ସାନଖେମୁଣ୍ଡି: ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାର ଦ୍ୱାରା ବହୁଳ ମାତ୍ରାରେ ଜନହିତକର ତଥା ସମାଜ ମଙ୍ଗଳକାରି ଯୋଜନାର ପ୍ରଜ୍ଵଳନ କରାଯାଇ ସମାଜର ନିମ୍ନ ବର୍ଗରେ ରହୁଥିବା ଅସୁରକ୍ଷିତ କର୍ମୀଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରାଇବା ସରକାରୀ ଲକ୍ଷ ରହିଅଛି। ଏଥି ନିମନ୍ତେ ସରକାର ବବିଭିନ୍ନ ଭତ୍ତା, ଆବାସ ଯୋଜନାରେ ବାସଗୃହ ଯୋଗାଇବା ସହିତ ସାମାଜିକ ସୁରକ୍ଷା ପାଇଁ ଥିବା ଆନୁସଙ୍ଗିକ ଯୋଜନାର ଅବତାରଣା କରିଛନ୍ତି। ପରନ୍ତୁ ଆହୁତ ସମସ୍ତ ଯୋଜନାକୁ ନିମ୍ନ ସ୍ତରରେ ରାଜନେତା କୁ ହାତକରି ହଡପ କରାଯିବା ସହିତ ପ୍ରକୃତ ହିତାଧିକାରୀଙ୍କ ପାଖେ ସମ୍ପୃକ୍ତ ଯୋଜନା ଅପହଞ୍ଚ ହୋଇଥିବା ଜଣାଯାଇଅଛି। ଜନ ସାଧାରଣ ବିଧାୟକଙ୍କ ଅଂଚଳ ପରିଦର୍ଶନ ସମୟରେ ଭତ୍ତା, ଆବାସ ଯୋଜନା, ଖାଦ୍ୟସୁରକ୍ଷା ଯୋଜନା ଆଦି ବିଷୟ ନେଇ ବିଧାୟକଙ୍କୁ ଗୁହାରି କରୁଥିବା ସହ ଶାସକ ଦଳ କର୍ମୀଙ୍କ ଦ୍ୱାରା କରାଯାଇଥିବା ବାତିକ୍ରମକୁ ସୁଧାର ଆଣିବାକୁ ଅନୁନୟ ଭାବେ ଅବଗତ କରିଛନ୍ତି।
ଘଟଣା ପ୍ରକାରେ ଆଜି ସାନଖେମୁଣ୍ଡି ବିଧାୟକ ଶ୍ରୀ ରମେଶ ଚନ୍ଦ୍ର ଜେନା ପଞ୍ଚାୟତ ପରିକ୍ରମା ଭିତ୍ତିରେ ଛଣମେରି ପଞ୍ଚାୟତ ପରିଦର୍ଶନରେ ଥିବା ସହ ଦ୍ବିତୀୟ ଖଣ୍ଡଦେଉଳ ଗସ୍ତ କରିଥିଲେ। ଏହି ସମୟରେ ବିଧାୟକଙ୍କୁ ବହୁ ଗରିବ, ନିରୀହ ତଥା ବହି ଦୁଃଖୀ ବୃଦ୍ଧ ଓ ବୃଦ୍ଧା ସେମାନଙ୍କ ବୟସ ଅତକ୍ରାନ୍ତ ହୋଇଥିଲେ ମଧ୍ୟ ଭତ୍ତା ମିଳୁନଥିବାରୁ ଖୋଭ ଓ ଦୁଃଖର ସହ ବିଧାୟକଙ୍କୁ ଅନୁନୟ ହେବା ସହିତ ପଞ୍ଚାୟତରେ ହୋଇଥିବା ଆବାସ ଯୋଜନାର ଘୋଟାଲା ସମ୍ପର୍କରେ ବିଧାୟକଙ୍କୁ ଅବଗତ କରିଥିଲେ। ଅଭିଯୋଗ ପ୍ରକାରେ ଗ୍ରାମରେ ବହୁ ପରିବାରକୁ ଏକାଧିକ ଆବାସ ଯୋଜନାରେ ସାମିଲ କରାଇ ଏକାଧିକ ଘର ନିର୍ମାଣ ଅର୍ଥ ପ୍ରଦାନ କରାଯାଇଥିବା ବେଳେ ପ୍ରକୃତ ହିତାଧିକାରୀଙ୍କୁ ଯୋଜନାରେ ସାମିଲ କରାଯାଇନଥିବା ଅଭିଯୋଗ କରିଥିଲେ। ଅନ୍ୟପକ୍ଷରେ ଗ୍ରାମରେ ସାଧାରଣଙ୍କ ପାଇଁ ବ୍ୟବହାର ଉପଯୋଗୀ ପୋଖରୀକୁ ବିଭାଗ ତରଫରୁ ଲିଜ ହୋଇନଥିବା ବେଳେ ଜନୈକ ବ୍ୟକ୍ତିଙ୍କ ଯାଆଁଳା ଛଡ଼ାଯିବାକୁ ନେଇ ବିଷମ ସ୍ଥିତି ଉପୁଜିଥିବା ଅଭିଯୋଗ କରିଛନ୍ତି। ସମ୍ପୃକ୍ତ ଜବରଦଖଲ କାରୀଙ୍କ ଦ୍ଵାରା ପୋଖରୀରେ ରାସାୟନିକ ସାର ଏବଂ ଘୁଷୁରୁ ମଳ ପକାଇ ବ୍ୟବହାର ଉପଯୋଗୀ ପୋଖରୀକୁ ପ୍ରଦୂଷିତ କରୁଥିବା ନେଇ ମଧ୍ୟ ଅଭିଯୋଗ କରିଥିଲେ। ଏ ସମ୍ବନ୍ଧୀୟ ଅଭିଯୋଗ ପରେ ବିଧାୟକ ସ୍ଥାନୀୟ ବ୍ଲକ କତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରିବା ସହିତ ସମ୍ପୃକ୍ତ ଅଭିଯୋଗର ତଦନ୍ତ ପାଇଁ ଗୋଷ୍ଟି ଉନ୍ନୟନ ଅଧିକାରୀଙ୍କୁ ଅବଗତ କରିଛନ୍ତି। ବିଡିଓ ଏହାର ବିନୀତ ତଦନ୍ତ ସହିତ ପ୍ରକୃତ ହିତାଧିକାରୀ ଚୟନ ପ୍ରକ୍ରିୟାକୁ କଡାକଡି କରାଯିବ, ଦ୍ୱିତୀୟ ଖଣ୍ଡଦେଉଳି ବନ୍ଧ ଲିଜ ସମ୍ପର୍କୀୟ ଫାଇଲର ତର୍ଜମା କରିବାକୁ ପ୍ରତିଶୃତି ପ୍ରଦାନ କରିଛନ୍ତି। ବିଧାୟକଙ୍କ ପରିଦର୍ଶନ ସମୟରେ ବାବୁଲା ବେହେରା, ସହଦେଵ ବେହେରା, ରଘୁ ବେହେରା, ରମେଶ ବେହେରା, ପାଣ ଡାକୁଆ, ସତ୍ୟ ବେହେରା, ଲଡୁ ବେହେରା, ଡ଼ମ୍ବୁରୁ ବେହେରା ପ୍ରମୁଖ ଗ୍ରାମ ସମସ୍ୟାକୁ ଅବଗତ କରାଇବା ସହ କାର୍ଯ୍ୟାନୁଷ୍ଠାନ ପାଇଁ ଅନୁରୋଧ କରିଥିଲେ।
ରିପୋର୍ଟ: ପ୍ରଫୁଲ୍ଲ ସାବତ।