
-
ୱିକିପିଡିଆରେ ଆପତିଜନକ କଥା ଲେଖାଯିବା ପ୍ରସଙ୍ଗ
-
ଦୋଷୀ ମାନଙ୍କ ବିରୁଦ୍ଧରେ କାର୍ଯାନୁଷ୍ଠାନ ଦାବି କଲେ

ସେ ସୋସିଆଲ ମିଡିଆରେ ଲେଖିଛନ୍ତି – “ୱିକିପିଡିଆରେ ମୋ ନାଁରେ କିଛି ଆପତିଜନକ କଥା ଲେଖାଥିବା ବିଷୟ ମୋର ନଜରକୁ ଆସିଛି । ଏହା ମୋତେ ଅତ୍ୟନ୍ତ ଦୁଃଖ ଦେଇଛି । ବ୍ୟକ୍ତିଗତ ଜୀବନରେ ମୁଁ କାହାରି ଅମଙ୍ଗଳ ଚାହେଁନି, ଏ ବିଷୟରେ କେବେ ଭାବେ ମଧ୍ୟ ନାହିଁ । ରାଜନୈତିକ ଓ ସାମାଜିକ ଜୀବନରେ ଥିବା କାରଣରୁ ମୁଁ କେବଳ ମୋର ରାଜନୈତିକ ଓ ସାମାଜିକ କର୍ତ୍ତବ୍ୟ ହିଁ କରେ । ହେଲେ ମୋ ବିରୋଧରେ ଏତେ ନିଚ୍ଚା ଷଡଯନ୍ତ୍ର କାହିଁକି କରାଯାଉଛି ମୁଁ ବୁଝିପାରିନାହିଁ ।“
ସେ ଆହୁରି ଲେଖିଛନ୍ତି “ଏବେ ରାଜ୍ୟର ବିରୋଧୀ ଦଳର ନେତା ଦାୟୀତ୍ୱରେ ଥିବା କାରଣରୁ ଲୋକଙ୍କ ପ୍ରଶ୍ନ, ଲୋକଙ୍କ ପ୍ରତି ହେଉଥିବା ଅନ୍ୟାୟ, ଲୋକଙ୍କର ଅଧିକାର ବିଷୟରେ ସରକାରଙ୍କୁ ପ୍ରଶ୍ନ ପଚାରିବା ମୋର ପରମ କର୍ତ୍ତବ୍ୟ । ଯାଜପୁରର ପିଇଓ ସ୍ମୀତାରାଣି ବିଶ୍ୱାଳର ହତ୍ୟା ଘଟଣାକୁ ଆତ୍ମହତ୍ୟାର ଋପ ଦେବାପାଇଁ ସରକାରୀ କଳ ଚେଷ୍ଟା କରୁଥିଲା । ଏହାକୁ ବିରୋଧ କରି ସେ ପ୍ରସଙ୍ଗରେ ଆମେ ସରକାରଙ୍କୁ ବିଧାନସଭାରେ ଘେରିଲୁ । ଏହା କଣ ଆମର ଭୁଲ ଥିଲା ? “
“ନୟାଗଡର ଯଦୁପୁରର ୫ ବର୍ଷର କୁନି ଝିଅ ପରୀର ହତ୍ୟା ଘଟଣାରେ ଆମ ଦଳ ରାଜରାସ୍ତାରେ ଲଢାଇ କରିଲା । ପରୀର ହତ୍ୟା ଅଙ୍ଗତସ୍କରି ପାଇଁ ହୋଇଥିଲା, ଏ ଅଭିଯୋଗ ଆଣି ଆମେ ବିଧାୟକମାନେ ବିଧାନସଭା ଅଚଳ କରିଲୁ । ଆମେ ସେହି ଘଟଣାରେ ଏକ ନିର୍ଣ୍ଣାୟକ ଲଢାଇ ଲଢିବୁ ଯେବେ ଯାଏଁ ପରୀକୁ ନ୍ୟାୟ ମିଳିନି । ଏଥିରେ ଯଦି କିଏ ଅସହ୍ୟ ହେବ ତାହେଲେ ମୁଁ କଣ କରିପାରିବି ? “
ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଦୁର୍ନୀତି ଅଭିଯୋଗ ଉଠାଇବାରୁ ମାହାଙ୍ଗାରେ ଆମ ଦଳର ଦୁଇ ବରିଷ୍ଠ ନେତାଙ୍କର ହତ୍ୟା ହେଲା । ଘଟଣାରେ ମନ୍ତ୍ରିଙ୍କର ସମ୍ପୃକ୍ତି ଥିବା କଥା ଆମେ ଅଭିଯୋଗ ଆଣିଲୁ । ଦଳର ଜଣେ ସାମାନ୍ୟ କର୍ମୀ ହିସାବରେ ମୁଁ ମୋର କର୍ତ୍ତବ୍ୟ କରିଲି । ଏଥିରେ ଯଦି ପ୍ରତିପକ୍ଷ ରାଜନୈତିକ ଦଳମାନେ ଅସହିଷ୍ଣୁ ହେବେ, ସେଥିରେ ମୁଁ ନିରୁପାୟ । “
