-
ଆମର ଜାତୀୟ ଜୀବନରେ ସ୍ୱାମୀ ବିବେକାନନ୍ଦଙ୍କ ପ୍ରଭାବ ଓ ପ୍ରତିଷ୍ଠା ଅକ୍ଷୁଣ୍ଣ ରହିଛି: ପ୍ରଧାନମନ୍ତ୍ରୀ
-
ରାଜନୀତିରେ ନିଃସ୍ୱାର୍ଥପର ଓ ଗଠନମୂଳକ ଅବଦାନ ଯୋଗାଇ ଦେବାକୁ ଯୁବ ସମାଜକୁ ଆହ୍ୱାନ
-
ରାଜନୈତିକ ବଂଶବାଦ ସାମାଜିକ ଦୁର୍ନୀତିର ପ୍ରମୁଖ କାରଣ: ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ କହିଥିଲେ ଯେ ସ୍ୱାମୀ ବିବେକାନନ୍ଦ ରାଷ୍ଟ୍ର ଗଠନର ମୂଳଦୁଆ ପାଇଁ ଯେଉଁ ଯୁବ ସମାଜ ଚାହୁଁଥିଲେ ସେଥିରେ ସେ ପ୍ରତ୍ୟେକଙ୍କଠାରେ ବିଶ୍ୱାସ, ସ୍ୱଚ୍ଛ ହୃଦୟ, ନିର୍ଭୀକତା, ଭୟଶୂନ୍ୟତା ଓ ସାହସ ଦେଖୁଥିଲେ । ଏହି ଅବସରରେ ସେ ଯୁବ ସମାଜକୁ ସ୍ୱାମୀ ବିବେକାନନ୍ଦଙ୍କ ମନ୍ତ୍ର ପ୍ରଦାନ କରିଥିଲେ । ସେ କହିଥିଲେ ଯେ ସ୍ୱାମୀଜୀ ଶାରିରୀକ ସୁସ୍ଥତା ପାଇଁ ଲୁହାର ମାଂସପେଶୀ ଓ ଇସ୍ପାତର ସ୍ନାୟୁ କଥା କହୁଥିଲେ । ସେହିଭଳି ବ୍ୟକ୍ତିତ୍ୱର ବିକାଶ ପାଇଁ ସ୍ୱାମୀଜୀଙ୍କ ମନ୍ତ୍ର ଥିଲା ନିଜ ଉପରେ ବିଶ୍ୱାସ କରିବା ବା ଆତ୍ମବିଶ୍ୱାସ । ସେହିଭଳି ନେତୃତ୍ୱ ଓ ଦଳଗତ କାର୍ଯ୍ୟ ପାଇଁ ସ୍ୱାମୀଜୀଙ୍କ ମନ୍ତ୍ର ଥିଲା ସମସ୍ତଙ୍କ ଉପରେ ବିଶ୍ୱାସ ରଖିବା ।
ଏହି ଅବସରରେ ପ୍ରଧାନମନ୍ତ୍ରୀ ଯୁବ ସମାଜକୁ ଆହ୍ୱାନ ଦେଇ କହିଥିଲେ ଯେ ସେମାନେ ରାଜନୀତିରେ ନିଃସ୍ୱାର୍ଥପର ଓ ଗଠନମୂଳକ ଅବଦାନ ରଖିବାକୁ ଆଗେଇ ଆସିବା ଉଚିତ । ସେ କହିଥିଲେ ଯେ ଏବେ ସାଧୁ, ସଚ୍ଚୋଟ ଲୋକମାନେ ଜନସେବା ପାଇଁ ସୁଯୋଗ ପାଉଛନ୍ତି । ରାଜନୀତି ନୀତିହୀନ ଓ ନିର୍ଲଜଙ୍କ କାର୍ଯ୍ୟ ବୋଲି ଯେଉଁ ପୁରୁଣା ବିଚାର ରହିଛି ତାହାକୁ ପରିବର୍ତ୍ତନ କରିବା ପାଇଁ କାମ କରିବାକୁ ସେ ଯୁବ ସମାଜକୁ ଆହ୍ୱାନ ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏବେ ସଚ୍ଚୋଟତା, ସାଧୁତା ଓ ପ୍ରଦର୍ଶନ ରାଜନୀତିରେ ଗୁରୁତ୍ୱ ପାଉଛି । ଏହି ପ୍ରସଙ୍ଗରେ ସେ ପାରିବାରିକ ରାଜନୀତି ଓ ବଂଶବାଦ ସଂପର୍କରେ ଦୀର୍ଘ ଆଲୋଚନା କରିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯେଉଁ ରାଜନେତାମାନେ ଦୁର୍ନୀତିକୁ ଉତ୍ତରାଧିକାରୀ ସୂତ୍ରରେ ପାଇ ରାଜନୀତିରେ ରହିଛନ୍ତି ସେହିମାନଙ୍କ ପାଇଁ ହିଁ ଆଜି ଜନସାଧାରଣଙ୍କ ନିମନ୍ତେ ଭ୍ରଷ୍ଟାଚାର ଏକ ବୋଝ ପାଲଟିଛି । ରାଜନୀତିରୁ ଏହି ବଂଶବାଦର ମୂଳୋତ୍ପାଟନ ପାଇଁ ସେ ଯୁବ ସମାଜକୁ ଆହ୍ୱାନ ଜଣାଇଛନ୍ତି । ଏହି ବଂଶବାଦୀ ବ୍ୟବସ୍ଥା ଓ ପାରିବାରିକ ରାଜନୀତି ଦ୍ୱାରା ଅଯୋଗ୍ୟତା ସୃଷ୍ଟି ହୁଏ ଏବଂ ଗଣତାନ୍ତ୍ରିକ ବ୍ୟବସ୍ଥାରେ ଏକଚ୍ଛତ୍ରବାଦ ମୁଣ୍ଡ ଟେକେ । ଏହି ବ୍ୟବସ୍ଥାର ବ୍ୟକ୍ତିବିଶେଷ ପରିବାରର ରାଜନୀତିକୁ ସୁରକ୍ଷିତ କରନ୍ତି ଏବଂ ରାଜନୀତିରେ ବଂଶର ସୁରକ୍ଷା ଦିଗରେ ଯତ୍ନବାନ ହୋଇଥାନ୍ତି । ‘ଆଜି ସାଙ୍ଗିଆ ଓ ପରିବାରର ନାମକୁ ଆଶାବାଡି କରି ନିର୍ବାଚନ ଜିତିବା ନୀତିର ଅବସାନ ଘଟିଛି । ତଥାପି ପାରିବାରିକ ରାଜନୀତି ବେମାରିର ଅବସାନ ଘଟିନାହିଁ । ରାଜନୈତିକ ପରିବାର ନିଜକୁ ଓ ପରିବାରକୁ ଅଗ୍ରାଧିକାର ଦିଏ । ସ୍ୱସ୍ୱାର୍ଥରକ୍ଷାରେ ମାତି ରାଷ୍ଟ୍ରର ସ୍ୱାର୍ଥକୁ ପଦଦଳିତ କରେ । ଏହା ହିଁ ଭାରତରେ ସାମାଜିକ ଦୁର୍ନୀତିର ପ୍ରମୁଖ କାରଣ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
ଭୁଜ ଭୂମିକମ୍ପ ପରେ ସେଠାରେ ଗ୍ରହଣ କରାଯାଇଥିବା ପୁର୍ନନିର୍ମାଣ କାର୍ଯ୍ୟକ୍ରମ ସଂପର୍କରେ ସେ କହିଥିଲେ ଯେ ଯେଉଁ ସମାଜ ଦୁର୍ବିପାକ ସମୟରେ ନିଜର ରାସ୍ତା ତିଆରି କରିବାର କୌଶଳ ଶିଖେ ସେ ହିଁ ନିଜର ଭାଗ୍ୟ ଲେଖିଥାଏ ; ଅତଏବ ସମୁଦାୟ ୧୩୦ କୋଟି ଭାରତୀୟ ଆଜି ସେମାନଙ୍କର ନିଜର ଭାଗ୍ୟ ଲେଖୁଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆଜିର ଯୁବ ସମାଜ ନିଜର ପ୍ରତ୍ୟେକଟି ଉଦ୍ୟମ ନବସୃଜନ ଓ ସଚ୍ଚୋଟ ଶପଥ ଦ୍ୱାରା ଆମ ଭବିଷ୍ୟତର ଏକ ଦୃଢ ଆଧାରଶିଳା ରଖିଛନ୍ତି ।