-
ଆମେ ଆମ ଯୁବକଯୁବତୀଙ୍କୁ ଉତ୍ତମ ଶିକ୍ଷା ଓ ଉଦ୍ୟମିତାର ସୁଯୋଗ ଯୋଗାଇ ଦେବାକୁ କାର୍ଯ୍ୟ କରୁଛୁ: ପ୍ରଧାନମନ୍ତ୍ରୀ
ଶ୍ରୀ ମୋଦୀ କହିଛନ୍ତି ଯେ ବିବେକାନନ୍ଦଙ୍କ ବ୍ୟକ୍ତି ଓ ଅନୁଷ୍ଠାନ ନିର୍ମାଣଚକ୍ର ବେଶ ଉଲ୍ଲେଖନୀୟ ଥିଲା । ଯେଉଁ ବ୍ୟକ୍ତିବିଶେଷ ସ୍ୱାମୀଜୀଙ୍କ ପ୍ରଭାବ ପରିସରର ଅନ୍ତର୍ଭୁକ୍ତ ହୋଇ ବିଭିନ୍ନ ଅନୁଷ୍ଠାନ ତିଆରି କରୁଥିଲେ, ସମୟକ୍ରମେ ସେହିସବୁ ଅନୁଷ୍ଠାନ ନୂଆ ଅନୁଷ୍ଠାନ ନିର୍ମାତାଙ୍କୁ ତିଆରି କରିଥିଲା । ଏହି କ୍ରମରେ ସେ ବିଭିନ୍ନ ପ୍ରକାର ବ୍ୟକ୍ତିତ୍ୱ ନିର୍ମାଣ ଓ ଅନୁଷ୍ଠାନ ନିର୍ମାଣଚକ୍ରମାନ କାର୍ଯ୍ୟକାରୀ କରିଥିଲେ । ଏହା ଭାରତ ପାଇଁ ଏକ ବିରାଟ ଶକ୍ତିରେ ପରିଣତ ହୋଇଛି । ଏଥିରେ ଉଦ୍ୟମିତା କିପରି ତିଆରି ହୁଏ ତାହାର ମଧ୍ୟ ଉଦାହରଣ ଦେଇଛନ୍ତି । ସେ କହିଛନ୍ତି ଯେ ଜଣେ ବ୍ୟକ୍ତିଦ୍ୱାରା ବଡ଼ ବଡ଼ କଂପାନୀ ତିଆରି ହୁଏ ଏବଂ ସେହିସବୁ କଂପାନୀର ପରିବେଶ ଚମତ୍କାର ବ୍ୟକ୍ତିତ୍ୱଙ୍କୁ ଗଢିତୋଳେ; ଯେଉଁମାନେ ନିଜ ବୁଦ୍ଧିବିଦ୍ୟାରେ ନୂଆ ନୂଆ କଂପାନୀ ବା ଉଦ୍ୟୋଗ ତିଆରି କରନ୍ତି ।
ପ୍ରଧାନମନ୍ତ୍ରୀ ଏହି ଅବସରରେ ନୂତନ ଜାତୀୟ ଶିକ୍ଷାନୀତିର ଉଦାହରଣ ଦେଇ କହିଛନ୍ତି ଯେ ଏଥିରେ ନବସୃଜନ, ଅଭିନବ ଶିକ୍ଷା ଓ ନମନୀୟତା ଆଦି ବିଷୟ ରହିଛି । ତାହାର ସୁଯୋଗ ନେଇ ନିଜକୁ ଗଢିବାକୁ ଯୁବ ସମାଜକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଜଣାଇଛନ୍ତି । ସେ କହିଛନ୍ତି ଯେ ଉତ୍ତମ ବ୍ୟକ୍ତି ନିର୍ମାଣ କରିବା ଏବଂ ସେମାନଙ୍କର ଆଶା ଆକାଂକ୍ଷା, ଦକ୍ଷତା, ବିଚାର ଓ ରୁଚିକୁ ଅଗ୍ରାଧିକାର ଦେବା ଏହି ଶିକ୍ଷାନୀତିର ଉଦ୍ଦେଶ୍ୟ । ଉତ୍ତମ ଶିକ୍ଷା ଓ ଉଦ୍ୟମିତା ବିକାଶର ସୁଯୋଗ ଆମ ଦେଶର ନାଗରିକମାନଙ୍କୁ ଯୋଗାଇ ଦିଆଯାଉଛି । ଆମେ ଏକ ପରିତନ୍ତ୍ର ତିଆରି କରିବାକୁ ଚେଷ୍ଟିତ, ଯେଉଁଥିରେ ସମସ୍ତ ପ୍ରକାର ସୁବିଧା ସୁଯୋଗ ଉପଲବଧ । ଫଳରେ ଆମ ଯୁବ ସମାଜ ନିଜର ଆଶା ଆକାଂକ୍ଷା ପୂରଣ କରିବା ପାଇଁ ବିଦେଶ ପ୍ରତି ଆଗ୍ରହୀ ହେବ ନାହିଁ ବୋଲି ସେ କହିଛନ୍ତି ।
ଶ୍ରୀ ମୋଦୀ କହିଛନ୍ତି ଯେ ସ୍ୱାମୀ ବିବେକାନନ୍ଦ ହିଁ ବିଶ୍ୱାସ, ସ୍ୱଚ୍ଛ ହୃଦୟ, ଭୟ ଶୂନ୍ୟତା, ସାହସ ଆଦି ଯୁବ ସମାଜର ଧ୍ୟେୟ ହେଉ ବୋଲି ଚାହୁଁଥିଲେ ଏବଂ ତାହା ଉପରେ ରାଷ୍ଟ୍ରର ଭିତ୍ତିଭୂମି ଗଢିବାକୁ ତାଙ୍କର ଲକ୍ଷ୍ୟ ଥିଲା । ଉପସ୍ଥିତ ଯୁବକଯୁବତୀଙ୍କୁ ସ୍ୱାମୀ ବିବେକାନନ୍ଦଙ୍କ ମନ୍ତ୍ର ପ୍ରଦାନକରି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଥିଲେ ଯେ ଶାରିରୀକ ସୁସ୍ଥସବଳତା ପାଇଁ ସ୍ୱାମୀଜୀ ଲୁହାର ମାଂସପେଶୀ ଓ ଇସ୍ପାତର ସ୍ନାୟୁତନ୍ତ୍ର କଥା କହିଥିଲେ । ତାହାକୁ ଦୃଷ୍ଟିରେ ରଖି ଭାରତ ସରକାର ଫିଟ ଇଣ୍ଡିଆ ଆନ୍ଦୋଳନ ମାଧ୍ୟମରେ ଯୋଗକୁ ପ୍ରୋତ୍ସାହିତ କରୁଛନ୍ତି ଏବଂ ଖେଳକୁଦ ପାଇଁ ଆଧୁନିକ ସୁବିଧା ସୁଯୋଗ ଯୋଗାଇ ଦେଉଛନ୍ତି । ବ୍ୟକ୍ତିତ୍ୱ ବିକାଶ ପାଇଁ ସ୍ୱାମୀଜୀ କହିଥିଲେ ଯେ ‘ନିଜ ଉପରେ ବିଶ୍ୱାସ ରଖ’ ଏବଂ ନେତୃତ୍ୱ ଓ ଦଳଗତ କାର୍ଯ୍ୟ ସଂପର୍କରେ ତାଙ୍କର ମତ ଥିଲା ‘ସମସ୍ତଙ୍କୁ ବିଶ୍ୱାସ କର ।’ ଏହି ମନ୍ତ୍ର ଯୁବ ସମାଜର ଧ୍ୟେୟ ହେଉ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।