ନୂଆପଡା – ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ ଭୋଜପୁର ପଂଚାୟତର ଝିତ୍ରିଢୋଡା ଗ୍ରାମର ୨ ପରିବାର ଭଙ୍ଗା ଘରେ ଜୀବନ ଅତିବାହିତ କରୁଥିବା ଅଭିଯୋଗ କରିଛନ୍ତି । ଝିତ୍ରିଢୋଡା ଗ୍ରାମର ବିଧବା ସିତିୟା ତାଣ୍ଡିଙ୍କ ମାଟି ଘରଟି ଚଳିତ ବର୍ଷର ଲଗାଣ ବର୍ଷାରେ ଭାଙ୍ଗି ଯାଇଥିବା ବେଳେ ପୁଅ ନିରଞ୍ଜନ(୧୯)ଙ୍କ ସହ ଅତି ଦୟନୀୟ ଅବସ୍ଥାରେ ରହୁଛନ୍ତି । ସେମାନେ ଭଙ୍ଗା ଘରରେ ପଲିଥିନ ଲଗାଇ ରହୁଥିବା ବେଳେ ଭାଙ୍ଗି ଯିବାର ଭୟ ରହିଥିବା ଅଭିଯୋଗ କରିଛନ୍ତି । ଏନେଇ ମାପୁଅ ସରପଂଚଙ୍କ ଠାରୁ ଆରମ୍ଭ କରି ଖଡିଆଳ ବିଡିଓ, ନୂଆପଡା ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରିବାକୁ ଦାବୀ କରି ଆସୁଥିଲେ ମଧ୍ୟ ଆଜି ଯାଏଁ ସେମାନଙ୍କୁ ଘର ଖଣ୍ଡିଏ ମିଳି ପାରୁନାହିଁ ।
ସେହିପରି ଗ୍ରାମର ଅମ୍ବିକା ଭୋଇ (୨୯)ଙ୍କର ମଧ୍ୟ ଚାଳଘର ଭାଙ୍ଗି ଯାଇଛି । ସ୍ୱାମୀ ଅଶୋକ ଏବଂ ୩ ନାବାଳକ ପୁଅଝିଅ ପୂଜା, ରାଜେଶ୍ୱରୀ ଓ ହେମନ୍ତ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ରହୁଛନ୍ତି । ଦାରିଦ୍ର୍ୟତା କାରଣରୁ ସେମାନେ ଘର ଖଣ୍ଡିଏ ନିର୍ମାଣ କରି ପାରୁନଥିବା ବେଳେ ଏକ ଚାଳ ଘର କରି ରହି ଆସୁଥିଲେ । ହେଲେ ଲଗାଣ ବର୍ଷା ଯୋଗୁଁ ଚାଳ ଘରଟି ଭାଙ୍ଗି ଯାଇଛି । ଫଳରେ ୫ ପ୍ରାଣୀ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଜୀବନ ଅତିବାହିତ କରୁଛନ୍ତି । ସେମାନେ ଏନେଇ ପଂଚାୟତ ଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ପର୍ଯ୍ୟନ୍ତ ଅଭିଯୋଗ କରି ଆସୁଥିଲେ ମଧ୍ୟ ସୁଫଳ ମିଳୁନଥିବା ପ୍ରକାଶ କରିଛନ୍ତି । ଜିଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ୨ ପରିବାରକୁ ତୁରନ୍ତ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରି ଘର ଖଣ୍ଡିଏ ଯୋଗାଇ ଦେବାକୁ ଦାବୀ ହେଉଛି ।