କର୍ମୀ, ଅଗ୍ନିଶମ କର୍ମଚାରୀ ଓ ସଫେଇ କର୍ମଚାରୀମାନଙ୍କୁ ପ୍ରାଥମିକତା ଦିଆଯିବ। ଏହି ସଂଖ୍ୟା ପାଖାପାଖି 3 କୋଟି ହେବ ଏବଂ ଭାରତ ସରକାର ଏମାନଙ୍କର ଟୀକାକରଣ ଖର୍ଚ୍ଚ ବହନ କରିବେ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।
ଏହି ଅଭିଯାନ ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିବା ସମ୍ପର୍କରେ ବିସ୍ତାର ପୂର୍ବକ ସୂଚନା ଦେଇ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଦୁଇଟି ଡୋଜ ଟୀକା ନେବା ଲାଗି ସତର୍କ କରାଇ ଦେଇଥିଲେ। ସେ କହିଥିଲେ ଯେ ଦୁଇଟି ଡୋଜ ମଧ୍ୟରେ ଗୋଟିଏ ମାସର ବ୍ୟବଧାନ ରହିବ। ସେ ଲୋକମାନଙ୍କୁ ଟୀକାର ଦୁଇଟି ଡୋଜ ନେବା ପରେ ମଧ୍ୟ ସତର୍କତା ବଜାୟ ରଖିବା ନିମନ୍ତେ ନିବେଦନ କରିଥିଲେ। କାରଣ ଟୀକାର ଦ୍ୱିତୀୟ ଡୋଜ ନେବାର ଦୁଇ ସପ୍ତାହ ପରେ ମଣିଷ ଶରୀରରେ କରୋନା ବିରୋଧରେ ଆବଶ୍ୟକ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି ହୋଇଥାଏ।
ସମ୍ପୂର୍ଣ୍ଣ କରୋନା ବିରୋଧୀ ଲଢ଼େଇ ସମୟରେ ଦେଶବାସୀ ଯେପରି ଧୈର୍ଯ୍ୟର ପରିଚୟ ଦେଇଥିଲେ, ଟୀକାକରଣ ସମୟରେ ମଧ୍ୟ ସେପରି ଧୈର୍ଯ୍ୟର ପ୍ରଦର୍ଶନ କରିବା ଲାଗି ଶ୍ରୀ ମୋଦୀ ଦେଶବାସୀଙ୍କୁ ଅନୁରୋଧ କରିଥିଲେ।