-
ପାରିବାରିକ ରାଜନୀତି ସାମାଜିକ ଦୁର୍ନୀତିର ପ୍ରଧାନ କାରଣ: ପ୍ରଧାନମନ୍ତ୍ରୀ
ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ରାଜନୀତିରେ ପରିବାରବାଦ ଉପରେ ଦୀର୍ଘ ଆଲୋଚନା କରିଥିଲେ । ସେ କହିଥିଲେ ଯେ ଦୁର୍ନୀତି ଏବେ ଲୋକଙ୍କ ଉପରେ ଏକ ବୋଝ ପାଲଟିଛି । ଯେଉଁମାନେ ଦୁର୍ନୀତିକୁ ଉତ୍ତରାଧିକାରୀ ସୂତ୍ରରେ ପାଇ ରାଜନୀତିକୁ ଆସିଛନ୍ତି ସେମାନେ ହିଁ ଏହି ସଂସ୍କୃତିକୁ ବଢାଉଛନ୍ତି । ତେବେ ଦେଶ ଏବେ ପରିବାର ରାଜନୀତିଠାରୁ ସାଧୁତା ଓ ସଚ୍ଚୋଟତାକୁ ଅଧିକ ପସନ୍ଦ କରୁଛି ଏବଂ ପ୍ରାର୍ଥୀମାନେ ବୁଝି ପାରୁଛନ୍ତି ଯେ କେବଳ ଭଲ କାମକୁ ହିଁ ଲୋକେ ଗୁରୁତ୍ୱ ଦେଉଛନ୍ତି ।
ରାଜନୀତିରୁ ପରିବାରବାଦର ଉଚ୍ଛେଦ ପାଇଁ ସେ ଯୁବ ସମାଜକୁ ଆହ୍ୱାନ ଜଣାଇଛନ୍ତି । ପାରିବାରିକ ରାଜନୀତି ଅଯୋଗ୍ୟତା ଓ ଏକଚ୍ଛତ୍ରବାଦ ସୃଷ୍ଟି କରେ ଏବଂ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ଦୁର୍ବଳ କରିଥାଏ । ପାରିବାରିକ ରାଜନୀତିରେ ଦେଶ ଅପେକ୍ଷା ପରିବାର ଓ ବଂଶବାଦ ଅଗ୍ରାଧିକାର ପାଏ । ଏଥିରେ ବ୍ୟକ୍ତି ପରିବାରର ସ୍ୱାର୍ଥ ଦେଖେ ଏବଂ ପରିବାର ମଧ୍ୟ ନିଜ ରାଜନୈତିକ ସ୍ୱାର୍ଥକୁ ଅଗ୍ରାଧିକାର ଦିଏ । ସେ କହିଛନ୍ତି ‘ଆଜି ଯେଉଁ ପରିସ୍ଥିତି ସୃଷ୍ଟି ହୋଇଛି ସେଥିରେ ନିଜ ପରିବାର ବା ସାଙ୍ଗିଆକୁ ଆଶ୍ରାକରି ନିର୍ବାଚନ ବୈତରଣୀ ପାରହେବା ସୁଯୋଗ ଆଉ ନାହିଁ ; ତଥାପି ପାରିବାରିକ ରାଜନୀତି ବ୍ୟାଧିର ଅବସାନ ଘଟିନାହିଁ । ରାଜନୈତକ ବଂଶବାଦରେ ବ୍ୟକ୍ତି ଓ ବଂଶକୁ ପ୍ରୋତ୍ସାହନ ମିଳେ ଏବଂ ଏଥିରେ ଦେଶର ସ୍ୱାର୍ଥ ଗୌଣ ହୋଇଯାଏ । ଏହା ହିଁ ଭାରତରେ ସାମାଜିକ ଦୁର୍ନୀତିର ପ୍ରମୁଖ କାରଣ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।’
ରାଜନୀତିରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ଯୁବ ସମାଜକୁ ଆହ୍ୱାନ ଦେବା ସହିତ କହିଛନ୍ତି ଯେ ସେମାନେ ରାଜନୀତିରେ ଭାଗନେଲେ ପାରିବାରିକ ରାଜନୀତିର ଅବସାନ ଘଟିବା ସୁନିଶ୍ଚିତ ହେବ । ‘ଆମ ଗଣତନ୍ତ୍ରକୁ ସୁରକ୍ଷିତ କରିବା ପାଇଁ ଏହା ଅଗ୍ରାଧିକାର ମାଗେ । ତେଣୁ ଆପଣମାନେ ରାଜନୀତିରେ ଭାଗ ନିଅନ୍ତୁ । ଯଦି ଆପଣଙ୍କର ସ୍ୱାମୀ ବିବେକାନନ୍ଦଙ୍କ ଭଳି କେହି ମହାନ ଦିଗଦ୍ରଷ୍ଟା ଥାଆନ୍ତି ବା ଆପଣ ଯଦି ସେହିଭଳି ବ୍ୟକ୍ତିଙ୍କ ଆଦର୍ଶରୁ ପ୍ରେରଣା ପାଉଥାନ୍ତି, ତାହାକୁ ପାଥେୟ କରି ଅଗ୍ରସର ହୁଅନ୍ତୁ । ସେ କହିଛନ୍ତି, ‘ହେ ଆମ ଯୁବ ସମାଜର ସଦସ୍ୟଗଣ, ଆସନ୍ତୁ ରାଜନୀତିରେ ଭାଗ ନିଅନ୍ତୁ । ଏହାଦ୍ୱାରା ଦେଶ ସୁଦୃଢ ହେବ ।’