ନୂଆପଡା – ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ ଖାସବାହାଲ ପଂଚାୟତର ବଙ୍କାପୁର ଗ୍ରାମରେ ବାରହା ଆକ୍ରମଣରେ ୩ ଜଣ ଗୁରୁତର ଆହତ ହୋଇଥିବା ଅଭିଯୋଗ ହେଉଛି ।
ସୂଚନାମତେ ବଙ୍କାପୁର ଗ୍ରାମର ଲୁଚକିଜୋର ନିକଟରେ ଯଶୋବନ୍ତଙ୍କ ଧାନ ଚାଷ ହୋଇଥିବା ବେଳେ ଆଜି ସକାଳେ ବାରହା ଆସି ଧାନକୁ ଖାଉଥିଲା । ଏହି ସମୟରେ ଯଶୋବନ୍ତ ଭରାସଗରିଆ (୧୮) ବାରହାକୁ ଘଉଡାଇବାକୁ ଚେଷ୍ଟା କରିବାରୁ ବାରହାଟି ତାଙ୍କୁ ଆକ୍ରମଣ କରିଥିଲା । ନିକଟରେ ଥିବା ୨ ଜଣ ଉପେନ୍ଦ୍ର ଘିଭେଲା (୪୫) ଏବଂ ସତ୍ୟବତୀ ଘିଭେଲା (୪୫) ଯଶୋବନ୍ତଙ୍କୁ ବଂଚାଇବାକୁ ଚେଷ୍ଟା କରି ବାରହା ଆକ୍ରମଣର ଶିକାର ହୋଇଥିଲେ । ଫଳରେ ୩ ଜଣ ଗୁରୁତର ଆହତ ହୋଇଥିଲେ । ଗୁରୁତର ଅବସ୍ଥାରେ ୩ ଜଣଙ୍କୁ ଖଡିଆଳ ସ୍ଥିତ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା । ଯଶୋବନ୍ତଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ସ୍ଥାନୀୟ ମିଶନ ଡାକ୍ତରଖାନାରେ ଭର୍ତି କରାଯାଇଛି । ଅନ୍ୟ ଗୁରୁତର ୨ ଜଣଙ୍କୁ ଚିକିତ୍ସା କରି ଡାକ୍ତର ଛାଡି ଦେଇଥିବା ବେଳେ ସେମାନେ ମଧ୍ୟ ନିୟମିତ ଚିକିତ୍ସା କରିବାକୁ ଡାକ୍ତରଖାନା ଆସିବାକୁ ଡାକ୍ତର ପରାମର୍ଶ ଦେଇଥିବା ସୂଚନା ମିଳିଛି । ଏନେଇ ଖଡିଆଳ ବନାଚଂଳ ଅଧିକାରୀ ସଦାନନ୍ଦ ସୁନାନୀଙ୍କୁ ଅଭିଯୋଗ ପରେ ସେ ଡାକ୍ତରଖାନାକୁ ଆସି ଗୁରୁତର ଆହତ ମାନଙ୍କୁ ଭେଟି ଚିକିତ୍ସାସେବା ଯୋଗାଇ ଦେବାକୁ ପ୍ରତିଶୃତି ଦେଇଥିବା ଜଣାପଡିଛି ।
ଅନ୍ୟପକ୍ଷରେ ନିକଟରେ ଘୁଘୁରବେଡା ଜଙ୍ଗଲ ଥିବାରୁ ନିୟମିତ ବାରହା ପଲ ଏଠାକୁ ଆସି ଧାନ ଫସଲକୁ ନଷ୍ଟ କରୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ବନ ବିଭାଗ ତୁରନ୍ତ ଏ ଦିଗରେ ଦୃଷ୍ଟି ଦେଇ ବାରହା ପଲକୁ ଘଉଡାଇବାକୁ ପଦକ୍ଷେପ ନେବାକୁ ସାଧାରଣରେ ଦାବୀ ହେଉଛି ।