ସେ ଆହୁରି ଲେଖିଛନ୍ତି “ଗତକାଲି ଆମ ଜିଲ୍ଲାକୁ ମୁଖ୍ୟମନ୍ତ୍ରୀ ଯାଇଥିଲେ । କଳାହାଣ୍ଡିର କିଛି ମୌଳିକ ସମସ୍ୟା ଯେପରିକି ଇନ୍ଦ୍ରାବତି ରାଇଟ କେନାଲ ଓ ରେତ ମେଗା ଲିଫ୍ଟ ଇରିଗେସନରେ ପାଣି ଆସୁନଥିବା, କଳାହାଣ୍ଡିରେ କୃଷି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠାରେ ବିଳମ୍ବ, କେସିଙ୍ଗା ସ୍ପିନିଙ୍ଗ ମିଲ ଚାଲୁ କରିବା ଆଦି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ କିଛି ପ୍ରଶ୍ନ ପଚାରିଥିଲି । କଳାହାଣ୍ଡିମାଟିର ପୁଅ ହିସାବରେ ମୋର କଣ ଏହା ଅଧିକାର ନୁହେଁ କି ? “
ସେ ଆହୁରି ଲେଖିଛନ୍ତି “ଏ ସମସ୍ତ ପ୍ରସଙ୍ଗରେ ସରକାରଙ୍କୁ ପ୍ରଶ୍ନ କରିବା ବୋଧହୁଏ କିଛି ରାଜନୈତିକ ପ୍ରତିପକ୍ଷଙ୍କ ଆଖିରେ ଯାଉନି । ମୁହାଁମୁହିଁ ବିତର୍କରେ ବିଶ୍ୱାସ କରୁନଥିବା ଲୋକମାନେ ହିଁ କେବଳ ଇଣ୍ଟରନେଟ ଟେରୋରିଜମ ର ଏପରି ହୀନ କାମ କରନ୍ତି । ମୋର ଯାହା ସନ୍ଦେହ ପ୍ରତିପକ୍ଷ ରାଜନୈତିକ ଦଳର ଆଇଟି ସେଲ ଏପରି କାମ କରିଥିବେ ।
ରାଜନୈତିକ ବିମର୍ଷ, ବାଦବିବାଦର ଏକ ସ୍ତର ରହିଛି । କିଏ କାହାକୁ ବିରୋଧ କରିବ ବୋଲି ତାହା ବିରୋଧରେ ଯେ ଏପରି କରାଯାଇପାରେ ତାହା ମୁଁ କେବେ ଭାବିନଥିଲି । ୨୦ ବର୍ଷର ନିରଙ୍କୁଶ ସରକାର ରହିଥିବା କାରଣରୁ ବୋଧହୁଏ କିଛି ଲୋକମାନେ ଅସହିଷ୍ଣୁ ହୋଇଯାଇଛନ୍ତି ।
ମୁଖ୍ୟମନ୍ତ୍ରୀ ଜଣେ ଭଦ୍ର ଲୋକ । ରାଜ୍ୟର ଜଣେ ଜନପ୍ରତିନିଧିଙ୍କ ପ୍ରତି ସାମାଜିକ ଜୀବନରେ ଏପରି ଅପମାନକୁ ସେ ବରଦାସ୍ତ କରିବେନି ବୋଲି ମୋର ବିଶ୍ୱାସ ଅଛି । ମୁଁ ତାଙ୍କୁ ବିଶେଷ ଭାବରେ ଅନୁରୋଧ କରୁଛି ଏହି ଘଟଣାର ତଦନ୍ତ କରି ଯିଏ ବି ଏପରି କରିଛି ତାହାର ସତ୍ୟାସତ୍ୟ ଉନ୍ମୋଚିତ କରନ୍ତୁ । “