କନ୍ଧମାଳ – ଫୁଲବାଣୀ ସହରର ମଧ୍ୟଭାଗରେ ଥିବା ପୌରପରିଷଦର ସର୍ବପୁରାତନ ଦୁଇଟି ପୋଖରୀକୁ ୫୦ ବର୍ଷରୁ ଅଧିକ ସମୟ ହେଲା ସହରବାସୀ ମାନେ ସେମାନଙ୍କର ପିଇବାଠାରୁ ଆରମ୍ଭ କରି ଗାଧୋଇବା ଭଳି ନିତ୍ୟ ବ୍ୟବହାର୍ଯ୍ୟ କାର୍ଯ୍ୟରେ ବ୍ୟବହାର କରିଆସୁଥିଲେ । ତତକାଳିନ ଫୁଲବାଣି ବିଜ୍ଞାପିତ ଅଂଚଳ ପରିଷଦ ଦ୍ୱରା ଏହି ପୋଖରୀ ଗୁଡିକର ନିୟମିତ ପଙ୍କ ଉଦ୍ଧାର କରାଯିବା ସହ ସଫାସୁତୁରା କରାଯାଉଥିଲା । ସେହି ପୋଖରୀରେ କୌଣସି ଆବର୍ଜନା ପକାଇବା, ନାଳନର୍ଦ୍ଦମାର ପାଣି ଛାଡିବା ପାଇଁ ଲୋକଙ୍କୁ ବାରଣ କରାଯିବା ସହିତ ସେଥି ମଧ୍ୟରୁ ଗୋଟିଏ ପୋଖରୀରେ ଗାଧୋବାପାଇଁ ବାରଣ କରାଯାଇଥିଲା । ଫଳରେ ସେହି ଦୁଇଟି ପୋଖରୀର ପାଣି ଅତ୍ୟନ୍ତ ସଫା ରହୁଥିବା ସହିତ ଲୋକେ ସେହି ପୋଖରୀ ଗୁଡିକର ପାଣିକୁ ସମସ୍ତ ପ୍ରକାରର ବ୍ୟବହାର କରୁଥିଲେ । ବର୍ତମାନ ଏହି ପୋଖରୀ ଗୁଡିକରେ ଫୁଲବାଣୀ ସହରର ସମସ୍ତ ନାଳନର୍ଦ୍ଦମା ପାଣି ଏପରିକି ପାଇଖାନାର ମଇଳା ମଧ୍ୟ ପଡୁଛି । ତା’ସହିତ କିଛି ଦିନ ହେଲା ସେହି ପୋଖରୀ ନିକଟରେ ଖୋଲିଥିବା ଦୁଇଟି ବିଦେଶୀ ମଦ ଦୋକାରୁ ମଦ୍ୟପମାନେ ମଦ କିଣିବାସହିତ ସେଠାରେ ହିଁ ମଦ ଖୋଲି ପିଉଥିବାରୁ ସେମାନଙ୍କ ସୁବିଧା ପାଇଁ ସେହି ପାଖରେ ଅନେକ ଫାଷ୍ଟଫୁଡ୍ ଦୋକାନ ଖୋଲିଛି । ଫଳରେ ସେମାନେ ସେଠାରେ ଯାଇ ଫାଷ୍ଟଫୁଡ୍ ଖାଇବା ସହିତ ଖୋଲାଖୋଲି ଭାବରେ ମଦ୍ୟ ପାନ କରୁଛନ୍ତି । ସେହି ପୋଖରୀ ଗୁଡିକ ଭିତରେ ସେମାନେ ମଦ ବୋତଲ, ପ୍ଲାଷ୍ଟିକ ବୋତଲ ଓ ଗ୍ଲାସଠାରୁ ଆରମ୍ଭ କରି ଫାଷ୍ଟଫୁଡର ଆବର୍ଜନା ସବୁ ଗଦା ହେଉଛି । ଯାହାଦ୍ୱାରା ଏହି ଦୁଇଟି ପୋଖରୀର ପାଣି କୌଣସି ପ୍ରକାରର ବ୍ୟବହାର ପାଇଁ ଉପଯୋଗୀ ହୋଇପାରୁନାହଁ । ଏହାସହିତ ସେହି ଅଂଚଳର ପରିବେଶ କ୍ରମଶଃ ଦୂଷିତ ହେବାରେ ଲାଗିଛି । ଏହି ଦୁଇଟିଯାକ ମଦଦୋକାନ ଠିପି ବନ୍ଦ ମଦଦୋକାନ ହୋଇଥିବାବେଳେ ସେଠାରେ ଲୋକେ କିପରି ଖୋଲାଖୋଲି ଭାବରେ ମଦ୍ୟପାନ କରୁଛନ୍ତି ତାହା ପୋଲିସର ନିଷ୍କ୍ରିୟତାର ପ୍ରମାଣ ଦେଉଛି ବୋଲି ସାଧାରଣରେ ଆଲୋଚନା ହେଉଛି । ସଂନ୍ଧ୍ୟା ଗଡିଲେ ଏଠାରେ ମଦ୍ୟପଙ୍କ ଆଡ୍ଡା ଜମୁ ଥିବାରୁ ସେହି ଅଂଚଳରେ ସାଧାରଣ ଲୋକେ କିମ୍ବା ଭଦ୍ରମହିଳାମାନେ ଯାତାୟାତ କରିବାକୁ ନିଜକୁ ସୁରକ୍ଷିତ ମଣୁନାହାଁନ୍ତି ।
Related Stories
November 24, 2024
November 24, 2024